ଗୁଜରାଟରେ ହାଇଆଲର୍ଟ; ୩ ଲକ୍ଷ ସ୍ଥାନାନ୍ତର
ନୂଆଦିଲ୍ଲୀ : ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ବାୟୁ’ ଅତି ଭୟଙ୍କର ବାତ୍ୟାର ରୂପ ନେଇଛି। ଏହା ଘଣ୍ଟା ପ୍ରତି ୧୮ କିଲୋମିଟର ବେଗରେ ଗୁଜରାଟ ଉପକୂଳ ଆଡ଼କୁ ମୁହଁାଇଛି। ଗୁରୁବାର ସକାଳ ୮ଟା ୩୦ ମିନିଟରେ ଏହା ଗୁଜରାଟର ପୋରବନ୍ଦର ଓ ବେରାବଲ୍ ପଶ୍ଚିମରେ ଥିବା ଡିଉ ମଧ୍ୟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି। ତେବେ ଏହା ଗତିପଥ ପରିବର୍ତ୍ତନ କରିଥିବାରୁ ସ୍ଥଳଭାଗ ଛୁଇଁବା ବିଳମ୍ବ ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁମାନ କରିଛି। ଏଥିପାଇଁ ଗୁଜରାଟରେ ହାଇଆଲର୍ଟ ଜାରି କରାଯାଇଛି। ଝଡ଼ର ଗତିବିଧି ଉପରେ ଆଇଏମଡି ନଜର ରଖିଛି। ଶେଷ ଖବର ଅନୁଯାୟୀ ଝଡ଼ର ପ୍ରକୋପ ବୃଦ୍ଧି ପାଇବା ସହ ଏହାର ଗତିପଥ ପରିବର୍ତ୍ତନ ହୋଇଥିବା କୁହାଯାଇଛି। ଗତିପଥ ପରିବର୍ତ୍ତନ ଯୋଗୁଁ ଏହା ବିଳମ୍ବରେ ଅର୍ଥାତ ଗୁରୁବାର ଅପରାହ୍ଣରେ ସ୍ଥଳଭାଗ ଛୁଇଁବ ବୋଲି କୁହାଯାଇଛି। ଝଡ଼କୁ ମୁକାବିଲା କରିବା ନିମନ୍ତେ ବୁଧବାର ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ନେତୃତ୍ବରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରାଯାଇଛି। ଗୁଜରାଟ ମୁଖ୍ୟ ଶାସନ ସଚିବ ଏବଂ ଡିଉ ପରାମର୍ଶଦାତାମାନେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ବୈଠକରେ ଯୋଗ ଦେଇଥିଲେ। ଜିରୋ ଟଲରାନ୍ସ ଓ ଜିରୋ କାଜୁଆଲିଟି ଉପରେ ଗୁରୁତ୍ବ ଦିଆଯାଇଛି। ଜିରୋ କାଜୁଆଲିଟି ପାଇଁ ତଳିଆ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।
ବୁଧବାର ଅପରାହ୍ଣ ସୁଦ୍ଧା ସୋମନାଥ ମନ୍ଦିର ତଥା ଅନ୍ୟାନ୍ୟ ସ୍ଥାନରେ ପ୍ରବଳ ପବନ ବହିବା ସହିତ ଧୂଳିଝଡ଼ ହୋଇଛି। ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟରେ ଟ୍ରେନ ଚଳାଚଳ ବନ୍ଦ ରଖାଯାଇଛି। ପଶ୍ଚିମ ରେଳବାଇ କର୍ତ୍ତୃପକ୍ଷ ଗୁଜରାଟ ଯିବାକୁ ଥିବା ସମସ୍ତ ଟ୍ରେନକୁ ବାତିଲ କରିଛନ୍ତି। ମୁମ୍ବଇ ବିମାନବନ୍ଦରରେ ବିମାନ ଅବତରଣ ବିଳମ୍ବିତ ହୋଇଛି। ପଶ୍ଚିମ ରେଳବାଇ ମଧ୍ୟ ୧୫ଟି ଟ୍ରେନ୍ ଚଳାଚଳକୁ ବାତିଲ କରିଛି। ଆଗକୁ ଅଧିକ ଟ୍ରେନ ବାତିଲ କରାଯିବାର ସମ୍ଭାବନା ରହିଛି।
କେନ୍ଦ୍ର ସରକାର ପରିସ୍ଥିତି ଉପରେ ନଜର ରଖିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ମଙ୍ଗଳବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସହିତ ସମୀକ୍ଷା ବୈଠକ କରିଥିଲେ। ରାଜ୍ୟ ସରକାର ଇତିମଧ୍ୟରେ ମେରବି, ଭାବନଗର, ଜୁନାଗଡ଼, ଗିର ସୋମନାଥ, ଜାମନଗର, ଦ୍ବାରକା, କଚ୍ଛ, ପୋରବନ୍ଦର, ରାଜକୋଟ ଏବଂ ଆମରେଲି ଜିଲାର ୫ଶହରୁ ଅଧିକ ଗ୍ରାମରୁ ରାତି ୧୦ଟା ସୁଦ୍ଧା ୩ ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି। ବାୟୁ ପ୍ରଭାବରେ ଗୁଜରାଟ ଉପକୂଳବର୍ତ୍ତୀ ଅଞ୍ଚଳରେ ଘଣ୍ଟାପ୍ରତି ୧୪୫ରୁ-୧୫୫ କିଲୋମିଟର ବେଗରେ ପବନ ବହିବ ବୋଲି ଆଇଏମଡି ପୂର୍ବାନୁମାନ କରିଛି। ସାମୁଦ୍ରିକ ଝଡ଼ ‘ବାୟୁ’କୁ ନେଇ ଆଇଏମଡି ଗୋଆ ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି। ଝଡ଼ ପ୍ରଭାବରେ ଗୋଆରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଏହାକୁ ନେଇ ଭୟଭୀତ ନ ହେବାକୁ ପରାମର୍ଶ ଦିଆଯାଇଛି।
Comments are closed.