ମିଲରଙ୍କ ପ୍ରହାର ; ଗୁଜରାଟର ରୋମାଞ୍ଚକର ବିଜୟ

ପୁଣେ : ଚଳିତ ଆଇପିଏଲ୍‌ରେ ରବିବାର ଡେଭିଡ୍‌ ମିଲରଙ୍କ ବିସ୍ଫୋରକ ଇନିଂସ ବଳରେ ବିଜୟୀ ହୋଇଛି ଗୁଜରାଟ ଟାଇଟାନ୍‌ସ। ଏହି ରୋମାଞ୍ଚକର ମ୍ୟାଚ୍‌ରେ ଚେନ୍ନଇ ସୁପର କିଙ୍ଗ୍‌ସ (ସିଏସ୍‌କେ)କୁ ୩ ୱିକେଟରେ ଗୁଜରାଟ ପରାସ୍ତ କରିଛି। ଋତୁରାଜ ଗାଏକ୍‌ୱାଡ୍‌ଙ୍କ ଅର୍ଦ୍ଧଶତକ ଓ ଅମ୍ବତି ରାୟୁଡୁଙ୍କ ୪୬ ରନ୍‌ ବଳରେ ପ୍ରଥମେ ବ୍ୟାଟିଂକରି ସିଏସ୍‌କେ ୫ ୱିକେଟରେ ୧୬୯ ରନ୍‌ କରିଥିଲା। ପରେ ଡେଭିଡ୍‌ ମିଲର ଓ ରସିଦ୍ ଖାଁଙ୍କ ପ୍ରହାର ଯୋଗୁଁ ଗୋଟିଏ ବଲ୍‌ ବାକିଥାଇ ୭ ୱିକେଟ ହରାଇ ଗୁଜରାଟ ଜିତିଥିଲା। ୬ଷ୍ଠ ମ୍ୟାଚ୍‌ରେ ୫ମ ବିଜୟ ପରେ ଗୁଜରାଟ ୧୦ ପଏଣ୍ଟ ସହ ଟେବୁଲରେ ଶୀର୍ଷ ସ୍ଥାନ ବଜାୟ ରଖିଛି। ଚେନ୍ନଇ ୬ଷ୍ଠ ମ୍ୟାଚ୍‌ରେ ୫ମ ପରାଜୟ ଭୋଗିଛି।
୧୭୦ ରନ୍‌ ଲକ୍ଷ୍ୟରେ ଗୁଜରାଟ ଟାଇଟାନ୍‌ସ ୧୬ ରନ୍‌ରେ ୩ଟି ୱିକେଟ ହରାଇଥିଲା। ୮ ଓଭରରେ ଗୁଜରାଟର ୪ର୍ଥ ୱିକେଟ ପଡ଼ି ଯାଇଥିଲା। ଶୁବ୍‌ମାନ ଗିଲ୍‌ ଓ ବିଜୟ ଶଙ୍କର ଖାତା ଖୋଲି ପାରିନଥିଲେ। ଅଭିନବ ମନୋହର ୧୨ ଓ ଋଦ୍ଧିମାନ ଶାହା ୧୮ ବଲ୍‌ରୁ ମାତ୍ର ୧୧ ରନ୍‌ କରିଥିଲେ। ପରେ ଗୋଟିଏ ପଟୁ ଡେଭିଡ୍‌ ମିଲର ଆକ୍ରମଣ ଜାରି ରଖିଥିଲେ। ରାହୁଲ ତିୱତିଆ ୬ ରନ୍‌ କରିଥିଲେ। ଆହତ ହାର୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ନେତୃତ୍ବ ନେଇଥିବା ରସିଦ୍‌ ଖାଁଙ୍କ ମଧ୍ୟ ମିଲରଙ୍କ ସହ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ୩ ଓଭରରୁ ୪୮ ରନ୍ ଆବଶ୍ୟକ ଥିବା ବେଳେ ୧୮ଶ ଓଭରରୁ ୨୫ ରନ୍‌ ହୋଇଥିଲା। ମିଲରଙ୍କ ସହ ୩୭ ବଲ୍‌ରୁ ୭୦ ରନ୍‌ ଯୋଡ଼ିବା ପରେ ରସିଦ୍ ଆଉଟ୍‌ ହୋଇଥିଲେ। ରସିଦ୍‌ ୨୧ ବଲ୍‌ରୁ ୩ଟି ଛକା ଓ ୨ଟି ଚୌକା ସହ ୪୦ ରନ୍‌ କରିଥିଲେ। ଶେଷ ଓଭରରୁ ୧୩ ରନ୍ ଆବଶ୍ୟକ ଥିବା ବେଳେ ୫ଟି ବଲ୍‌ରୁ ମିଲର ଏହା ହାସଲ କରି ନେଇଥିଲେ। ମିଲର ୫୧ ବଲ୍‌ରୁ ୬ଟି ଛକା ଓ ୮ଟି ଚୌକା ସହ ୯୪ ରନ୍‌କରି ଅପରାଜିତ ଥିଲେ। ଡ୍ବେନ୍ ବ୍ରାଭୋ ୩ଟି ଓ ମାହିଶ୍‌ ତୀକ୍ଷଣ ୨ଟି ୱିକେଟ ନେଇଥିଲେ। ଡେଭିଡ୍‌ ମିଲର ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଳେ।
ଗୁଜରାଟ ଟାଇଟାନ୍‌ସ ଟସ୍ ଜିତି ଫିଲ୍‌ଡିଂ ନେବା ପରେ ଚେନ୍ନଇ ସୁପର କିଙ୍ଗ୍‌ସ ଜଲ୍‌ଦି ୨ଟି ୱିକେଟ ହରାଇଥିଲା। ରବିନ୍ ଉଥପ୍ପା ୩ ଓ ମୋଇନ୍ ଅଲୀ ୧ ରନ୍‌କରି ବିଦାୟ ନେଇଥିଲେ। ଚଳିତ ସଂସ୍କରଣରେ ପ୍ରଥମଥର ଋତୁରାଜ ଗାଏକ୍‌ୱାଡ୍‌ଙ୍କ ବ୍ୟାଟ୍‌ ଚାଲିଥିଲା ଏବଂ ସେ ଦର୍ଶନୀୟ ଷ୍ଟ୍ରୋକ୍‌ସବୁ ଖେଳିଥିଲେ। ୩ୟ ୱିକେଟ ପାଇଁ ଋତୁରାଜ ଓ ଅମ୍ବତି ରାୟୁଡୁ ୯ ଓଭରରେ ୯୨ ରନ୍‌ ଯୋଡ଼ିଥିଲେ। ରାୟୁଡୁ ୩୧ ବଲ୍‌ରୁ ୨ଟି ଛକା ଓ ୪ଟି ଚୌକା ସହ ୪୬ ରନ୍‌କରି ଆଉଟ ହୋଇଥିଲେ। ବିସ୍ଫୋରକ ଇନିଂସ ଖେଳିଥିବା ଋତୁରାଜ ଗାଏକ୍‌ୱାଡ୍‌ ୪୮ ବଲ୍‌ରୁ ୫ଟି ଲେଖାଏଁ ଛକା ଓ ଚୌକା ସହ ୭୩ ରନ୍‌କରି ବିଦାୟ ନେଇଥିଲେ। ଶେଷ ଓଭରରେ ୧୮ ରନ୍‌ ହୋଇଥିଲା। ଶିବମ୍ ଦୁବେ ୧୭ ବଲ୍‌ରୁ ୧୯ ରନ୍‌ କରିଥିଲେ। ଅଧିନାୟକ ରବୀନ୍ଦ୍ର ଜାଡ଼େଜା ୧୨ ବଲ୍‌ରୁ ୨ଟି ଛକା ସହ ୨୨ ରନ୍‌କରି ଅପରାଜିତ ଥିଲେ। ଆଲ୍‌ଜାରି ଜୋସେଫ୍ ୨ଟି ୱିକେଟ୍‌ ନେଇଥିଲେ।

kalyan agarbati

Comments are closed.