ହୀରାକୁଦ ଜଳଭଣ୍ଡାରର ବଳକା ଜମି ଆବଣ୍ଟନ

0

ସମ୍ବଲପୁର,୨ା୭(ବିରାଜ ମିଶ୍ର)–ହୀରାକୁଦ ଜଳଭଣ୍ଡାର ପରିସରରେ ଅବ୍ୟବହୃତ ଅବସ୍ଥାରେ ଥିବା ବଳକା ଜମିକୁ ବିସ୍ଥାପିତ ପରିବାରଙ୍କୁ ଚାଷ ପାଇଁ ଲିଜ୍‍ରେ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏ ଦିଗରେ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ଚାରି ଜିଲାର ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ପୁରୁଣା ନଥିପତ୍ର ଏବେ ମିଳୁ ନ ଥିବାରୁ ପ୍ରକୃତ ହିତାଧିକାରୀ ଚିହ୍ନଟ କରା ଯାଇ ପାରୁନାହିଁ ବୋଲି ଜଣାପଡ଼ିଛି। ବରଗଡ଼, ସୋନପୁର, ସମ୍ବଲପୁର ଓ ଝାରସୁଗୁଡ଼ା ତହସିଲ କାର୍ଯ୍ୟାଳୟ ସ୍ତରରେ ହିତାଧିକାରୀ ଚିହ୍ନଟ କରି ସେମାନଙ୍କୁ ଜମି ଆବଣ୍ଟନ କରି ପଟ୍ଟା ଦେବାକୁ ରାଜ୍ୟ ସରକାର ସ୍ଥିର କରିଛନ୍ତି। କିନ୍ତୁ ଜମି କାହାକୁ ଦିଆଯିବ ଯେତେବେଳେ ଜଣା ନାହିଁ ଜମି ଆବଣ୍ଟନ କିପରି କରାଯାଇ ପାରିବ ତାହା ମୁଖ୍ୟ ପ୍ରଶ୍ନ ହୋଇଛି। ଏହି ପ୍ରସଙ୍ଗରେ ସମ୍ବଲପୁର ଜିଲା ପ୍ରଶାସନ ନିଜ ସ୍ଥିତି ସ୍ପଷ୍ଟ କରିଛି। ଏବେ ହିତାଧିକାରୀ ଚିହ୍ନଟ ଚାଲିଛି ବୋଲି କହିଛନ୍ତି ଜିଲାପାଳ ସମର୍ଥ ବର୍ମା। ରାଜସ୍ୱ ବିଭାଗର ମୁଖ୍ୟ ସଚିବ ୪ ଜିଲାର ଜିଲାପାଳଙ୍କୁ ଏ ସଂପର୍କୀତ ଚିଠି ପ୍ରଦାନର ଠିକ ଏକ ମାସ ପରେ ଜୁନ ୫ ତାରିଖରେ ସାର୍ବଜନୀନ ନୋଟିସ ଜାରି କରି ହୀରାକୁଦ ବିସ୍ଥାପିତ ଅଥବା ସେମାନଙ୍କ ଉତ୍ତରାଧିକାରୀମାନଙ୍କଠାରୁ ଜୁନ ୨୫ ତାରିଖ ପର୍ଯ୍ୟନ୍ତ ଦରଖାସ୍ତ ଆହ୍ୱାନ କରାଯାଇଥିଲା। ଏହି ମାମଲା ବହୁତ ପୁରୁଣା ହୋଇଥିବାରୁ ହିତାଧିକାରୀ ଚିହ୍ନଟରେ ସମୟ ଲାଗୁଛି ଏବଂ ଶୀଘ୍ର ହିତାଧିକାରୀଙ୍କୁ ଚିହ୍ନଟ କରି ସରକାରଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯିବ ବୋଲି ଜିଲାପାଳ ଶ୍ରୀ ବର୍ମା କହିଛନ୍ତି।
ସମ୍ବଲପୁର ସଦର ତହସିଲ କାର୍ଯ୍ୟାଳୟ ନିର୍ଦ୍ଧାରିତ ସମୟରେ କେତେ ଜଣ ହିତାଧିକାରୀ ଆବେଦନ କରିଛନ୍ତି ସୂଚନା ଦେଇ ପାରିନାହିଁ। ତେବେ ଏ ପର୍ଯ୍ୟନ୍ତ ଆବେଦନ ପତ୍ରଗୁକିକର ଯାଞ୍ଚ ଆରମ୍ଭ ହୋଇନାହିଁ ବୋଲି ଅତିରିକ୍ତ ତହସିଲଦାର ମାନସ ରଞ୍ଜନ ସ୍ୱାଇଁ କହିଛନ୍ତି। ସେହିଭଳି ରେଙ୍ଗାଲି ତହସିଲ କାର୍ଯ୍ୟାଳୟରେ ନୂଆ ଓ ପୁରୁଣା ମିଶାଇ ୬୩୯ଟି ଦରଖାସ୍ତ ମିଳିଛି। ସେଥିରୁ ୮୦ଟି ଦରଖାସ୍ତ ଯାଞ୍ଚ କରାଯାଇଛି। ୧୨ ଜଣ ହିତାଧିକାରୀ ଚିହ୍ନଟ ହୋଇଛନ୍ତି ବୋଲି ରେଙ୍ଗାଲି ତହସିଲଦାର ଦିଲୀପ ପ୍ରଧାନ ସୂଚନା ଦେଇଛନ୍ତି। କିନ୍ତୁ ସୋମବାରରୁ ରାଜସ୍ୱ ନିରୀକ୍ଷକମାନେ କାର୍ଯ୍ୟବନ୍ଦ କରିଥିବାରୁ ଯାଞ୍ଚ ପ୍ରକ୍ରିୟା ଏବେ ବନ୍ଦ ଅଛି। ଯାଞ୍ଚ କେବେ ସରିବ ତାହା ଏବେଠାରୁ କହି ହେବ ନାହିଁ। ଏହି ମାମଲା ବହୁ ପୁରୁଣା ହୋଇଥିବାରୁ ଏବେ ଅନେକ ରେକର୍ଡପତ୍ର ମିଳୁ ନାହିଁ। ଅନେକ ସ୍ଥାନରେ ପ୍ରକୃତ ହିତାଧିକାରୀ ଚିହ୍ନଟ କରିବାରେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି ବୋଲି ତହସିଲଦାର ଶ୍ରୀ ପ୍ରଧାନ କହିଛନ୍ତି।
ସୂଚନାଯୋଗ୍ୟ ଯେ, ରାଜସ୍ୱ ବିଭାଗର ମୁଖ୍ୟ ସଚିବ ଗତ ମଇ ୫ ତାରିଖରେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଏବଂ ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼ ଓ ସୋନପୁର ଜିଲାପାଳଙ୍କୁ ଚିଠି ଲେଖି ହୀରାକୁଦ ଜଳଭଣ୍ଡାର ମଧ୍ୟରେ ଥିବା ବଳକା ଜମିକୁ ବିସ୍ଥାପିତ ପରିବାରମାନଙ୍କୁ ଚାଷ ପାଇଁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ପ୍ରକ୍ରିୟା ଜୁନ ୩୦ ସୁଦ୍ଧା ସାରିବାକୁ କୁହାଯାଇଥିଲା। ନିର୍ଦ୍ଧାରିତ ତାରିଖ ମଧ୍ୟରେ ପ୍ରକ୍ରିୟା ଶେଷ ନ ହେଲେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚିଠିରେ ସ୍ପଷ୍ଟ ଉଲ୍ଲେଖ କରାଯାଇଥିଲା। କିନ୍ତୁ ନିର୍ଦ୍ଧରୀତ ସମୟସୀମା ଶେଷ ହୋଇ ଯାଇଥିଲେ ମଧ୍ୟ କୌଣସି ଜିଲା ପ୍ରଶାସନ ଏହି କାର୍ଯ୍ୟ ଶେଷ କରି ପାରିନାହାନ୍ତି। ନଥିପତ୍ର ଉପଲବ୍ଧ ହେଉନଥିବାରୁ ଏହି କାର୍ଯ୍ୟ ଆଗେଇ ପାରୁନାହିଁ ବୋଲି ସପେଇ ଦିଆଯାଉଛି। ତେଣୁ ଏଭଳି ପରିସ୍ଥିତିରେ ଦାୟୀ ଅଧିକାରୀମାନଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛିି ତାହା ଦେଖିବାକୁ ବାକି ଅଛି। ତେବେ ହୀରାକୁଦ ଜଳଭଣ୍ଡାର ପାଇଁ ନିଜ ଭିଟାମାଟି ଛାଡ଼ି ୭୦ ବର୍ଷରୁ ଅଧିକ ସମୟ ହେଲା ବିସ୍ଥାପିତ ଜୀବନ ନିର୍ବାହ କରୁଥିବା ୨୨ ହଜାରରୁ ଅଧିକ ପରିବାରଙ୍କ ପାଇଁ ପ୍ରଶାସନ କେତେ ସଚେତନ, ଏଥିରୁ ସ୍ପଷ୍ଟ ଅନୁମେୟ।

kalyan agarbati
Leave A Reply