୨ୟ ଥର ଫ୍ରେଞ୍ଚ୍‌ ଓପନ୍‌ ଜିତିଲେ ସ୍ବିଆଟେକ୍‌ 

ପ୍ୟାରିସ୍‌ : ପୋଲାଣ୍ଡର ଇଗା ସ୍ବିଆଟେକ୍‌ ଚଳିତବର୍ଷର ୨ୟ ଗ୍ରାଣ୍ଡସ୍ଲାମ୍ ଟେନିସ ଟୁର୍ଣ୍ଣାମେଣ୍ଟ ଫ୍ରେଞ୍ଚ୍‌ ଓପନ୍‌ ଚମ୍ପିଆନ୍ ହୋଇଛନ୍ତି। ଶନିବାର ରୋଲାଣ୍ଡ ଗ୍ୟାରସ୍ ଷ୍ଟାଡିୟମ୍‌ରେ ଖେଳା ଯାଇଥିବା ଏକତରଫା ଫାଇନାଲରେ ସ୍ବିଆଟେକ୍‌ ୧୮ଶ ସିଡ୍‌ ଆମେରିକାର କୋକୋ ଗୌଫ୍‌ଙ୍କୁ ୬-୧, ୬-୩ ସେଟ୍‌ରେ ପରାସ୍ତ କରିଛନ୍ତି। ମ୍ୟାଚ୍‌ରେ ସ୍ବିଆଟେକ୍‌ ଏପରି ପ୍ରାଧାନ୍ୟ ବିସ୍ତାର କରିଥିଲେ ଯେ ମାତ୍ର ୬୮ ମିନିଟରେ ଜିତି ନେଇଥିଲେ। ଏହି ବିଜୟ ସହ ୨୧ଶ ଶତାବ୍ଦୀରେ କ୍ରମାଗତ ୩୫ଟି ମହିଳା ସିଙ୍ଗଲ୍‌ସ ମ୍ୟାଚ୍‌ ଜିତିବାର କୃତିତ୍ବ ସ୍ବିଆଟେକ୍‌ ହାସଲ କରିଛନ୍ତି। ତାଙ୍କ ପୂର୍ବରୁ ଆମେରିକାର ଭିନସ୍ ୱିଲିୟମ୍‌ସ ଏହି କୃତିତ୍ବ ହାସଲ କରିଥିଲେ। ୧୮ ବର୍ଷ ବୟସ୍କା କୋକୋ ଗୌଫ୍ ସର୍ବକନିଷ୍ଠା ଗ୍ରାଣ୍ଡସ୍ଲାମ୍ ବିଜୟିନୀ ହେବାକୁ ସ୍ବପ୍ନ ଦେଖିଥିଲେ ହେଁ ତାଙ୍କ ସ୍ବପ୍ନ ଅଧୁରା ରହିଛି। ୨୦୨୦ରେ ଫ୍ରେଞ୍ଚ୍‌ ଓପନ୍‌ ଚମ୍ପିଆନ୍ ହୋଇଥିବା ସ୍ବିଆଟେକ୍‌ ୨ୟ ଥର ଏହି ଗ୍ରାଣ୍ଡସ୍ଲାମ୍ ଜିତିଛନ୍ତି। ପୂରା ମ୍ୟାଚ୍‌ରେ ସ୍ବିଆଟେକ୍‌ ପ୍ରାଧାନ୍ୟ ବିସ୍ତାରକରି ଗୌଫ୍‌ଙ୍କ ବିପକ୍ଷରେ ୩ୟ ମ୍ୟାଚ୍‌ ଖେଳି ୩ୟ ଥର ଜିତି ପାରିଛନ୍ତି। ଏହି ବିଜୟ ଫଳରେ ୧୦ମ ମହିଳା ଭାବେ ସ୍ବିଆଟେକ୍‌ ୨ ଥର ଫ୍ରେଞ୍ଚ୍‌ ଓପନ୍ ଜିତି ପାରିଛନ୍ତି। ପୁଣି ଚଳିତବର୍ଷ ସ୍ବିଆଟେକ୍‌ ଖେଳିଥିବା ୬ଟିଯାକ ଟୁର୍ଣ୍ଣାମେଣ୍ଟରେ ଚମ୍ପିଆନ୍ ହୋଇ ବିଶ୍ବର ୧ନଂ ଖେଳାଳିର ମାନ୍ୟତା ବଜାୟ ରଖିଛନ୍ତି।

kalyan agarbati

Comments are closed.