ପ୍ରତି ମହିଳାଙ୍କୁ ମାସିକ ୧୦୦୦ ଟଙ୍କା ଭତ୍ତା
ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଆପ୍ର ପ୍ରତିଶ୍ରୁତି
ଅହମଦାବାଦ: ଗୁଜରାଟ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ଆମ ଆଦମୀ ପାର୍ଟି (ଆପ୍) ଏଥିପାଇଁ ନିଜର ପ୍ରସ୍ତୁତି ଜୋରଦାର ଚଳାଇଛି। ରାଜ୍ୟରେ କ୍ଷମତା ହାସଲ ଲାଗି ଦଳ ଭୋଟରଙ୍କ ପାଇଁ ବଡ ପ୍ରତିଶ୍ରୁତି ଘୋଷଣା କରିଛି। ଆପ୍ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଘୋଷଣା କରିଥିବା ପ୍ରତିଶ୍ରୁତି ଅନୁଯାୟୀ ଦଳ ରାଜ୍ୟରେ କ୍ଷମତାକୁ ଆସିଲେ ପ୍ରତି ମହିଳାଙ୍କୁ ମାସିକ ୧୦୦୦ ଟଙ୍କା ଲେଖାଏଁ ଭତ୍ତା ପ୍ରଦାନ କରାଯିବ। ୧୮ବର୍ଷରୁ ଊର୍ଦ୍ଧ୍ବ ପ୍ରତି ମହିଳାଙ୍କୁ ଏହି ଭତ୍ତା ଦିଆଯିବ।
ଦେଶରେ ମାଗଣା ସଂସ୍କୃତି ବନ୍ଦ ପାଇଁ କେନ୍ଦ୍ର ସରକାରଙ୍କ ସୁପ୍ରିମକୋର୍ଟ ଜୋର ଦେଉଥିବାବେଳେ କେଜରିୱାଲ ଏପରି ପ୍ରତିଶ୍ରୁତି ଦେଇଛନ୍ତି। ଆଜିର ନିର୍ବାଚନ ପ୍ରତିଶ୍ରୁତି ଦେବାବେଳେ କେଜରିୱାଲ କହିଛନ୍ତି ଯେ ମହିଳାଙ୍କ ଭତ୍ତା ଦିଆଯିବା କୌଣସି ମାଗଣା ସଂସ୍କୃତି ନୁହେଁ। ଏହା ମହିଳାଙ୍କ ଅଧିକାର। ଲୋକଙ୍କ ଟଙ୍କା ଲୋକଙ୍କ ପାଖକୁ ଯିବା ଦରକାର। ଏହା ସୁଇସ୍ ବ୍ୟାଙ୍କକୁ ଯିବା ଉଚିତ୍ ନୁହେଁ। ଚଳିତବର୍ଷ ଶେଷ ଭାଗରେ ଗୁଜରାଟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଗୁଜରାଟ ନିର୍ବାଚନ ପାଇଁ କେଜରିୱାଲ ଆଜି ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି ତାହା ପଞ୍ଚମ ପ୍ରତିଶ୍ରୁତି।
ଏହା ପୂର୍ବରୁ ସେ ଘୋଷଣା କରିଛନ୍ତି ଯେ ଆପ୍ କ୍ଷମତାକୁ ଆସିଲେ ଗୁଜରାଟରେ ପ୍ରତି ପରିବାରକୁ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି। ପ୍ରତି ବେକାରୀ ଯୁବକ ଯୁବତୀଙ୍କୁ ମାସିକ ୩୦୦୦ ଟଙ୍କା ଭତ୍ତା, ୨୦୨୧ ଡିସେମ୍ବର ପର୍ଯ୍ୟନ୍ତ ବକେୟା ଥିବା ସମସ୍ତ ବିଜୁଳି ବିଲ୍ ଛାଡ କରାଯିବ। ୧୯୯୮ରୁ ବିଜେପି ଗୁଜରାଟରେ କ୍ଷମତାରେ ରହିଆସିଥିବାବେଳେ ଏଠାରେ କ୍ଷମତାରେ ପରିବର୍ତ୍ତନ ଆଣିବା ଲାଗି ଆପ୍ ଭୋଟରଙ୍କ ବିକଳ୍ପ ଭାବେ ଉଭା ହୋଇଛି।
Comments are closed.