କିଏ ଜବତ କଲା କାଠ ବୋଝେଇ ପିକପ୍ ଭ୍ୟାନ ?
ଗୁଡଭେଲା: ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ କପସିଲାରେ ଗାଁ ମଝିରେ ଗତ ୬ ତାରିଖ ରାତି ପ୍ରାୟ ସାଢ଼େ ଗୋଟାଏରେ ଏକ ଚୌଖୁଟ ବୋଝେଇ ପିକପ୍ ଭ୍ୟାନକୁ ତୁଷୁରା ପୁଲିସ ଦ୍ବାରା ଜବତ ହୋଇଥିବା ଚର୍ଚ୍ଚା ହେଉଛି । ହେଲେ ତୁଷୁରା ଥାନା ଅଧିକାରୀ ସଞ୍ଜୀବ ପଧାନଙ୍କୁ ଏନେଇ କିଛି ଜଣାନଥିବା ଜଣାପଡ଼ିଛି । ଯଦି ପୁଲିସ ଗାଡ଼ିଟିକୁ ଜବତ କରି ନାହିଁ, ତାହେଲେ ଗାଡିକୁ ତୁଷୁରା ଥାନାକୁ କିଏ ନେଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟ ପକ୍ଷରେ ଗୁଡଭେଲା ବନପାଳ ମଧୁସୂଦନ ଚାନ୍ଦଙ୍କୁ କାଠ ଗାଡ଼ି ଜବତକୁ ନେଇ ପଚରାଯିବାରୁ ଆମ ବିଭାଗ ଦ୍ଵାରା ଏହିପରି କିଛି ଜଵତ କରାଯାଇ ନାହିଁ ବୋଲି ସେ କହିଛନ୍ତି । ଫଳରେ ଗାଡ଼ିଟିକୁ କିଏ ଜବତ କରିଛି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
କପସିଲା ଗାଁ ଲୋକଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ଧାନଘରା ରାସ୍ତା ଦେଇ କପସିଲା ଯାଉଥିବା ଓଡ଼ି ୦୩ ଏନ ୮୯୩୬ ପିକପ୍ ଭ୍ୟାନଟି ରାତି ଅଧରେ ଯାଉଥିଲା ହେଲେ ପୁଲିସ ଭୟରେ ଚାଳକ ଜଣ ଗାଡି ଛାଡି ପଲାଇ ଯାଇଥିବା ବେଳେ ତୁଷୁରା ପୁଲିସ ଗାଡି ଓ ପ୍ରାୟ ୫୦ ଖଣ୍ଡ ଚୌଖୁଟ କାଠ ଜବତ କରିଥିବା ତୁଷୁରା ସହରରେ ଆଲୋଚନା ହେଉଛି । କିନ୍ତୁ ପୁଲିସ ଓ ବନ ବିଭାଗ ଆମେ ଗାଡ଼ି ଜବତ କରି ନାହୁଁ ବୋଲି କହୁଥିବାରୁ ପୁଲିସ ବେଶରେ ଗାଡ଼ିକୁ କିଏ ଜବତ କଲା ତାହା ସନ୍ଧେହ ଘେରରେ ରହିଛି । ଏଣୁ ଜିଲ୍ଲା ଆରକ୍ଷୀ ଅଧିକାରୀ ଏଦିଗରେ ଦୃଷ୍ଟି ଦେଇ ଖୋଳତାଡ଼ କରିବାକୁ ସାଧାରଣରେ ଦାବି ହେଉଛି ।
Comments are closed.