ଦୋଳପୂର୍ଣ୍ଣିମା ଆସିଲେ ମନେ ପଡେ ଗୁଁଡିଖାଇ
ଅସ୍ତିତ୍ୱ ସଙ୍କଟରେ ପଶ୍ଚିମ ଓଡ଼ିଶାର ଏହି ପ୍ରାଚୀନ ଗଣପର୍ବ
ରେଙ୍ଗାଲି: ପୋଥି କହେ ଆମ ରାଜ୍ୟରେ ବାର ମାସରେ ତେର ପର୍ବ। ତେର ପର୍ବ ମଧ୍ୟରୁ ପଶ୍ଚିମ ଓଡ଼ିଶାରେ ପାଳନ ହେଉଥିବା ଗଣପର୍ବ ଗୁଁଡିଖାଇ ପର୍ବ ଅନ୍ୟତମ। ପଶ୍ଚିମ ଓଡିଶାର ଅନ୍ୟତମ ପ୍ରସିଦ୍ଧ ଗଣପର୍ବ ନୁଆଁଖାଇ ଭଲି ଗୁଁଡିଖାଇର ଏକ ସ୍ୱତନ୍ତ୍ର ମହତ୍ୱ ଓ ପରିଚୟ ତଥା ପ୍ରସିଦ୍ଧି ରହିଛି। ନୁଆଁଖାଇ ଭଳି କାହିଁ କେଉଁ କାଳରୁ ଗୁଁଡିଖାଇ ପର୍ବ ପଶ୍ଚିମ ଓଡିଶାର ଜନସାଧାରଣଙ୍କ ସମାଜିକ, ସାଂସ୍କୃତିକ ଜୀବନ ପ୍ରବାହର ଏକ ଅଭିନ୍ନ ଅଙ୍ଗ। ପୁରୁଖା ଲୋକଙ୍କ କହିବା ଅନୁଯାୟୀ, ଯେତେ ବେଳେ ଅନ୍ନର ଉତ୍ପତ୍ତି ହୋଇ ନଥିଲା ମଣିଷ ସେତେବେଳେ ଫଳ ମୂଳ ଖାଇ ନିଜର ଜୀବନ ଧାରଣ କରୁଥିଲା। ଫଳମୂଳ ହିଁ ମଣିଷମାନଙ୍କ ଜୀବନ ବଞ୍ଚିବା ପାଇଁ ପ୍ରଥମ ଆହାର ଥିଲା। କୌଣସି ପଦାର୍ଥ ଇଷ୍ଟ ଦେବୀ ଦେବତାଙ୍କୁ ଅର୍ପଣ କଲା ପରେ ଯାଇ ନିଜେ ବ୍ୟବହାର କରିବାର ବିଧି ବହୁ ପ୍ରାଚୀନ କାଳରୁ ଚାଲିଆସିଛି। ଏହି ପରିପ୍ରେକ୍ଷୀ ରେ ପ୍ରକୃତି ମା’ କୋଳରେ ଥିବା ବୃକ୍ଷରାଜିରେ ଧରୁଥବା ଅମୃତ ଫଳକୁ ତୋଳି ଆଣି ପୂଜା ଅର୍ଚ୍ଚନା କରି ଦେବୀ ଦେବତାଙ୍କ ନିକଟ ରେ ଭୋଗ ଲଗାଇବା ପରେ ନିଜେ ଖାଇବାର ବିଧିକୁ ଗୁଁଡିଖାଇ ପର୍ବ ବୋଲି ଆଖ୍ୟାୟିତ କରାଯାଇଛି। ନୁଆଁଖାଇ ଏବଂ ଗୁଁଡିଖାଇ ପର୍ବ ପାଳନର ବିଧି ପ୍ରାୟ ସମାନ କହିଲେ ଚଳେ। ଫରକ୍ ଏତିକି ଯେ, ନୂଆଁଖାଇରେ ନୂଆଁ ଚାଉଳର ଅନ୍ନ ଇଷ୍ଟ ଦେବୀଦେବତା ତଥା ଗ୍ରାମ୍ୟ ଦେବୀଦେବତାଙ୍କ ନିକଟରେ ଭୋଗ ଅର୍ପଣ କରାଗଲା ପରେ ସପରିବାର ପଂକ୍ତି ଭୋଜନର ବିଧି ଥିବା ବେଳେ ଗୁଁଡିଖାଇରେ ବର୍ଷର ନୂତନ ବନଜାତଦ୍ରବ୍ୟ ଆମ୍ବ, ମହୁଲ, ଚାର ଆଦି ଆଦି ଫଳମୂଳ ସହ ବୁଟରାଚଣା, ସାକରପଟି ଆଦି ସଂଗ୍ରହ କରିଆଣି ଇଷ୍ଟଦେବୀ ଦେବତାମାନଙ୍କ ନିକଟରେ ପୂଜା ଅର୍ଚ୍ଚନା କରି ନୂତନ ଫଳର ଭୋଗ ଅର୍ପଣ କରାଯ।।ଇଥାଏ। ଗୁଁଡି ଖାଇ ଅବସର ରେ ହେଉଥିବା ପୂଜାରେ ପଳାସ ଫୂଳ ବ୍ୟବହାର ହୋଇଥାଏ। ପଳାସ ଫୁଲ ଭଳି ଜୀବନ ରଙ୍ଗୀନ ଓ ସୁନ୍ଦର ହେଉ ବୋଲି କାମନା କରି ଏହି ଫୁଲକୁ ଦେବୀ ଦେବତାଙ୍କଠାରେ ଅର୍ପଣ କରାଯାଇଥାଏ ବୋଲି କୁହାଯାଏ।
