ଆଇଏଏସ ସ୍ତରରେ ଅଦଳବଦଳ ; ଶାଶ୍ବତ ମିଶ୍ର ହେଲେ ଉଚ୍ଚ ଶିକ୍ଷା ବିଭାଗର ସଚିବ

0

-କ୍ରିଷନ କୁମାରଙ୍କୁ ଅତିରିକ୍ତ ପୂର୍ତ୍ତ ଦାୟିତ୍ବ,-ବଲ୍‌ୱନ୍ତ ସିଂହ ହେଲେ ବିଡିଏ ଉପାଧ୍ୟକ୍ଷ
-ବିଷ୍ଣୁଙ୍କୁ ଏସ୍‌ଆର୍‌ସି ସହ ବାଣିଜ୍ୟକର, ଜିଏସଟି,-ଶାଶ୍ବତ ମିଶ୍ରଙ୍କୁ ଦିଆଗଲା ଉଚ୍ଚଶିକ୍ଷା ଦାୟିତ୍ବ

prayash

ଭୁବନେଶ୍ୱର : ରାଜ୍ୟ ସରକାର ଶନିବାର ଆଇଏଏସ ସ୍ତରରେ ଅଦଳବଦଳ କରିଛନ୍ତି । ପ୍ରାୟ ୭ଜଣ ଆଇଏଏସଙ୍କ ବିଭାଗ ଅଦଳ ବଦଳ ସହିତ କେତେକ ଆଇଏଏସ ଅଧିକାରୀଙ୍କୁ ନିଜ ବିଭାଗ ସହ ଅନ୍ୟ କେତେକ ବିଭାଗର ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି । ଗତ ୨୮ତାରିଖରେ ପୂର୍ତ୍ତ ସଚିବ ପଦରୁ ନଳିନୀ ପ୍ରଧାନ ଇସ୍ତଫା ଦେଇଥିବାବେଳେ ତାଙ୍କ ସ୍ଥାନରେ ରସାନନ୍ଦ ସାହୁଙ୍କୁ ସଚିବ ଭାବେ ଅବସ୍ଥାପିତ କରାଯାଇଥିଲା। ଆଜି ଆଇଏଏସ ବଦଳି କ୍ରମରେ କ୍ରିଷନ କୁମାରଙ୍କୁ ତାଙ୍କ ନିଜ ବିଭାଗ ସହିତ ପୂର୍ତ୍ତ ବିଭାଗର ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି। ପୂର୍ତ୍ତ ସଚିବ ଭାବେ ମାତ୍ର ଦୁଇ ଦିନ କାର୍ଯ୍ୟ କରିଥିବା ରସାନନ୍ଦ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ ଆସନ୍ତା ଏପ୍ରିଲରେ ଅବସର ନେବାର ଥିଲା। ଇସ୍ତଫା ପରେ ରସାନନ୍ଦଙ୍କୁ ଓଡ଼ିଶା ଷ୍ଟାଫ୍‌ ସିଲେକ୍‌ସନ କମିସନ ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଛି। ସେ ଏହି ପଦରେ ଆସନ୍ତା ୫ବର୍ଷ ପାଇଁ କାର୍ଯ୍ୟ କରିବେ।
ଉଚ୍ଚଶିକ୍ଷା ବିଭାଗର ସଚିବ ସହିତ ସ୍ବତନ୍ତ୍ର ରିଲିଫ କମିସନର ଭାବେ ଅତିରିକ୍ତ ଦାୟିତ୍ବ, ଓସ୍‌ଡମାର ଏମ୍‌ଡି ଥିବା ବିଷ୍ଣୁପଦ ସେଠୀଙ୍କୁ ବାଣିଜ୍ୟକର ଓ ଜିଏସଟି କମିସନର ଭାବେ ବଦଳି କରାଯାଇଛି। ତେବେ ସେ ପୂର୍ବପରି ଏସଆରସି ଭାବେ ଅତିରିକ୍ତ ଦାୟିତ୍ବରେ ରହିବା ସହିତ ଓସ୍‌ଡମାର ପରିଚାଳନା ନିର୍ଦେଶକ ଦାୟିତ୍ବ ତୁଲାଇବେ।
