କଖଡି ସ୍ୱାସ୍ଥ୍ୟ ଉପକେନ୍ଦ୍ରର ଠିକଣା ପାଉନାହାନ୍ତି ଜନସାଧାରଣ

ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ପଡିବ କେବେ?

ଗୁରୁଡିଝାଟିଆ :  ଟାଙ୍ଗି-ଚୌଦ୍ୱାର ବ୍ଳକ ଓ ଆଠଗଡ ନିର୍ବାଚନ ମଣ୍ଡଳୀର କଖଡି ଏକ ଅଗ୍ରଣୀ ପଞ୍ଚାୟତ । ଭୌଗଳିକ ଦୃଷ୍ଟିରୁ ଦେଖିଲେ ଏହା ମହାନଦୀର କୂଳରେ ଅବସ୍ଥିତ ହୋଇଥିବା ବେଳେ ପୁରୁଣା-କଟକ ସମ୍ବଲପୁର ରାସ୍ତା ଗାଁ ମଝିରେ ଯାଇଛି । ରାଜ୍ୟ ସରକାର ଗାଁ ଗାଁରେ ସ୍ୱାସ୍ଥ୍ୟସେବା ପହଞ୍ଚାଇ ଲୋକମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ବ୍ୟାପକ ବ୍ୟବସ୍ଥା କରିବା ସହ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ଯେପରି ଗାଁ ସ୍ତରରୁ ରୋଗୀଙ୍କୁ ଚିହ୍ନଟ କରାଯାଇ ଚିକିତ୍ସା ସୁବିଧା ଯୋଗାଇଦିଆଯିବ । ସେଥିପାଇଁ ବିଭିନ୍ନ ପଞ୍ଚାୟତମାନଙ୍କରେ ସ୍ୱାସ୍ଥ୍ୟ ଉପକେନ୍ଦ୍ରମାନ ରହିଛି । ହେଲେ କଖଡି ପଞ୍ଚାୟତର କଖଡିରେ ସ୍ୱାସ୍ଥ୍ୟ ଉପକେନ୍ଦ୍ରର ଠିକଣା ଖୋଜି ପାଉନାହାନ୍ତି ଜନସାଧାରଣ । କହିବାକୁ ଗଲେ କଖଡିରେ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇନାହିଁ। ସ୍ଥାୟୀ ଗୃହ ନଥିବା ବେଳେ କେତେବେଳେ ସ୍ୱାସ୍ଥ୍ୟ କର୍ମଚାରୀମାନେ ଆସନ୍ତି ତାହା ମଧ୍ୟ ସାଧାରଣ ଲୋକ ଜାଣିପାରନ୍ତି ନାହିଁ। ପ୍ରକାଶଯୋଗ୍ୟ ଟାଙ୍ଗି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ କଖଡି ସ୍ୱାସ୍ଥ୍ୟ ଉପକେନ୍ଦ୍ର ରହିଛି । କୌଣସି କର୍ମଚାରୀ କାଁ ଭାଁ ମାସରେ ଆସି ଏକ ପ୍ରକାର ହାଜିରା ପକାଇ ପଳାନ୍ତି । ସ୍ୱାସ୍ଥ୍ୟ ଉପକେନ୍ଦ୍ରର ସ୍ଥାୟୀ ଗୃହ ନିର୍ମାଣ ହେବ କେବେ ? ରାଜ୍ୟ ସରକାର ସ୍ୱାସ୍ଥ୍ୟ ଉପକେନ୍ଦ୍ରକୁ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଭାବରେ ଘୋଷଣା କରି ନୂତନ ଗୃହ ନିର୍ମାଣ କରିବା ସହ ସିଏଚଓ ମାନଙ୍କୁ ନିଯୁକ୍ତି ଦେଇଛନ୍ତି । କିନ୍ତୁ କଖଡିରେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି । ଏପରିକି ସ୍ଥାୟୀ ଗୃହ ନଥିଲେ ପଞ୍ଚାୟତ ପରିସର ବା ଗୋଷ୍ଠୀ ଗୃହରେ ଅସ୍ଥାୟୀ ରୂପେ ଏହା କାର୍ଯ୍ୟକାରୀ ହେବାର ନିୟମ ଥିବା ବେଳେ କଖଡିରେ ଏଭଳି କୌଣସି ପଦକ୍ଷେପ ନିଆ ହେଉନାହିଁ । ସ୍ୱାସ୍ଥ୍ୟ ବିଭାଗର ଉଦାସୀନତା ପାଇଁ କଖଡି ଭଳି ଏକ ଜନବହୁଳ ପଞ୍ଚାୟତରେ ଏପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ଉପକେନ୍ଦ୍ର ନିର୍ମାଣ ହୋଇ ପାରୁନାହିଁ । ଅପରପକ୍ଷରେ ଗାଁର ନେତୃସ୍ଥାନୀୟ ବ୍ୟକ୍ତିତ୍ୱ ଓ ନିର୍ବାଚିତ ପ୍ରତିନିଧିମାନେ ଉଦ୍ୟମ କରିବା ଆବଶ୍ୟକ ବୋଲି ବୁଦ୍ଧିଜୀବିମାନେ କହିଛନ୍ତି।

kalyan agarbati

Comments are closed.