ରାଜସ୍ଥାନ ରୟାଲ୍ସକୁ ୯ ୱିକେଟରେ ପରାସ୍ତ କଲା ଗୁଜରାଟ ଟାଇଟାନ୍ସ
ଜୟପୁର : ରସିଦ ଖାନ ଓ ନୂର ଅହମ୍ମଦଙ୍କ ଘାତକ ବୋଲିଂ ପରେ ରିଦ୍ଧିମାନ ସାହ, ହାର୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଗୁଜରାଟ ଟାଇଟାନ୍ସ ଚଳିତ ଆଇପିଏଲରେ ସପ୍ତମ ବିଜୟ ହାସଲ କରିଛି। ଶୁକ୍ରବାର ସୱାଇ ମାନସିଂହ ଷ୍ଟାଡ଼ିୟମରେ ଖେଳାଯାଉଥିବା ୪୮ତମ ମ୍ୟାଚରେ ଗୁଜରାଟ ଟାଇଟାନ୍ସ ୯ ୱିକେଟରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ଏଥି ସହିତ ଗୁଜରାଟ ରାଜସ୍ଥାନ ବିପକ୍ଷ ପ୍ରଥମ ମ୍ୟାଚ ପରାଜୟର ପ୍ରତିଶୋଧ ନେଇଛି। ଗୁଜରାଟ ୧୦ଟି ମ୍ୟାଚରୁ ସପ୍ତମ ବିଜୟ ସହ ଶୀର୍ଷ ସ୍ଥାନ ବଜାୟ ରଖିଥିବାବେଳେ ରାଜସ୍ଥାନ ପଞ୍ଚମ ପରାଜୟ ବରଣ କରିଛି। ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ସଞ୍ଜୁ ସାମସନଙ୍କ ୩୦ରନ ବଳରେ ୧୧୮ରନ କରିଥିଲା।
ଜବାବରେ ଜୁଗରାଟ ଟାଇଟାନ୍ସ ରିଦ୍ଧିମାନ ସାହ ୪୧ ଓ ହାର୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ୩୯ରନ ବଳରେ ୩୭ଟି ବଲ ପୂର୍ବରୁ ୧ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲ। ୧୧୯ରନର ବିଜୟ ଲକ୍ଷ୍ୟକୁ ଗୁଜରାଟର ଦୁଇ ଓପନର ଶୁବମାନ ଗିଲ୍ ଓ ରିଦ୍ଧିମାନ ସାହ ଦୃଢତାର ସହିତ ପିଛା କରିଥିଲେ। ଉଭୟେ ପ୍ରଥମ ୱିକେଟରେ ୭୧ରନ ସଂଗ୍ରହ କରି ବିଜୟ ନିଶ୍ଚିତ କରିଥିଲେ। ଗିଲ୍ ୩୬ରନ କରି ଆଉଟ୍ ହୋଇଥିଲେ। ଦ୍ବିତୀୟ ୱିକେଟରେ ରିଦ୍ଧିମାନ ଓ ହାର୍ଦିକ ପାଣ୍ଡ୍ୟା ଅବିଭାଜିତ ୨୫ଟି ବଲରୁ ଅବିଭାଜିତ ୪୮ରନ କରି ଦଳକୁ ବିଜୟୀ କରାଇଥିଲେ। ରିଦ୍ଧିମାନ ୩୫ଟି ବଲରୁ ୫ଟି ଚୌକା ସହ ୪୧ ଓ ପାଣ୍ଡ୍ୟା୧୫ଟି ବଲରୁ ୩ଟି ଚୌକା ଓ ୩ଟି ଛକା ସହ ୩୯ରନ କରି ଅପରାଜିତ ରହିଥିଲେ। ରାଜସ୍ଥାନ ପକ୍ଷରୁ ଯୁଜୁବେନ୍ଦ୍ର ଚହଲ ଏକମାତ୍ର ୱିକେଟ ନେଇଥିଲେ। ରସିଦ ଖାନ୍ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ।
