ଆଇଆଇଟି ଦିଲ୍ଲୀ ଛାତ୍ରଙ୍କ ଆତ୍ମହତ୍ୟା
ନୂଆଦିଲ୍ଲୀ : ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଆଇଆଇଟି) ଦିଲ୍ଲୀର ଜଣେ ଛାତ୍ର ଶୁକ୍ରବାର ଆତ୍ମହତ୍ୟା କରିଛନ୍ତି। ଗୋପାଳ ମାଲୁ (୨୧ ବର୍ଷ) ନାମକ ଛାତ୍ର ଜଣଙ୍କ ନିଜ ହଷ୍ଟେଲ କୋଠରିର ସିଲିଂ ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପୁଲିସ କହିଛି। ତେବେ ପୁଲିସ ତାଙ୍କ କୋଠରିରୁ କୌଣସି ସୁଇସାଇଡ ନୋଟ ପାଇ ନାହିଁ। ତେଣୁ ଆତ୍ମହତ୍ୟାର କାରଣ ସମ୍ପର୍କରେ କିଛି ଜଣାପଡି ନାହିଁ। ପଶ୍ଚିମବଙ୍ଗ ହୁଗୁଳିର ଏହି ଛାତ୍ର ଜଣଙ୍କ ରସାୟନ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ କରୁଥିଲେ। ସେ ପ୍ରଥମ ବର୍ଷ ଛାତ୍ର ଥିଲେ। ଆଇଆଇଟି ଦିଲ୍ଲୀର ନୀଳଗିରି ହଷ୍ଟେଲରେ ରହୁଥିଲେ। ଏହା ପୂର୍ବରୁ ଏପ୍ରିଲ ୧୦ରେ ମାଲୁ ନିଦ ବଟିକା ଖାଇ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ। ସେତେବେଳେ ସେ ମୃତ୍ୟୁରୁ ବଞ୍ଚିଯାଇଥିଲେ। ଏପ୍ରିଲ ୫ରେ ଆଇଆଇଟି ବମ୍ବେର ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିଲେ।