ଧରାହେଲାଣି ୧୨୦୦ କୋଟିର କଳାଧନ

ଗୁଇନ୍ଦା ସ୍କାନରରେ ଜିଏସ୍‌ଟି ଠକ

ଫାଶରେ ଠିକାଦାର, ରିୟଲ ଇଷ୍ଟେଟ ଓ ଉତ୍ପାଦନକାରୀ,  ପେଟ୍ରୋଲ ଅପେକ୍ଷା ମଦ ଜିଏସ୍‌ଟି ଆୟ ଅଧିକ

ଭୁବନେଶ୍ୱର : ଦ୍ରବ୍ୟ ଓ ସେବା କର(ଜିଏସଟି)ଦାତାଙ୍କୁ ଶୃଙ୍ଖଳିତ କରିବା ଏବଂ ସ୍ବଚ୍ଛତା ଉପାୟରେ ବ୍ୟବସାୟ କରିବା ଲାଗି ୨୦୧୭ ଜୁଲାଇରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜିଏସଟି ଲାଗୁ ହୋଇଛି। ଏହାଦ୍ବାରା କେନ୍ଦ୍ର ଓ ରାଜ୍ୟ ସରକାର ଅଧିକ ଲାଭାନ୍ବିତ ହୋଇପାରିବେ। ହେଲେ ଏହି ଶୃଙ୍ଖଳାକୁ ବ୍ୟବସାୟୀମାନେ ମାନିବାକୁ ନାରାଜ। ଆଇନର ଗଳାବାଟ ଦେଇ ଖସିବା ଲାଗି ସ୍ବଚ୍ଛତା ଉପାୟରେ ଟିକସ ନଦେଇ ସାଦା କାଗଜରେ ଉପଭୋକ୍ତା ତଥା ସରକାରଙ୍କୁ ଲୁଟୁଛନ୍ତି। ଟଙ୍କାଏ କି ଦୁଇଟଙ୍କା ନୁହେଁ, ବେପାରୀମାନେ ଶତାଧିକ କୋଟି ଟଙ୍କାର ଜିଏସଟି ଫାଙ୍କୁଛନ୍ତି। ଗତ କିଛିଦିନ ମଧ୍ୟରେ କେବଳ ଓଡ଼ିଶାରୁ ୧୨୦୦କୋଟି ଟଙ୍କାର ଜିଏସଟି କଳାଧନ ଜବତ ହେଲାଣି। ଆଗକୁ ଏହି ପରିମାଣ କେତେ ଯେ ହେବ ତାହା କଳନା କରିହେଉ ନାହିଁ। ଅନ୍ୟପକ୍ଷରେ ସାରା ଦେଶରୁ ପ୍ରାୟ ୩୦ ହଜାର କୋଟି ଟଙ୍କାର ଜାଲ୍ ଜିଏସଟି କାଗଜପତ୍ର ଧରା ହୋଇଥିବା ଜିଏସଟି ଗୁଇନ୍ଦା(ପୁଲିସ ମହାନିର୍ଦେଶକ) କାର୍ଯ୍ୟାଳୟ ପକ୍ଷରୁ ଜଣାଯାଇଛି।
ଜିଏସଟି ଗୁଇନ୍ଦା(ଡିଜିଜିଆଇ) ପକ୍ଷରୁ ଆଞ୍ଚଳିକ ଅଧିକାରୀ ତଥା ଏଡିଜିପି ଦେବାଶିଷ ସାହୁଙ୍କ ନେତୃତ୍ବରେ ଏକ ଟିମ୍ ଗତ କିଛିଦିନ ମଧ୍ୟରେ ରାଜ୍ୟର ପରିବହନକାରୀ, ଉତ୍ପାଦନକାରୀ, ରେଷ୍ଟୁରାଣ୍ଟ, ହୋଟେଲ, ପ୍ଲାଏଉଡ଼ ଯୋଗାଣକାରୀ, ଠିକାଦାର, ରିୟଲ ଇଷ୍ଟେଟ ଓ ସିନେମା ହଲରେ ଚଢ଼ଉ କରି ବିପୁଳ ପରିମାଣର ଜିଏସଟି ଫାଙ୍କିକୁ ଧରିଛନ୍ତି। ସେହିପରି ନିକଟରେ କେନ୍ଦୁଝରର ବିଭିନ୍ନ ଖଣି ବେପାରୀଙ୍କ କାର୍ଯ୍ୟାଳୟ ଉପରେ ଚଢ଼ଉ କରାଯାଇ ୮୦୦ କୋଟି ଟଙ୍କାର ଜିଏସଟି କଳାବଜାରୀ ଧରାଯାଇଛି। ସେହିପରି ପାହାଳ ନିକଟସ୍ଥ ଏକ ପ୍ଲାଏଉଡ୍ ଉତ୍ପାଦନ କେନ୍ଦ୍ରରେ ଜିଏସଟି ପକ୍ଷରୁ ଚଢ଼ଉ କରାଯାଇ ୧୦୦କୋଟି ଟଙ୍କାର କଳା କାରବାର ଜବତ ହୋଇଛି। ଏହି ଚଢ଼ଉ ବେଳେ ଦୋକାନୀ କିଭଳି ଉପଭୋକ୍ତାଙ୍କୁ ଜାଲ୍ ଜିଏସଟି ବିଲ୍ ଦେଇ ଠକୁଥିଲେ ତାହାର ପ୍ରମାଣ ହାତରେ ଲାଗିଛି। ଜିଏସଟି ଫାଙ୍କିବା ପାଇଁ ହାତଲେଖା ରସିଦ୍ କିମ୍ବା ବିନା ଜିଏସଟି ବିଲ୍ ଗ୍ରାହକଙ୍କୁ ପ୍ରଦାନ କରୁଛନ୍ତି।
ଏହି ପରିପ୍ରେକ୍ଷୀରେ ରାଜ୍ୟ ସିଟିଜିଏସଟି ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ଗତବର୍ଷର ଅକ୍ଟୋବର ତୁଳନାରେ ଚଳିତବର୍ଷ ଅଧିକ ରାଜସ୍ବ ଆଦାୟ ହୋଇଥିବା କୁହାଯାଇଛି। ରାଜ୍ୟ ଦ୍ରବ୍ୟ ଓ ସେବାକର(ଜିଏସଟି) ଆୟୁକ୍ତଙ୍କ ନଜରରେ ଏବେ ଗଳାବାଟ ଦେଇ ଖସି ଯାଉଥିବା ଟିକସଦାତା ରହିଛନ୍ତି। ୨୦୨୧ ଅକ୍ଟୋବରରେ ୨୭ ହଜାର ୯୨୦ ଜଣ ଟିକସଦାତାଙ୍କୁ ଜିଏସଟି ପରିସରଭୁକ୍ତ କରଯାଇଥିଲାବେଳେ ଚଳିତ ଆର୍ଥିକ ବର୍ଷରେ ଏପର୍ଯ୍ୟନ୍ତ ୨୮ ହଜାର ୨୩୪ ଜଣ ଟିକସଦାତାଙ୍କୁ ଜିଏସଟି ପରିସରଭୁକ୍ତ କରାଯାଇଥିବା ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ସୂଚନା ଅନୁଯାୟୀ, ଚଳିତବର୍ଷ ଅକ୍ଟୋବରରେ ଜିଏସଟି ବାବଦକୁ ଓଡିଶା ୩୭୬୯.୪୪ କୋଟି ଟଙ୍କା ସଂଗ୍ରହ କରିବାରେ ସଫଳ ହୋଇଛି। ୨୦୨୧ ମସିହା ଅକ୍ଟୋବରରେ ଏହି ସଂଗ୍ରହ ପରିମାଣ ଥିଲା ୩୫୯୩.୩୪ କୋଟି ଟଙ୍କା ରହିଥିଲା। ସେହିପରି ଚଳିତ ଆର୍ଥିକ ବର୍ଷ ଅକ୍ଟୋବର ମାସ ପର୍ଯ୍ୟନ୍ତ ସାମଗ୍ରିକ ଜିଏସଟି ସଂଗ୍ରହ ୨୭୯୦୧.୩୮ କୋଟି ଟଙ୍କା ରହିଥିବାବେଳେ ଗତ ଆର୍ଥିକ ବର୍ଷର ଅକ୍ଟୋବର ମାସ ପର୍ଯ୍ୟନ୍ତ ଏହା ଥିଲା ୨୩୮୯୭.୨୦ କୋଟି ଟଙ୍କାରେ ରହିଥିଲା। ଫଳରେ ଏ କ୍ଷେତ୍ରରେ ୧୬.୭୬ ପ୍ରତିଶତ ଅଭିବୃଦ୍ଧି ଘଟିଥିବା ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ଜଣାଯାଇଛି। ସାମଗ୍ରିକ ରାଜ୍ୟ ଜିଏସଟି ସଂଗ୍ରହ କ୍ଷେତ୍ରରେ ମଧ୍ୟ ଚଳିତ ଆର୍ଥିକ ବର୍ଷର ଅକ୍ଟୋବର ପର୍ଯ୍ୟନ୍ତ ୮୨୬୪.