ବଞ୍ଚିଛି ମାନବିକତା: ମୁସ୍ଲିମ୍ ଯୁବକ କଲେ ହିନ୍ଦୁଙ୍କ ଶବସତ୍କାର
ମାଙ୍ଗାଲୁରୁ: ସାମ୍ପ୍ରଦାୟିକ ହିଂସା ଯୋଗୁଁ ଭାରତ ଏକ ଲଜ୍ଜାଜନକ ସ୍ଥିତିର ସମ୍ମୁଖୀନ ହେଉଥିବା ବେଳେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ମାଙ୍ଗାଲୁରୁରେ। ମାନବିକତା ଆଜି ବି ବଞ୍ଚିଛି ଏହି ସନ୍ଦେଶ ଦେଇଛନ୍ତି ସଂଖ୍ୟା ଲଘୁ ସମ୍ପ୍ରଦାୟର ଯୁବବର୍ଗ। ସେଠାରେ ଜଣେ ହିନ୍ଦୁ ମହିଳାଙ୍କ ଶବ ସତ୍କାର କରିଛନ୍ତି ଦଳେ ମୁସ୍ଲିମ୍ ଯୁବକ।
ସ୍ଥାନୀୟ ଜନବସ୍ତି କଲୋନୀରେ ଶନିବାର ଭବାନୀ ନାମ୍ନୀ ଜଣେ ୫୨ ବର୍ଷୀୟ ମହିଳାଙ୍କ ହୃଦ୍ଘାତରେ ମୃତ୍ୟୁ ଘଟିଥିଲା। ସେ ଅବିବାହିତ ଓ ଗରିବ ଥିଲେ। ଶବ ସତ୍କାରରେ ସହାୟତା ପାଇଁ ଭବାନୀଙ୍କ ଭାଇ କ୍ରିଷ୍ଣା ସାହି ପଡ଼ିଶା ଓ ସମ୍ପର୍କୀୟଙ୍କୁ ଅନୁରୋଧ କରିଥିଲେ। ମାତ୍ର କାହାର ଦେଖା ନଥିଲା। ସନ୍ଧ୍ୟା ପର୍ଯ୍ୟନ୍ତ ଘରେ ଶବ ପଡ଼ି ରହିଥିଲା। ଶେଷରେ ସହାୟତାର ହାତ ବଢ଼ାଇଥିଲେ ସୌକତ, ହମ୍ଜା, ନଜୀର, ରିୟାଜ୍ ଓ ଫାରୁକ୍, ସାଫିଆ, ଜୁବାଦିଆ। ସେମାନେ ଅର୍ଥ ସଂଗ୍ରହ କରିବା ସହିତ ଶବ ସତ୍କାର ପାଇଁ ସହାୟତା କରିଥିଲେ।