ଖଣି ଦୁର୍ନୀତି ମାମଲାରେ ହେମନ୍ତଙ୍କୁ ଆଶ୍ବସ୍ତି
ଝାଡ଼ଖଣ୍ଡ ହାଇକୋର୍ଟଙ୍କ ରାୟ ସୁପ୍ରିମକୋର୍ଟରେ ଖାରଜ
ନୂଆଦିଲ୍ଲୀ : ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଖଣି ଦୁର୍ନୀତିରେ ସଂପୃକ୍ତ ବୋଲି ଅଭିଯୋଗ ହୋଇଥିବା ବେଳେ ଏ ସଂକ୍ରାନ୍ତରେ ଶିବ କୁମାର ଶର୍ମା ନାମକ ଜଣେ ବ୍ୟକ୍ତିଙ୍କ ତରଫରୁ ଝାଡ଼ଖଣ୍ଡ ହାଇକୋର୍ଟରେ ଦୁଇଟି ଜନସ୍ବାର୍ଥ ମାମଲା ରୁଜୁ କରାଯାଇଥିଲା। ଏହି ଦୁଇଟି ଜନସ୍ବାର୍ଥ ମାମଲାକୁ ବିଚାରଯୋଗ୍ୟ ବୋଲି ଝାଡ଼ଖଣ୍ଡ ହାଇକୋର୍ଟ ରାୟ ଦେଇଥିଲେ। ଝାଡ଼ଖଣ୍ଡ ହାଇକୋର୍ଟଙ୍କ ରାୟ ବିରୋଧରେ ହେମନ୍ତ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ବେଳେ ସୋମବାର ସୁପ୍ରିମକୋର୍ଟଙ୍କ ପୀଠ ହାଇକୋର୍ଟଙ୍କ ରାୟକୁ ଖାରଜ କରିବା ସହ ଜନସ୍ବାର୍ଥ ମାମଲା ବିଚାରଯୋଗ୍ୟ ନୁହେଁ ବୋଲି ରାୟ ଶୁଣାଇଛନ୍ତି।
ସୂଚନାଥାଉ କି ଖଣି ଦୁର୍ନୀତି ନେଇ ଶିବ କୁମାର ଶର୍ମା ନାମକ ଜଣେ ବ୍ୟକ୍ତିଙ୍କ ଦ୍ବାରା ଝାଡ଼ଖଣ୍ଡ ହାଇକୋର୍ଟରେ ଦୁଇଟି ଜନସ୍ବାର୍ଥ ମାମଲା ରୁଜୁ କରାଯାଇଥିଲା। ଗୋଟିଏରେ ସୋରେନ ଓ ଅନ୍ୟ ତାଙ୍କ ପରିବାର ସଦସ୍ୟ ବିଭିନ୍ନ କମ୍ପାନୀ ଦ୍ବାରା ଖଣି ଦୁର୍ନୀତି କରି ବିପୁଳ ଅର୍ଥ ହାତେଇଥିବା ଓ ଅନ୍ୟଟିରେ ମୁଖ୍ୟମନ୍ତ୍ରୀ ପଦରେ ରହି ସୋରେନ ନିଜ ନାମରେ ଖଣି ଲିଜ୍ କରାଇଥିବା ଅଭିଯୋଗ ହୋଇଥିଲା। ଝାଡ଼ଖଣ୍ଡ ହାଇକୋର୍ଟ ଏହି ଦୁଇଟି ମାମଲାକୁ ବିଚାରଯୋଗ୍ୟ ବୋଲି ରାୟ ଦେବା ପରେ ଏହା ବିରୋଧରେ ହେମନ୍ତଙ୍କ ତରଫରୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା।
ମାମଲାର ବିଚାର ପରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ୟୁୟୁ ଲଳିତ, ବିଚାରପତି ରବୀନ୍ଦ୍ର ଭଟ୍ଟ ଓ ବିଚାରପତି ସୁଧାଂଶୁ ଧୂଲିଆ ଝାଡ଼ଖଣ୍ଡ ହାଇକୋର୍ଟଙ୍କ ରାୟକୁ ଖାରଜ କରି ଦେଇଥିଲେ। ସୂଚନାଥାଉକି ଗତ ଅଗଷ୍ଟରେ ଖଣି ଦୁର୍ନୀତି ନେଇ ଝାଡ଼ଖଣ୍ଡରେ ହୋଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇଥିଲେ। ଝାଡ଼ଖଣ୍ଡ ସରକାରଙ୍କ ତରଫରୁ ସୁପ୍ରିମକୋର୍ଟରେ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ କପିଳ ସିବଲ୍ ନିଜ ଯୁକ୍ତିରେ ଦର୍ଶାଇଥିଲେ ସମସ୍ତ କାଗଜପତ୍ର ଉପସ୍ଥାପନ ପୂର୍ବରୁ ଝାଡ଼ଖଣ୍ଡ ହାଇକୋର୍ଟ ଜନସ୍ବାର୍ଥ ମାମଲାକୁ ବିଚାରଯୋଗ୍ୟ ବୋଲି ଦର୍ଶାଇବା ଆଇନ ଦୃଷ୍ଟିରୁ ଗ୍ରହଣୀୟ ନୁହେଁ। ସେହିପରି ହେମନ୍ତ ସୋରେନ୍ଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ମୁକୁଲ ରସ୍ତୋଗୀ ନିଜ ଯୁକ୍ତିରେ ଜନସ୍ବାର୍ଥ ମାମଲାର ଗ୍ରହଣୀୟତାକୁ ନେଇ ପ୍ରଶ୍ନ ଉଠାଇଥିଲେ। ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ତରଫରୁ ମାମଲା ପରିଚାଳନା କରୁଥିବା ଅତିରିକ୍ତ ସଲିସିଟର ଜେନେରାଲ୍ ଏସ୍ଭି ରାଜୁ ସୁପ୍ରିମକୋର୍ଟ ପୀଠ ସମ୍ମୁଖରେ ଯୁକ୍ତି ଉପସ୍ଥାପନ କରି କହିଥିଲେ ବୈଷୟିକ ଦୃଷ୍ଟିକୋଣକୁ ଆଧାର କରି ଝାଡ଼ଖଣ୍ଡ ହାଇକୋର୍ଟରେ ରୁଜୁ ହୋଇଥିବା ଜନସ୍ବାର୍ଥ ମାମଲାକୁ ଖାରଜ କରାଯିବା ଅନୁଚିତ୍। ସମସ୍ତ ପକ୍ଷର ଯୁକ୍ତି ଶୁଣିବା ପରେ ସୁପ୍ରିମକୋର୍ଟଙ୍କ ପୀଠ ଝାଡ଼ଖଣ୍ଡ ହାଇକୋର୍ଟଙ୍କ ରାୟକୁ ଖାରଜ କରି ଦେଇଥିଲେ।
Comments are closed.