ପୂଜା ଅର୍ଚ୍ଚନା ପରେ ସପରିବାର ଏକତ୍ର ବସି ଇଷ୍ଟଦେବୀ ଦେବତାଙ୍କ ନିକଟରେ ଅର୍ପଣ କରାଯାଇଥିବା ନୂତନ ଫଳର ଭୋଗକୁ ପ୍ରସାଦ ରୂପେ ଗ୍ରହଣ କରି ଏହି ଅବସରରେ ପ୍ରସ୍ତୁତ କରାଯାଇଥିବା ଖିରି, ପିଠା ଆଦି ବ୍ୟଞ୍ଜନକୁ ପ୍ରସାଦ ଭାବରେ ଭୋଜନ କରାଯାଇଥାଏ। ନୂଆଁଖାଇ ପର୍ବ ଭାଦ୍ରବ ମାସରେ ପାଳନ କରାଯାଉଥିବା ବେଳେ ଗୁଁଡିଖାଇ ପର୍ବ ଫାଲଗୁନ ପୂର୍ଣିମା ଦିନ ଅନୁଷ୍ଠିତ ହୋଇଥାଏ। ନୁଆଖାଇ ଭଲି ଗୁଁଡିଖାଇ ଅବସରରେ ଗ୍ରାମମାନଙ୍କ ରେ ଥିବା ମନ୍ଦିରରେ କିର୍ତ୍ତନ୍ୟ,ସଂପ୍ରଦା ଆଦି ସାଂସ୍କୃତିକ ତଥା ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ ହୋଇଥାଏ। ସଂପ୍ରତି ଉଗ୍ର ଆଧୁନିକ ହାଇଟେକ୍ ପରମ୍ପରାର ଅପସଂସ୍କୃତିର ଭୟଙ୍କର ପ୍ରଭାବରେ ଲୋକେ ପ୍ରଭାବିତ। ବାର୍ଥ ଡେ ପାର୍ଟି, ଭାଲେଣ୍ଟାଇନ ଡେ, ମେରେଜ୍ ଆନିଭର୍ସାରୀ ପାର୍ଟି, ନିଉ ଇୟର୍ ପାର୍ଟି ଆଦି ନୂଆ ନୂଆ ୱେଷ୍ଟର୍ଣ୍ଣ କଲ୍ଚରର ପର୍ବ ଧୁମ୍ଧାମରେ ପାଳନ ପାଇଁ ସମସ୍ତେ ଆତୁର। ଏଥିପାଇଁ ପ୍ରତିଯୋଗିତା କଲାଭଲି ଖର୍ଚ୍ଚ କରି ଆତ୍ମବଡିମା ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିବା ସଂପ୍ରତି ଏକ ଫେଶନରେ ପରିଣତ ହୋଇପଡିଥିବାରୁ ଗୁଁଡିଖାଇ ଭଳି ପ୍ରାଚୀନ ଲୋକପର୍ବ କେବଳ ଗାଁ ଗହଳିରେ କାଁଭାଁ ସୀମିତ ରହି ଏହାର ଅସ୍ତିତ୍ୱ ସଙ୍କଟରେ ଥିବାର ଦେଖାଯାଉଛି। ଏହି ପ୍ରକ୍ରିୟା ଜାରି ରହିଲେ ଉଗ୍ର ଆଧୁନିକତାର ଅପସଂସ୍କୃତି ରୂପୀ ରାହୁଗ୍ରାସରେ ଆଗାମୀ କିଛି ବର୍ଷରେ ଗୁଁଡିଖାଇ ପର୍ବ ଅସ୍ତିତ୍ୱ ହରାଇ ଭବିଷ୍ୟତ ପିଢି ପାଇଁ ଇତିହାସ ବହିର ପୃଷ୍ଠା ମଣ୍ଡନ କରିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ। ବିଗତ କିଛି ବର୍ଷ ହେଲା ନୂଆଁଖାଇ ପର୍ବ ସରିଲା ପରେ ନୁଆଁଖାଇ ଭେଟଘାଟ ଉତ୍ସବ ଅକାରରେ ମହାସମାରୋହରେ ପଶ୍ଚିମ ଓଡିଶାର କୋଣ ଅନୁକୋଣ ଏପରିକି ରାଜ୍ୟ ବହାରେ ବିଦେଶ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ଅନୁଷ୍ଠିତ ହେଉଥିବା ଦେଖିବାକୁ ମିଳୁଛି। ତେବେ ଗୁଁଡିଖାଇ ପର୍ବ ପ୍ରତି ସେଭଲି ଗୁରୁତ୍ୱ ଦିଆ ନଯିବା ଚରମ ବିଡମ୍ବନାର ବିଷୟ। ଏଦିଗରେ ସାଂସ୍କୃତିକ ଅନୁଷ୍ଠାନଏବଂ ରାଜ୍ୟ ସଂସ୍କୃତି ବ୍ୟାପାର ମନ୍ତ୍ରଣାଳୟ ଦୃଷ୍ଟି ଦେବା ଉଚିତ ବୋଲି ସଚେତନ ନାଗରିକ ମହଲରେ ମତପ୍ରକାଶ ପାଉଛି।
Comments are closed.