ହିନ୍ଦୁ ମୌଳବାଦୀଙ୍କ ବିରୋଧରେ ଅନ୍ୟ ୬ଟି ଆତଙ୍କବାଦ ମାମଲା

0

ହାଇଦ୍ରାବାଦ୍‌ ମକ୍କା ମସ୍‌ଜିଦ୍‌ ବିସ୍ଫୋରଣ ମାମଲା ପୁନଃ ହିନ୍ଦୁ ମୌଳବାଦୀଙ୍କ ବିରୋଧରେ ଥିବା ଆତଙ୍କବାଦ ମାମଲାର ସ୍ମୃତିକୁ ଉଜ୍ଜୀବିତ କରିଛି। ଏହି ମାମଲା ସମେତ ଅନ୍ୟ ୬ଟି ଆତଙ୍କବାଦ ମାମଲାର ତଦନ୍ତ ଦାୟିତ୍ୱ ମଧ୍ୟ ଏନ୍‌ଆଇଏକୁ ଦିଆଯାଇଥିଲା। ସମସ୍ତ ମାମଲାରେ ହିନ୍ଦୁ ମୌଳବାଦୀଙ୍କୁ ଅଭିଯୁକ୍ତ କରାଯାଇଥିଲା। ତିନୋଟି ମାମଲାର ତଦନ୍ତ ଏବଂ ଶୁଣାଣି ଶେଷ ହୋଇଛି। ଅନ୍ୟ ୩ଟିରେ ଏନ୍‌ଆଇଏ ଏହାର ଅଭିଯୋଗ ଫର୍ଦ ଦାଖଲ କରିସାରିଥିବା ବେଳେ ଶୁଣାଣି ପାଇଁ ମାମଲା ପଡିରହିଛି।
ମାଲେଗାଓଁ ବିସ୍ଫୋରଣ: ମହାରାଷ୍ଟ୍ର ନାସିକ୍‌ ଜିଲା ଅନ୍ତର୍ଗତ ମାଲେଗାଓଁଠାରେ ୨୦୦୬ ସେପ୍ଟେମ୍ବର ୮ରେ ଶକ୍ତିଶାଳୀ ବିସ୍ଫୋରଣ ଘଟି ୩୮ ଜଣ ଲୋକ ପ୍ରାଣ ହରାଇଥିଲେ। ଏହି ମାମଲାରେ ୯ ଜଣଙ୍କ ବିରୋଧରେ ଏନ୍‌ଆଇଏ ଏବଂ ଏଟିଏସ୍‌ ଅଭିଯୋଗ ଫର୍ଦ ଦାଖଲ କରିଥିବାବେଳେ ୨୦୧୧ରେ ଏନ୍‌ଆଇଏ ହିନ୍ଦୁ ମୌଳବାଦୀଙ୍କ ବିରୋଧରେ ଚାର୍ଜସିଟ୍‌ କରିଥିଲା। ଫଳରେ ମାମଲାର ମୁସଲମାନ ଅଭିଯୁକ୍ତ ଜାମିନରେ ମୁକୁଳିବାର ପଥ ପରିଷ୍କାର ହୋଇଥିଲା। ଏଯାବତ୍‌ ମାମଲାର ଶୁଣାଣି ଆରମ୍ଭ ହୋଇ ନାହିଁ।
ସମ୍‌ଝୌତା ଏକ୍ସପ୍ରେସ୍‌ ବିସ୍ଫୋରଣ: ୨୦୦୭ ଫେବୃଆରୀ ୧୮ରେ ହରିଆଣାର ପାନିପତ୍‌ ଅନ୍ତର୍ଗତ ନେୱାନା ରେଳଷ୍ଟେସନ୍‌ ନିକଟରେ ସମ୍‌ଝୌତା ଏକ୍ସପ୍ରେସ୍‌ରେ ବୋମା ବିସ୍ଫୋରଣ ଘଟି ୬୮ ଲୋକଙ୍କ ମୃତ୍ୟୁ ଘଟିଥିଲା। ହିନ୍ଦୁ ମୌଳବାଦୀଙ୍କ ବିରୋଧରେ ଏନ୍‌ଆଇଏର ଅଭିଯୋଗଫର୍ଦ ଦାଖଲ ପରେ ଶୁଣାଣି ଜାରି ରହିଛି।
ଆଜମେର୍‌ ସରିଫ୍‌ ଦର୍‌ଘା ବିସ୍ଫୋରଣ: ରାଜସ୍ଥାନର ଆଜ୍‌ମେରସ୍ଥିତ ଖ୍ୱାଜା ମୈନୁଦ୍ଦିନ ଚିସ୍ତି ଦର୍‌ଘାଠାରେ ୨୦୦୭ ଅକ୍ଟୋବର ୧୧ରେ ବିସ୍ଫୋରଣ ଘଟି ତିନି ଜଣଙ୍କ ଜୀବନ ହାନି ହୋଇଥିଲା। ୧୨ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଥିଲେ। ଏହି ମାମଲାରେ ୧୩ ଜଣଙ୍କୁ ଅଭିଯୁକ୍ତ କରାଯାଇଥିବା ବେଳେ ଏମାନଙ୍କ ମଧ୍ୟରୁ ୩ ଜଣ ଫେରାର ଅଛନ୍ତି। ଅନ୍ୟ ଜଣେ ଅଭିଯୁକ୍ତ ତଥା ଆର୍‌ଏସ୍‌ଏସ୍‌ର ପୂର୍ବତନ ପ୍ରଚାରକ ସୁନୀଲ ଯୋଶୀଙ୍କର ମୃତ୍ୟୁ ଘଟିଛି। ଅନ୍ୟ ୯ ଅଭିଯୁକ୍ତଙ୍କ ବିରୋଧରେ ଶୁଣାଣି ଶେଷ ହୋଇଛି। କେବଳ ମୃତ ଯୋଶୀଙ୍କ ସମେତ ଦେବେନ୍ଦ୍ର ଗୁପ୍ତା ଏବଂ ଭବେଶ ପଟେଲ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଗୁପ୍ତା ଓ ପଟେଲଙ୍କୁ କୋର୍ଟ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି।
ସୁନୀଲ ଯୋଶୀଙ୍କ ହତ୍ୟା ମାମଲା: ଆର୍‌ଏସ୍‌ଏସ୍‌ର ପୂର୍ବତନ ପ୍ରଚାରକ ସୁନୀଲ ଯୋଶୀଙ୍କ ନେତୃତ୍ୱରେ ପ୍ରଜ୍ଞା ସିଂହ ଠାକୁର, ଲୋକେଶ ଶର୍ମା ଏବଂ ଅସୀମାନନ୍ଦଙ୍କ ସମେତ କିଛି ମୌଳବାଦୀଙ୍କୁ ନେଇ ଏକ ହିନ୍ଦୁ ସଂଗଠନ ଗଢିଉଠିଥିଲା। ଯୋଶୀ ୨୦୦୭ ଡିସେମ୍ବର ୨୯ରେ ମଧ୍ୟପ୍ରଦେଶର ଦେୱାସ୍‌ ଅନ୍ତର୍ଗତ ନିଜ ଆଶ୍ରୟସ୍ଥଳକୁ ଯାଉଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିଥିଲେ। କିନ୍ତୁ ଯୋଶୀଙ୍କ ବ୍ୟବହାର ଏବଂ କାର୍ଯ୍ୟଧାରାରେ ଅସନ୍ତୁଷ୍ଟ ଥିବା ତାଙ୍କ ନିଜ ଲୋକମାନେ ତାଙ୍କୁ ହତ୍ୟା କରିଥିବା ଏନ୍‌ଆଇଏ ଏହାର ତଦନ୍ତ ରିପୋର୍ଟରେ ଦର୍ଶାଇଥିଲା। ୨୦୧୭ ଫେବୃଆରୀ୧ରେ ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରଜ୍ଞା ସିଂହ ଠାକୁରଙ୍କ ସମେତ ସମସ୍ତ ୮ ଅଭିଯୁକ୍ତ ଦୋଷମୁକ୍ତ ହୋଇଥିଲେ।
ମାଲେଗାଓଁ ଓ ମୋଡାସା ବିସ୍ଫୋରଣ ମାମଲା: ମହାରାଷ୍ଟ୍ରର ମାଲେଗାଓଁ ଏବଂ ଗୁଜରାଟର ମୋଡାସାଠାରେ ୨୦୦୮ ସେପ୍ଟେମ୍ବର ୨୯ରେ ଦ୍ୱୈତ ବିସ୍ଫୋରଣ ଘଟିଥିଲା। ଏଥିରେ ୮ ଜଣ ପ୍ରାଣ ହରାଇଥିଲେ। ମାଲେଗାଓଁ ମାମଲାରେ ମହାରାଷ୍ଟ୍ର ଏଟିଏସ୍‌ ପ୍ରଜ୍ଞା ଠାକୁର ଏବଂ ଭାରତୀୟ ସେନାର ଜଣେ ପୂର୍ବତନ ଅଧିକାରୀ ପ୍ରସାଦ ଶ୍ରୀକାନ୍ତ ପୁରୋହିତ୍‌ଙ୍କୁ ଅଭିଯୁକ୍ତ କରିଥିଲା। କିନ୍ତୁ ପରେ ଏନ୍‌ଆଇଏ ମାମଲାର ତଦନ୍ତ କରି ଏହି ଅଭିଯୋଗ ପ୍ରତ୍ୟାହାର କରିନେଇଥିଲା। ସ୍ୱତନ୍ତ୍ର କୋର୍ଟରେ ମାମଲା ପଡିରହିଛି। ଅନ୍ୟପଟେ ପ୍ରମାଣର ଅଭାବ ଥିବା ଦର୍ଶାଇ ମୋଡାସା ବିସ୍ଫୋରଣ ମାମଲାକୁ ଏନ୍‌ଆଇଏ ବନ୍ଦ କରିଦେଇଛି।

Leave A Reply