ପ୍ରତିବାଦ ପରେ ବିବାଦୀୟ ବିଜ୍ଞପ୍ତି ସ୍ଥଗିତ

0

ଚଣ୍ଡିଗଡ : ରାଜ୍ୟର କ୍ରୀଡାବିତ୍‍ଙ୍କ ପାଇଁ ଉଦ୍ଦିଷ୍ଟ ଏକ ବିବାଦୀୟ ନିର୍ଦେଶକୁ ବିଭିନ୍ନ ମହଲରେ ତୀବ୍ର ପ୍ରତିବାଦ କରାଯିବାପରେ ହରିୟାଣା ସରକାର ଶେଷରେ ଏହାକୁ ସ୍ଥଗିତ ରଖିବାକୁ ବାଧ୍ୟ ହୋଇଛନ୍ତି। ରାଜ୍ୟର କ୍ରୀଡାବିତ୍‍ମାନେ ସେମାନଙ୍କ ଆୟର ଏକ ତୃତୀୟାଂଶ ଅର୍ଥ ରାଜକୋଷକୁ ପ୍ରଦାନ କରିବେ ବୋଲି ହରିୟାଣା ସରକାର ଏକ ବିଜ୍ଞପ୍ତି ଜାରି କରିଥିଲେ। ତେବେ ତୀବ୍ର ବିରୋଧ ହେବାପରେ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଏ ସଂକ୍ରାନ୍ତ ବିଜ୍ଞପ୍ତିକୁ ସ୍ଥଗିତ ରଖିବାକୁ ଶୁକ୍ରବାର ନିର୍ଦେଶ ଦେଇଛନ୍ତି। ଏହାବ୍ୟତୀତ ମୁଖ୍ୟମନ୍ତ୍ରୀ ଏ ପ୍ରସଙ୍ଗରେ ଆବଶ୍ୟକ ଫାଇଲ ଉପସ୍ଥାପନ କରିବାକୁ କ୍ରୀଡା ସଚିବଙ୍କୁ ନିର୍ଦେଶ ଦେଇଛନ୍ତି।
ଚଳିତବର୍ଷ ଏପ୍ରିଲ ୩୦ରେ ରାଜ୍ୟ ସରକାରଙ୍କ ତରଫରୁ କ୍ରୀଡା ସଚିବ ଅଶୋକ ଖେମ୍‍କାଙ୍କ ଦ୍ୱାରା ସ୍ୱାକ୍ଷରିତ ଏହି ବିଜ୍ଞପ୍ତି ଅନୁଯାୟୀ ରାଜ୍ୟର ପ୍ରତ୍ୟେକ କ୍ରୀଡାବିତ୍‍ ପାରିଶ୍ରମିକ, ପୁରସ୍କାର ରାଶି ଓ ବିଜ୍ଞାପନରୁ ପାଉଥିବା ନିଜସ୍ୱ ଆୟର ଏକ ତୃତୀୟାଂଶ ଅର୍ଥ ‘ହରିୟାଣା ରାଜ୍ୟ କ୍ରୀଡା ପରିଷଦ’ ନାମରେ ଗଠିତ ସଂଗଠନରେ ଜମା କରିବେ। ଏହି ଅର୍ଥକୁ ରାଜ୍ୟରେ କ୍ରୀଡାର ବିକାଶ ପାଇଁ ଖର୍ଚ୍ଚ କରାଯିବ ବୋଲି ଜଣାପଡିଛି। ପୁନଶ୍ଚ ସରକାରୀ ଚାକିରି କରିଥିବା କୌଣସି କ୍ରୀଡାବିତ୍‍ ଯଦି ଦୀର୍ଘ ଦିନ ଛୁଟିରେ ଯିବାକୁ ଚାହୁଁଥାନ୍ତି, ତେବେ ତାଙ୍କୁ ଛୁଟି ମିଳିବ କିନ୍ତୁ ଏହି ସମୟରେ ସେ ବେତନ ପାଇବେ ନାହିଁ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।
ରାଜ୍ୟ ସରକାରଙ୍କ ଏଭଳି ନିର୍ଦେଶକୁ ସୁଶୀଲ କୁମାର, ଯୋଗେଶ୍ୱର ଦତ୍ତ ଓ ଗୀତା ଫୋଗତ୍‍ଙ୍କ ଭଳି ରାଜ୍ୟର ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ କ୍ରୀଡାବିତ୍‍ ତୀବ୍ର ସମାଲୋଚନା କରିଛନ୍ତି। ସୁଶୀଲ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଅଲିମ୍ପିକ୍‍, ରାଜ୍ୟଗୋଷ୍ଠୀ, ବିଶ୍ୱ ଚମ୍ପିଆନସିପ୍‍ ଓ ଏସୀୟ କ୍ରୀଡା ଭଳି ମେଗା ଇଭେଣ୍ଟରେ ଅଂଶଗ୍ରହଣ କରି ଦେଶ ପାଇଁ ଗୌରବ ଆଣୁଥିବା କ୍ରୀଡାବିତ୍‍ଙ୍କୁ ପ୍ରୋତ୍ସାହିତ କରିବା ରାଜ୍ୟ ସରକାରଙ୍କ ଦାୟିତ୍ୱ ଅଟେ। ପୁନଶ୍ଚ ରାଜ୍ୟର ଅଧିକାଂଶ କ୍ରୀଡାବିତ୍‍ ଗରିବ ପରିବାରରୁ ଆସୁଥିବାବେଳେ ସେମାନଙ୍କ ଆୟ ଉପରେ ଏଭଳି ଅଙ୍କୁଶ ଲଗାଇବା ବେଆଇନ ବୋଲି ସେ କହିଛନ୍ତି। ଅଲିମ୍ପିକ ବ୍ରୋଞ୍ଜପଦକ ବିଜେତା ମଲ୍ଲଯୋଦ୍ଧା ଯୋଗେଶ୍ୱର ଦତ୍ତ ଏହି ନିର୍ଦେଶକୁ ଦୃଢ ସ୍ୱରରେ ନିନ୍ଦା କରିଛନ୍ତି। ସେ ଏହି ବିଜ୍ଞପ୍ତିକୁ ‘ତୁଗଲକି ଫରମାନ୍‍’ ବୋଲି ଆକ୍ଷେପ କରିବା ସହ ସଂପୃକ୍ତ ସରକାରୀ ଅଧିକାରୀଙ୍କୁ ଭର୍ତ୍ସନା କରିଛନ୍ତି। ରାଜ୍ୟରେ କ୍ରୀଡାର ବିକାଶ କ୍ଷେତ୍ରରେ ଯେଉଁ ଅଧିକାରୀଙ୍କ ଅବଦାନ ଅତ୍ୟନ୍ତ ନଗଣ୍ୟ, ସେହିମାନେ ହିଁ ଏଭଳି ନିର୍ଦେଶନାମାକୁ କାର୍ଯ୍ୟକାରୀ କରିବାକୁ ଆଗେଇ ଆସୁଛନ୍ତି। କେବଳ ଭଗବାନ ହିଁ ଏଭଳି ଅଧିକାରୀଙ୍କ ଦୌରାତ୍ମ୍ୟରୁ କ୍ରୀଡାବିତ୍‍ଙ୍କୁ ରକ୍ଷା କରିପାରିବେ ବୋଲି ସେ କହିଛନ୍ତି। ସରକାର ଯଦି ଏଭଳି ବିବାଦୀୟ ବିଜ୍ଞପ୍ତିକୁ ତୁରନ୍ତ ପ୍ରତ୍ୟାହାର ନ କରନ୍ତି, ତେବେ ରାଜ୍ୟର କ୍ରୀଡାବିତ୍‍ମାନେ ଅନୋନ୍ୟପାୟ ହୋଇ ଅନ୍ୟ ରାଜ୍ୟକୁ ଚାଲିଯିବେ ବୋଲି ଯୋଗେଶ୍ୱର କହିଛନ୍ତି। ମହିଳା ମଲ୍ଲଯୋଦ୍ଧା ଗୀତା ଫୋଗତ୍‍ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଅନ୍ୟ କ୍ରୀଡାବିତ୍‍ଙ୍କ ତୁଳନାରେ କ୍ରିକେଟରମାନେ ଅଧିକ ଅର୍ଥ ଉପାର୍ଜନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ହରିୟାଣା ସରକାରଙ୍କ ନୂଆ ନିୟମ କେବଳ କ୍ରିକେଟରଙ୍କ ପାଇଁ ଲାଗୁ ହେବା ଉଚିତ। ଭାରତରେ କବାଡି, କୁସ୍ତି, ବକ୍ସିଂ ସମେତ ଅନ୍ୟ ଖେଳାଳିଙ୍କ ଆୟ ଅତ୍ୟନ୍ତ ନଗଣ୍ୟ ହୋଇଥିବାବେଳେ ସେମାନଙ୍କ ଉପରେ ଏଭଳି ଆର୍ôଥକ ଅତ୍ୟାଚାର ନିନ୍ଦନୀୟ ବୋଲି ଗୀତା କହିଛନ୍ତି। ରାଜ୍ୟର କ୍ରୀଡାବିତ୍‍ମାନେ ଏହି ନିଷ୍ପତ୍ତିକୁ ତୀବ୍ର ବିରୋଧ କରିବା ଫଳରେ ସରକାର ଅଡୁଆ ସ୍ଥିତିରେ ପଡିଛନ୍ତି। ଗୋଲଡ୍‍ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡାର ପଦକ ବିଜେତାଙ୍କୁ ସମ୍ବର୍ଦ୍ଧିତ କରିବାକୁ ରାଜ୍ୟ ସରକାର ଯେଉଁ ଯୋଜନା କରିଥିଲେ, ତାହାକୁ ଶେଷ ମୁହୂର୍ତ୍ତରେ ବାତିଲ କରିବାକୁ ବାଧ୍ୟ ହୋଇଛନ୍ତି। ହରିୟାଣା ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ୱର୍ଣ୍ଣପଦକ ଜିତିଥିବା ରାଜ୍ୟ କ୍ରୀଡାବିତ୍‍ଙ୍କୁ ୧.୫ କୋଟି, ରୌପ୍ୟପଦକ ବିଜେତାଙ୍କୁ ୭୫ ଲକ୍ଷ ଓ ବ୍ରୋଞ୍ଜପଦକ ବିଜେତାଙ୍କୁ ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ।

Leave A Reply