ଟ୍ବେଣ୍ଟି୨୦ ବ୍ୟାଟିଂ ମାନ୍ୟତା  : ଶୀର୍ଷ ସ୍ଥାନ ବଜାୟ ରଖିଲେ ସୂର୍ଯ୍ୟକୁମାର

ଦୁବାଇ : ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ତରଫରୁ ବୁଧବାର ପ୍ରକାଶିତ ଟ୍ବେଣ୍ଟି୨୦ ବ୍ୟାଟିଂ ମାନ୍ୟତାରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି ଭାରତୀୟ ବ୍ୟାଟସମ୍ୟାନ ସୂର୍ଯ୍ୟକୁମାର ଯାଦବ।
ଅଷ୍ଟ୍ରେଲିଆ​ରେ‌ ଖେଳାଯାଉଥିବା ଟ୍ବେଣ୍ଟି୨୦ ବିଶ୍ବକପ୍‌ରେ ସୂର୍ଯ୍ୟକୁମାର ଚମତ୍କାର ପ୍ରଦର୍ଶନ କରି ଆସୁଛନ୍ତି। ସେ ବର୍ତ୍ତମାନ ସୁଦ୍ଧା ୫ଟି ମ୍ୟାଚ୍‌ରୁ ୨୨୫ ରନ୍‌ ସଂଗ୍ରହ କରିଛନ୍ତି। ତାଙ୍କର ଷ୍ଟ୍ରାଇକ୍‌ ରେଟ୍‌ ୨୦୦ ପାଖାପାଖି ରହିଛି। ଟ୍ବେଣ୍ଟି୨୦ ବ୍ୟାଟିଂ ମାନ୍ୟତାରେ ସୂର୍ଯ୍ୟକୁମାର ୮୬୯ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ରହିଛନ୍ତି। ଦ୍ବିତୀୟ ସ୍ଥାନରେ ପାକିସ୍ତାନର ମହମ୍ମଦ ରିଜୱାନ୍‌ ରହିଛନ୍ତି। ତୃତୀୟ ସ୍ଥାନରେ ନ୍ୟୁଜିଲାଣ୍ଡର ଡେଭନ କନ୍‌ୱେ ରହିଥିବା ବେଳେ ପାକିସ୍ତାନ ଦଳର ଅଧିନାୟକ ବାବର ଆଜମ୍‌ ମାନ୍ୟତାର ଚତୁର୍ଥ ସ୍ଥାନରେ ରହିଛନ୍ତି। ଅନ୍ୟପକ୍ଷରେ ବାଂଲାଦେଶ ଓ ଜିମ୍ବାୱେ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିଥିବା ଭାରତୀୟ ଦଳର ଉପଅଧିନାୟକ କେଏଲ୍‌ ରାହୁଲ ମାନ୍ୟତାରେ ୫ଟି ସ୍ଥାନ ଉପରକୁ ଉଠି ୧୬ନଂରେ ରହିଥିବା ବେଳେ ତାରକା ବ୍ୟାଟସମ୍ୟାନ୍‌ ବିରାଟ କୋହଲି ୧୧ ଓ ଅଧିନାୟକ ରୋହିତ ଶର୍ମା ୧୮ନଂରେ ରହିଛନ୍ତି।
ବୋଲିଂ ମାନ୍ୟତାରେ ଭାରତୀୟ ଦ୍ରୁତ ବୋଲର ଅର୍ଶଦୀପ ସିଂହ ୪ଟି ସ୍ଥାନ ଉପରକୁ ଉଠି ୨୩ନଂରେ ରହିଛନ୍ତି। ପାକିସ୍ତାନର ଦ୍ରୁତ ବୋଲର ସାହିନ ଶାହା ଆଫ୍ରିଦି ୨୨ନଂରେ ରହିଛନ୍ତି। ବରିଷ୍ଠ ଭାରତୀୟ ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ବିନ ମାନ୍ୟତାରେ ୫ଟି ସ୍ଥାନ ଉପରକୁ ଉଠି ୧୩ନଂରେ ରହିଛନ୍ତି। ଶ୍ରୀଲଙ୍କାର ସ୍ପିନର ୱାନିଡୁ ହସରଙ୍ଗା ବୋଲିଂ ମାନ୍ୟତାର ଶୀର୍ଷ ସ୍ଥାନରେ ରହିଛନ୍ତି। ଟ୍ବେଣ୍ଟି୨୦ ବିଶ୍ବକପ୍‌ରେ ସେ ୧୫ଟି ୱିକେଟ୍‌ ହାସଲ କରିଥିଲେ। ଇଂଲଣ୍ଡର ଆଦିଲ ରସିଦ୍‌ ମାନ୍ୟତାର ୮ମ ସ୍ଥାନରେ ରହିଥିବା ବେଳେ ସାମ କରନ୍‌ ୭ମ ସ୍ଥାନରେ ରହିଛନ୍ତି। ଅଲରାଉଣ୍ଡର ମାନ୍ୟତାରେ ଜିମ୍ବାୱେର ସେନ୍‌ ୱିଲିୟମ୍‌ସ ଶ୍ରେଷ୍ଠ ୧୦ଜଣଙ୍କ ମଧ୍ୟରେ ସ୍ଥାନ ପାଇଥିବା ବେଳେ ପାକିସ୍ତାନର ସାଦାବ୍‌ ଖାନ୍‌ ୧୦ଟି ସ୍ଥାନ ଉପରକୁ ଉଠି ୧୫ନଂରେ ରହିଛନ୍ତି।

Comments are closed.