ହୋଲି ବଜାରରେ ଚୀନ୍‌ ସାମଗ୍ରୀ ଚାହିଦା ହ୍ରାସ

ନୂଆଦିଲ୍ଲୀ : ହୋଲି ବଜାରରେ ଚଳିତଥର ଚୀନ୍‌ ସାମଗ୍ରୀର ଚାହିଦା ହ୍ରାସ ପାଉଥିବା ବ୍ୟବସାୟୀଙ୍କ ସୂତ୍ରରୁ ଜଣାପଡ଼ିଛି। ଅନ୍ୟପକ୍ଷରେ ଭାରତରେ ପ୍ରସ୍ତୁତର ଚାହିଦା ବେଶ୍‌ ବଢ଼ିଯାଇଥିବା ଚର୍ଚ୍ଚା ହେଉଛି।
ହୋଲି ନିମନ୍ତେ ଦୋକାନରେ ରଙ୍ଗ, ଅବିର, ବିଭିନ୍ନ ପ୍ରକାର ପିଚକାରି ଆଦି ଭର୍ତ୍ତି ହୋଇଗଲାଣି। ତେବେ ପୂର୍ବରୁ ଏସବୁ ବଜାରରେ ଚୀନ୍‌ ସାମଗ୍ରୀର ଚାହିଦା ବେଶ୍‌ ରହିଥିବା ବେଳେ ଚଳିତଥର ଏଥିରେ ହ୍ରାସ ପରିଲକ୍ଷିତ ହୋଇଛି। ଅନ୍ୟପକ୍ଷରେ ଭାରତରେ ପ୍ରସ୍ତୁତ ସାମଗ୍ରୀ କିଣିବାକୁ ଗ୍ରାହକଙ୍କ ମଧ୍ୟରେ ଆଗ୍ରହ ବୃଦ୍ଧି ପାଉଥିବା ଦିଲ୍ଲୀସ୍ଥିତ ସଦର ବଜାରର ଜଣେ ବ୍ୟବସାୟୀ କହିଛନ୍ତି। ବର୍ତ୍ତମାନ ସମୟରେ କେତେକ ଭାରତୀୟ କମ୍ପାନୀ ହୋଲିରେ ବ୍ୟବହାର କରାଯାଉଥିବା ସାମଗ୍ରୀ ପ୍ରସ୍ତୁତ କରୁଥିବା ବେଳେ ସେମାନଙ୍କ ସରଞ୍ଜାମର ଚାହିଦା କାହିଁରେ କ’ଣ ବୋଲି ଅନେକ ବ୍ୟବସାୟୀ କହିଛନ୍ତି। ବଜାରକୁ ଆସୁଥିବା ଲୋକେ ସିଧାସଳଖ ଭାରତୀୟ ସାମଗ୍ରୀ ଦେବାକୁ କହୁଥିବା ବ୍ୟବସାୟୀମାନେ ମତ ଦେଇଛନ୍ତି। ରଙ୍ଗ, ପିଚକାରି କିଣିବାକୁ ଯାଇଥିବା ଜଣେ ବ୍ୟକ୍ତି ନିଜ ପ୍ରତିକ୍ରିୟାରେ କହିଥିଲେ ଭାରତରେ ପ୍ରସ୍ତୁତ ସାମଗ୍ରୀ ପ୍ରଦାନ କରିବାକୁ ସେ ଦୋକାନୀ କହିଥିଲେ। ଦୋକାନୀ ମଧ୍ୟ ତାଙ୍କ କଥା ଅନୁଯାୟୀ କେବଳ ଭାରତୀୟ ସାମଗ୍ରୀ ପ୍ରଦାନ କରିଥିଲେ। ଅନ୍ୟ ଜଣେ ଗ୍ରାହକ କହିଥିଲେ ପୂର୍ବରୁ ହୋଲିରେ ବ୍ୟବହାର ପାଇଁ ଚୀନ୍‌ ସାମଗ୍ରୀ ଉପରେ ନିର୍ଭରଶୀଳ ହେବାକୁ ପଡ଼ୁଥିଲା। ତେବେ ବର୍ତ୍ତମାନ ସମୟରେ ପରିବର୍ତ୍ତନ ଆସିଛି। ଭାରତରେ ନିର୍ମିତ ଅନେକ ସାମଗ୍ରୀ ବଜାରରେ ମିଳୁଥିବା ବେଳେ ଚୀନ୍‌ରେ ନିର୍ମିତ ସାମଗ୍ରୀ ପ୍ରାୟତଃ ଦେଖିବାକୁ ମିଳୁ ନାହିଁ। ଭାରତରେ ନିର୍ମିତ ସାମଗ୍ରୀର ମାନ ଭଲ ହୋଇଥିବାରୁ ତାହାକୁ କିଣିବାକୁ ଗ୍ରାହକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଛି।

Comments are closed.