ରାଜସ୍ଥାନ ରୟାଲ୍ସ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ପ୍ରାରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳୀୟ ସ୍କୋର ୧୧ ଥିବାବେଳେ ଜୋଶ୍ ବଟ୍ଲର ୮ରନ କରି ଆଉଟ୍ ହୋଇଥିଲେ। ଦ୍ବିତୀୟ ୱିକେଟରେ ଫର୍ମରେ ଥିବା ଯଶସ୍ବୀ ଜସୱାଲ ଓ ସଞ୍ଜୁ ସାମସନ ୩୬ରନ ସଂଗ୍ରହ କରିଥିଲେ। ୪୭ରନ ସ୍କୋର ଥିବାବେଳେ ଜସୱାଲ ୧୪ରନ କରି ଦୁର୍ଭାଗ୍ୟବଶତଃ ରନ୍ ଆଉଟ୍ ହୋଇଥିଲେ। ସାମସନ ଓ ରବିଚନ୍ଦ୍ରନ ଅଶ୍ବିନ ୩ୟ ୱିକେଟ ପାଇଁ ୧୩ରନ ଯୋଡିଥିଲେ। ୬୦ରନ ସ୍କୋର ଥିବାବେଳେ ସାମସନ ୩୦ରନ କରି ଆଉଟ୍ ହୋଇଥିଲା। ଦଳ ୧୭ରନ ମଧ୍ୟରେ ୩ଟି ୱିକେଟ ହରାଇଥିଲା। ରବିଚନ୍ଦ୍ରନ ଅଶ୍ବିନ ୨, ରିୟାନ ୪ ଓ ଦେବଦତ୍ତ ପାଡିକଲ ୧୨ ରନ କରି ଆଉଟ୍ ହୋଇଥିଲେ। ରାଜସ୍ଥାନ ୭୭ରନରେ ୬ଟି ୱିକେଟ ହରାଇ ବ୍ୟାଟିଂ ବିପଯ୍ୟୟ ଭୋଗିଥିଲା। ସପ୍ତମ ୱିକେଟରେ ସିମରନ ହେତ୍ମେୟାର ଓ ଧ୍ରୁବ ଜୁରେଲ ୧୦ରନ ଯୋଡିଥିଲେ। ୮୭ରନ ସ୍କୋରରେ ଜୁରେଲ ୯ରନ କରି ଆଉଟ୍ ହୋଇଥିଲେ। ଶେଷ ଆଡକୁ ଟ୍ରେଣ୍ଟ ବୋଲ୍ଟଙ୍କ ୧୫ରନ ବଳରେ ଦଳ ୧୧୮ରନ କରି ଅଲ୍ଆଉଟ୍ ହୋଇଯାଇଥିଲା। ଆଡାମ ଜାମ୍ପା ୭ ଓ ସନ୍ଦୀପ ଶର୍ମା ୨ରନ କରିଥିଲେ। ଗୁଜରାଟ ଟାଇଟାନ୍ସ ପକ୍ଷରୁ ରସିଦ ଖାନ ୩ ଟି, ନୂର ଅହମ୍ମଦ ୨ଟି ୱିକେଟ ନେଇଥିଲେ। ପ୍ରଥମ ଚରଣ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ୩ ୱିକେଟରେ ଗୁଜରାଟ ଟାଇଟାନ୍ସକୁ ପରାସ୍ତ କରିଥିଲା। ଗୁଜରାଟ ଟାଇଟାନ୍ସ ୧୦ ଟି ମ୍ୟାଚରୁ ୭ଟି ବିଜୟ ଓ ୩ଟି ପରାଜୟ ସହ ୧୪ପଏଣ୍ଟ ପାଇ ଶୀର୍ଷରେ ରହିଥିବାବେଳେ ରାଜସ୍ଥାନ ୧୦ଟି ମ୍ୟାଚରୁ ୫ଟି ବିଜୟ ଓ ୫ଟି ପରାଜୟ ବରଣ କରିଛି।
Comments are closed.