୨୪ ହାଇକୋର୍ଟରେ ୪୨.୬୯ଟି ମାମଲା ବିଚାରାଧୀନ

0

ନୂଆଦିଲ୍ଲୀ : ଦେଶର ୨୪ଟି ହାଇକୋର୍ଟରେ ୪୨.୬୯ ଲକ୍ଷ ମାମଲା ବିଚାର ଅପେକ୍ଷାରେ ରହିଛି। ସେଗୁଡିକ ମଧ୍ୟରୁ ୧୦ ଲକ୍ଷରୁ ଊର୍ଦ୍ଧ୍ବ ମାମଲା ଗତ ୧୦ ବର୍ଷ ହେବ ପଡିରହିଛି। ଏହି ଦଶ ଲକ୍ଷ ମାମଲା ମଧ୍ୟରୁ ଅଧିକାଂଶ ଗତ ୨୦ ବର୍ଷରୁ ଊର୍ଦ୍ଧ୍ବ ସମୟ ହେବ ପଡିରହିଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ଅନ୍ୟ ହାଇକୋର୍ଟଗୁଡିକ ତୁଳନାରେ ଆଲ୍ଲାହାବାଦ୍‌ ହାଇକୋର୍ଟରେ ସର୍ବାଧିକ ମାମଲା ବିଚାର ନ ହୋଇ ରହିଥିବା ରିପୋର୍ଟରେ ଦର୍ଶାଯାଇଛି। ଦେଶର ସବୁଠାରୁ ବୃହତ୍‌ ହାଇକୋର୍ଟ ଭାବେ ଜଣାଶୁଣା ଏହି ମୁଖ୍ୟ ଅଦାଲତରେ ୨.୬୭ ଲକ୍ଷ ମାମଲା ବିଚାର ନ ହୋଇ ରହିଛି, ଯାହାକି ଏଠାକାର ମୋଟ ମାମଲା ସଂଖ୍ୟାର ୩୮%। ମୁମ୍ବଇ, ପଞ୍ଜାବ ଓ ହରିୟାଣା, କଲିକତା, ରାଜସ୍ଥାନ, ମଧ୍ୟପ୍ରଦେଶ, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ, ମାଡ୍ରାସ, ଓଡ଼ିଶା ଏବଂ ପାଟନା ହାଇକୋର୍ଟ ଯଥାକ୍ରମେ ବିଗତ ଦଶ ବର୍ଷ ମଧ୍ୟରେ ସର୍ବାଧିକ ମାମଲା ବିଚାର ନ କରି ପକାଇ ରଖିଥିବା କୁହାଯାଇଛି। ଆଇନର ବିଭିନ୍ନ ଧାରାକୁ ନେଇ ମତଭେଦ ତଥା ଅନ୍ୟାନ୍ୟ କାରଣ ଯୋଗୁ ଏହି ମାମଲାଗୁଡିକ ବହୁବାର ଏବଂ ଦୀର୍ଘ ସମୟ ଧରି ସ୍ଥଗିତ ରଖିବାକୁ ପଡିିଥିବା ଜଣାଯାଇଛି। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା, ସିପିସି ଏବଂ ସିଆର୍‌ପିସିରେ ସଂଶୋଧନ ଅନୁଯାୟୀ କୌଣସି ବିଚାରପତି ଅତ୍ୟାବଶ୍ୟକ ନ ହେଲେ କ୍ରମାଗତ ଭାବେ ଏବଂ ୩ ବର୍ଷରୁ ଊର୍ଦ୍ଧ୍ବ ସମୟ ପର୍ଯ୍ୟନ୍ତ ମାମଲାକୁ ସ୍ଥଗିତ ରଖିପାରିବେ ନାହିଁ। କିନ୍ତୁ ଅଧିକାଂଶ ମାମଲାଗୁଡିକ ବିଶେଷ କାରଣ ନ ଥାଇ ଏକ ଦଶନ୍ଧି ଧରି ପଡି ରହିଛି। ତେବେ ଦେଶର ସମସ୍ତ ହାଇକୋର୍ଟଗୁଡିକ ମିଳିତ ଭାବେ ପ୍ରତିମାସରେ ୧.୨୪ ଲକ୍ଷ ମାମଲାର ବିଚାର କରୁଛନ୍ତି। ଏଗୁଡିକ ମଧ୍ୟରୁ ୮,୦୦୦ ମାମଲା ପ୍ରାୟ ୧୦ ବର୍ଷ ପୁରୁଣା। ନ୍ୟାୟାଳୟଗୁଡିକରେ ବହୁ ମାମଲା ବିଚାର ନ ହୋଇ ପଡି ରହିବା ଘଟଣାକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବିଜେପି ନେତୃତ୍ୱାଧୀନ ସରକାରଙ୍କୁ ସମାଲୋଚନା କରିଥିଲେ। ବିଚାର ବିଭାଗକୁ ରାଜନୀତିଠାରୁ ଦୂରେଇ ରଖିବା ଉଚିତ୍‌ ବୋଲି ପ୍ରତ୍ୟୁତ୍ତରରେ ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଥିଲେ। ଫେସ୍‌ବୁକ୍‌ରୁ ତଥ୍ୟ ଚୋରି ପ୍ରସଙ୍ଗରେ କେମ୍ବ୍ରିଜ୍‌ ଆନାଲିଟିକାକୁ କେନ୍ଦ୍ର ନୋଟିସ୍‌ ଜାରି କରିବା ପରେ କଂଗ୍ରେସ ଭୀତତ୍ରସ୍ତ ହୋଇପଡିଛି ବୋଲି ସେ କହିଥିଲେ।

Leave A Reply