ନାବାଳକ ମୃତ୍ୟୁ ଘଟଣାର ଏଚଆରପିସି ତଦନ୍ତ ଆରମ୍ଭ
ବାଲିଆପାଳ/ମଧୁପୁରା: ବାଲିଆପାଳର ରାଜଧାନୀ ଢାବାରେ ଗତ ୨୬ ତାରିଖରେ ଜଣେ ନାବାଳକର ମୃତ୍ୟୁ ଘଟଣାରେ ଏଚଆରପିସି ତଦନ୍ତ ଆରମ୍ଭ ହୋଇଛି। ପୁଲିସ ଡିଜି ଡ. ରାଜେନ୍ଦ୍ର ଶର୍ମାଙ୍କ ନିର୍ଦ୍ଦେଶରେ ଡିଏସପି ରଣଜିତ କୁମାର ନାୟକଙ୍କ ନେତୃତ୍ୱରେ ଆସିଥିବା ଏହି ୫ ଜଣିଆ ଟିମ ବାଲିଆପାଳ ଥାନାକୁ ଯାଇ ଆଇଆଇସି ପ୍ରଭୁ କଲ୍ୟାଣ ଆଚାର୍ୟ୍ୟଙ୍କୁ ସେଦିନର ଘଟଣା ବିଷୟରେ ପଚରାଉଚରା କରିଥିଲେ। ଏହି ଟିମ ମଧ୍ୟ ଥାନାରେ ଉପସ୍ଥିତ ଥିବା ବସ୍ତା ଏସଡିପିଓ ରଣଜିତ କୁମାର ପୃଷ୍ଟିଙ୍କୁ ଘଟଣା ସଂପର୍କରେ ପଚାରି ବୁଝିଥିଲେ। ପରେ ଏହି ଟିମ ଅପରାହ୍ଣରେ ରାଜଧାନୀ ଢାବାରେ ପହଞ୍ଚି ଥିଲେ। ନାବାଳକ ମୃତ୍ୟୁର କାରଣ ଜାଣିବା ପାଇଁ ଏହି ଟିମ ପୋଡି ଯାଇଥିବା ଢାବାର ପାରିପାର୍ଶ୍ବିକ ସ୍ଥିତିକୁ ଅନୁଧ୍ୟାନ କରିବା ସହ ଢାବା ନିକଟରେ ରହୁଥିବା କିଛି ପରିବାରର ଲୋକଙ୍କୁ ଏ ବିଷୟରେ ପଚାରି ବୁଝିଥିଲେ। ଏହାପରେ ଏହି ଟିମ ମୃତ ନାବାଳକ ବିଜୟ ଦଳାଇର ଗାଁ ଉଲୁଡାକୁ ଯାଇ ତଦନ୍ତ କରିଛନ୍ତି।
ଏହି ଟିମ ଅଟକ ଥିବା ଦୁଇ ଢବା କର୍ମଚାରୀଙ୍କୁ ମଧ୍ୟ ପଚରାଉଚରା କରିଛି। ପରିବାର ଲୋକଙ୍କୁ ନଜଣାଇ ଶବ ବ୍ୟବଚ୍ଛେଦ କରାଯାଇଥିବା ଘଟଣା, ଗଣ୍ଡଗୋଳ ସମୟରେ ଉଠା ଯାଇଥିବା ବିଭିନ୍ନ ଭିଡିଓ କ୍ଲିପ, ସିସିଟିଭି ଫୁଟେଜ, ସ୍ଥାନୀୟ ଲୋକଙ୍କ ମତାମତକୁ ତଦନ୍ତ ପରିସରକୁ ନିଆଯିବ ବୋଲି ଏହି ଟିମ ସୂଚନା ଦେଇଛି। ଟିମରେ ଏଚଆରପିସିର ଅତିରିକ୍ତ ଏସପି ସତ୍ୟନାରାୟଣ ଦାସ, ଏଏସଆଇ ପର୍ଶୁରାମ ପାଇକରାୟ, ସଦାନନ୍ଦ କଅଁର ପ୍ରମୁଖ ସାମିଲ ଅଛନ୍ତି। ଆଜି ମଧ୍ୟ ମୁଖ୍ୟ ଅଭିଯୁକ୍ତ ଢାବା ମାଲିକଙ୍କୁ ପୁଲିସ ଗିରଫ କରିପାରିନାହିଁ। ଅପରପକ୍ଷରେ ବାଲିଆପାଳରେ ଉତ୍ତେଜନା ଥମି ଥିଲେ ହେଁ ବିଭିନ୍ନ ଛକ ଏବଂ ଜନଗହଳିପୂର୍ଣ୍ଣ ସ୍ଥାନରେ ପୁଲିସ ନିୟୋଜିତ ଅଛନ୍ତି।
Comments are closed.