ଟ୍ରମ୍ପ-କିମ୍ ବୈଠକ: ସୁରକ୍ଷା ଦାୟିତ୍ୱରେ ଗୁର୍ଖା
ସିଙ୍ଗାପୁର: ସିଙ୍ଗାପୁରଠାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଉତ୍ତର କୋରିଆ ରାଷ୍ଟ୍ରପତି କିମ୍ ଜୋଙ୍ଗ ଉନ୍ଙ୍କ ପ୍ରସ୍ତାବିତ ବୈଠକର ସୁରକ୍ଷା ଦାୟିତ୍ୱ ନେପାଳର ଗୁର୍ଖା ବାହିନୀ ଉପରେ ନ୍ୟସ୍ତ ଅଛି। ଏହି ଐତିହାସିକ ସମ୍ମିଳନୀ ଉପରେ ସମଗ୍ର ବିଶ୍ୱର ଦୃଷ୍ଟି ନିବଦ୍ଧ ଥିବାରୁ ସୁରକ୍ଷା ପ୍ରସଙ୍ଗ ଉଭୟ ଦେଶ ପାଇଁ ଆହ୍ୱାନ ସୃଷ୍ଟି କରିଛି। ଦୁଇ ଦେଶ ସେମାନଙ୍କ ରାଷ୍ଟ୍ରମୁଖ୍ୟଙ୍କ ପାଇଁ ସର୍ବୋତ୍କୃଷ୍ଟ ଓ ଶକ୍ତିଶାଳୀ ସୁରକ୍ଷା ବ୍ୟବସ୍ଥା କରିଛନ୍ତି। ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷା ପାଇଁ ଆମେରିକାର ଦୁର୍ଭେଦ୍ୟ ସୁରକ୍ଷା ବଳୟ କରିବାକୁ ଥିବା ବେଳେ ଉତ୍ତରକୋରିଆ ମଧ୍ୟ ସାମାନ୍ୟତମ ତ୍ରୁଟି ରଖିବାକୁ ଚାହୁଁନାହିଁ। ଏଭଳି କ୍ଷେତ୍ରରେ ସିଙ୍ଗାପୁର ସରକାର ମଧ୍ୟ ସର୍ବୋତ୍ତମ ସୁରକ୍ଷା ବ୍ୟବସ୍ଥା କରିଛନ୍ତି। ଏହି ସୁରକ୍ଷା ବ୍ୟବସ୍ଥାର ଦାୟିତ୍ୱ ଗୁର୍ଖା କମାଣ୍ଡ ଉପରେ ନ୍ୟସ୍ତ ଅଛି। ବିଶେଷକରି ପାର୍ବାତ୍ୟାଞ୍ଚଳ ଯୁଦ୍ଧରେ ନିପୁଣ ଏହି ଗୁର୍ଖା ବାହିନୀ ବିଶ୍ୱର ଅନ୍ୟତମ ଦୁର୍ଦ୍ଧର୍ଷ ଯୋଦ୍ଧା ଭାବେ ପରିଚିତ। ବୈଠକ ପୂର୍ବରୁ ସିଙ୍ଗାପୁରର ବୈଠକ ସ୍ଥଳ, ସଡ଼କ, ହୋଟେଲ୍ ଆଦିକୁ ଗୁର୍ଖା ବାହିନୀ ସୁରକ୍ଷା ବଳୟ ଭିତରକୁ ନେବେ। ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହିତ ଗୁର୍ଖା ବାହିନୀ ସେମାନଙ୍କ ପାରମ୍ପରିକ ଖୁର୍କି(ଛୁରା)ରେ ସଜ୍ଜିତ ରହିବେ।