
ଉତ୍ତରପ୍ରଦେଶରେ କରୋନାରୁ ରକ୍ଷା ପାଇବା ନିମନ୍ତେ ଇମ୍ୟୁନିଟି ବୁଷ୍ଟର କାର୍ଡ଼ ଆରମ୍ଭ କରାଯାଇଛି । ମଧ୍ୟପ୍ରଦେଶରେ କରୋନାରୁ ରକ୍ଷା ନିମନ୍ତେ ହର୍ବାଲ ଶାଢ଼ୀ ଓ ଇମ୍ୟୁନିଟି ବୁଷ୍ଟର ଶାଢ଼ୀ ବିକ୍ରି ଆରମ୍ଭ ହୋଇଛି । ଏହାକୁ ଆୟୁର୍ବସ୍ତ୍ର ନାମ ଦିଆଯାଇଛି । ଏହି ଶାଢ଼ୀ ପ୍ରସ୍ତୁତିରେ ବିଭିନ୍ନ ପ୍ରକାର ମସଲା ବ୍ୟବହାର କରାଯାଇଥିବା କୁହାଯାଉଛି । ତେଜପତ୍ର, ଲବଙ୍ଗ, ଅଳେଇଚ, ଚକ୍ରଫୁଲ , ଜାଇତ୍ରୀ, ଡ଼ାଲଚିନି, ଗୋଲମରିଚ, ଜିରା, ଗୁଜରାତି ଆଦି ମସଲାକୁ ଏଥିରେ ଉପଯୋଗ କରାଯାଇଛି। ଏହି ଶାଢ଼ୀକୁ ୨ ମାସ ପରୀକ୍ଷା ପରେ ବିକ୍ରି ପାଇଁ ବଜାରକୁ ଛଡ଼ାଯାଇଛି ।

ସୂଚନା ଅନୁସାରେ ଏହି ସବୁ ମସଲାକୁ ଗୁଣ୍ଡ କରାଯାଇ ତାହାକୁ ୪୮ ଘଣ୍ଟା ସିଝା ଯାଉଛି । ଏହାପରେ ପ୍ରସ୍ତୁତ ଶାଢ଼ୀରେ ମସଲାର ବାମ୍ଫ ଦିଆଯାଉଛି । ଶାଢ଼ୀକୁ ଔଷଧଯୁକ୍ତ କରିବା ପାଇଁ ଅନ୍ୟୁନ ୫ରୁ ୬ ଦିନ ଲାଗୁଛି ଏବଂ ଏଥିପାଇଁ ବହୁ ସତର୍କତା ଅବଲମ୍ବନ କରାଯାଉଛି । ଏହି ଶାଢ଼ୀ ପିନ୍ଧିଲେ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଉଥିବା ଦାବି କରାଯାଇଛି । ତେବେ ଚିରଦିନ ଏହି ଶାଢ଼ୀରେ ରୋଗପ୍ରତିରୋଧକ ଶକ୍ତି ରହିବ ନାହିଁ, ମସଲାଯୁକ୍ତ ଏହି ଶାଢ଼ୀଟି ୫/୬ଥର ଧୂଆଯିବା ପରେ ତାହାର ଔଷଧୀୟ ଗୁଣ ନଷ୍ଟ ହୋଇଯିବ । ତେଣୁ କମ୍ ରାସାୟନିକ ସାମଗ୍ରୀଯୁକ୍ତ ପାଉଡ଼ରରେ ଶାଢ଼ୀ ଧୋଇବାକୁ ପରାମର୍ଶ ଦିଆଯାଇଛି ।