ବାଣିଜ୍ୟକର ତଥା ଜିଏସଟି କମିସନର ସହିତ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଥିବା ଆଇଏଏସ ଶାଶ୍ବତ ମିଶ୍ରଙ୍କୁ ଉଚ୍ଚଶିକ୍ଷା ବିଭାଗର ସଚିବ ଭାବେ ବଦଳି କରାଯାଇଛି। ସମବାୟ ବିଭାଗର ସଚିବ ତଥା କୃଷି ବିଭାଗର ଅତିରିକ୍ତ ସଚିବ ଏବଂ ଓଡ଼ିଶା ପଣ୍ୟାଗାର ନିଗମ ଅଧ୍ୟକ୍ଷ ଥିବା ଡ. କ୍ରିଷନ କୁମାରଙ୍କୁ ତାଙ୍କ ନିଜ ଦାୟିତ୍ବ ସହିତ ପୂର୍ତ୍ତ ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି। ତେବେ କୃଷି ବିଭାଗର ସ୍ବତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ବରୁ ତାଙ୍କୁ ଅବ୍ୟାହତି ମିଳିଛି।
ମତ୍ସ୍ୟ ବିଭାଗର ନିର୍ଦେଶକ ପ୍ରଶାନ୍ତ କୁମାର ସେନାପତିଙ୍କୁ କଟକ ସ୍ଥିତ ରାଜସ୍ବ ପର୍ଷଦର ସଚିବ ଭାବେ ଅବସ୍ଥାପିତ କରାଯାଇଛି। ଶ୍ରୀ ସେନାପତି ଦାୟିତ୍ବ ଗ୍ରହଣ କରିବା ଦିନଠାରୁ ରାଜସ୍ବ ପର୍ଷଦର ସଚିବ ଭାବେ ଅତିରିକ୍ତ ଦାୟିତ୍ବରେ ଥିବା ଆଇଏଏସ ରତ୍ନାକର ରାଉତଙ୍କୁ ଏହି ପଦରୁ ଅବ୍ୟାହତି ମିଳିବ।
ତେବେ ପ୍ରାଣୀ ସମ୍ପଦ ବିଭାଗର ନିର୍ଦେଶକ ଥିବା ରତ୍ନାକର ରାଉତଙ୍କୁ ମତ୍ସ୍ୟ ବିଭାଗର ଅତିରିକ୍ତ ନିର୍ଦେଶକ ଦାୟିତ୍ବ ଦିଆଯାଇଛି।
ବୈଷୟିକ ଶିକ୍ଷା ଓ ତାଲିମ ବିଭାଗ ନିର୍ଦେଶକ ପଦ ସହିତ କୃଷି ବଜାର ବିଭାଗ ନିର୍ଦେଶକ ଓସମା ବୋର୍ଡ଼ର ସଦସ୍ୟ ସଚିବ ବଲୱନ୍ତ ସିଂହଙ୍କୁ ନିଜ ଦାୟିତ୍ବ ସହିତ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷଙ୍କ ଉପାଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି।
ଆଇଏଫଏସ ପ୍ରେମକୁମାର ଝାଙ୍କୁ ପୂର୍ବରୁ ବିଡିଓ ଉପାଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଥିଲା। ନୂଆ ନିର୍ଦେଶନାମା ଅନୁସାରେ ବଲୱନ୍ତ ସିଂହ ବିଡିଏରେ ଯୋଗଦେବା ଦିନଠାରୁ ଶ୍ରୀ ଝା ବିଡିଏ ଦାୟିତ୍ବରୁ ମୁକ୍ତ ହେବେ।
ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସ୍ବତନ୍ତ୍ର ପ୍ରକଳ୍ପର ଭାରପ୍ରାପ୍ତ ନିର୍ଦେଶକ ସହିତ ବିଜୁ ଯୁବ ବାହିନୀର ମୁଖ୍ୟ କାର୍ଯ୍ୟନିବାହୀ ଏବଂ ଷ୍ଟେଟ ଇନଷ୍ଟିଚ୍ୟୁଟ ଅଫ ରୁରାଲ ଡ଼େଭଲପମେଣ୍ଟର ନିର୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବରେ ଥିବା ପ୍ରେମଚନ୍ଦ୍ର ଚଉଧାରୀଙ୍କୁ ବୈଧ ମାପ ବିଜ୍ଞାନ ଓ ଖାଉଟି ବ୍ୟାପାର ବିଭାଗ ନିର୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି। ଶ୍ରୀ ଚଉଧାରୀଙ୍କୁ ଖାଦ୍ୟ ଓ ଯୋଗାଣ ବିଭାଗ ଯୁଗ୍ମ ସଚିବ ପାହ୍ୟା ପ୍ରଦାନ କରାଯାଇଛି।

kalyan agarbati
Leave A Reply