୫୯ କୋଟି ଟଙ୍କା ସଂଗୃହୀତ ହୋଇଥିବାବେଳେ ୨୦୨୧ – ୨୨ ଆର୍ଥିକ ବର୍ଷର ଅକ୍ଟୋବର ମାସ ପର୍ଯ୍ୟନ୍ତ ଏହି ସଂଗ୍ରହ ପରିମାଣ ୬୮୧୯.୯୧ କୋଟି ଟଙ୍କା ଥିଲା। ଏ କ୍ଷେତ୍ରରେ ୨୧.୧୮ ପ୍ରତିଶତ ଅଭିବୃଦ୍ଧି ଘଟିଛି। ଗତ ବର୍ଷ ତୁଳନାରେ ଚଳିତ ଆର୍ଥିକ ବର୍ଷର ଅକ୍ଟୋବର ମାସ ପର୍ଯ୍ୟନ୍ତ କେନ୍ଦ୍ରୀୟ ଜିଏସଟି (ସିଜିଏସଟି ), ସମନ୍ବିତ ଜିଏସଟି (ଆଇଜିଏସଟି) ଏବଂ ଅତିରିକ୍ତ ଟିକସ (ସେସ) କ୍ଷେତ୍ରରେ ସାମଗ୍ରିକ ବୃଦ୍ଧିହାର ଯଥାକ୍ରମେ ୧୮.୯୧ % , ୮.୧୩ % ଓ ୨୧.୧୦ ପ୍ରତିଶତ ରହିଛି।
ସେହିପରି ଗତ ଅକ୍ଟୋବରରେ ଓଡିଶା ନିଜ ପାଖରେ ରଖିବାକୁ ଥିବା ଜିଏସଟି ରାଜସ୍ବ ( ରାଜ୍ୟ ଜିଏସଟି ସହିତ ସମନ୍ବିତ ଜିଏସଟି ଫଇସଲା ବାବଦକୁ ମିଳୁଥିବା ଅର୍ଥରାଶି ) ସଂଗ୍ରହ ୧୯୩୪.୭୦ କୋଟି ଟଙ୍କା ହୋଇଥିବାବେଳେ ୨୦୨୧ ଅକ୍ଟୋବର ମାସରେ ଏହି ପରିମାଣ ୧୩୭୧.୦୯ କୋଟି ଟଙ୍କା ଥିଲା। ଏ କ୍ଷେତ୍ରରେ ଅଭିବୃଦ୍ଧି ହାର ୪୧.୧୦ ପ୍ରତିଶତ ରହିଛି। ଅନ୍ୟପକ୍ଷରେ ରାଜ୍ୟ ନିଜ ପାଖରେ ରଖୁଥିବା ସାମଗ୍ରିକ ଜିଏସଟି ରାଜସ୍ବ ସଂଗ୍ରହ ପରିମାଣ ୧୦୪୪୪.୫୮ କୋଟି ଟଙ୍କା ହୋଇଥିବାବେଳେ ୨୦୨୧ ଅକ୍ଟୋବର ପର୍ଯ୍ୟନ୍ତ ଏହି ପରିମାଣ ଥିବା ୯୦୫୨.୬୧ କୋଟି ଟଙ୍କା ରହିଥିଲା । ଏ କ୍ଷେତ୍ରରେ ୧୫.୩୮ ପ୍ରତିଶତ ଅଭିବୃଦ୍ଧି ଘଟିଛି । ସେହିପରି ପେଟ୍ରୋଲ ଓ ମଦରୁ ୮୭୭.୩୮ କୋଟି ଟଙ୍କାର ଭାଟ ରାଜସ୍ବ ଆଦାୟ କରାଯାଇଥିବାବେଳେ ଗତ ବର୍ଷ ଅକ୍ଟୋବର ମାସରେ ଏହି ପରିମାଣ ୭୨୬.୭୪ କୋଟି ଟଙ୍କା ଥିଲା। ଫଳରେ ଭାଟ୍ ରାଜସ୍ବ ଆଦାୟ କ୍ଷେତ୍ରରେ ଗତବର୍ଷ ତୁଳନାରେ ୨୦.୭୨ ପ୍ରତିଶତ ଅଭିବୃଦ୍ଧି ହୋଇଛି। ଏଥିମଧ୍ୟରୁ ପେଟ୍ରୋଲଜାତ ସାମଗ୍ରୀ କ୍ଷେତ୍ରରେ ୧୭.୯୪ ପ୍ରତିଶତ ଅଭିବୃଦ୍ଧି ଘଟିଥିବାବେଳେ ମଦ କ୍ଷେତ୍ରରେ ୩୦.୪୧ ପ୍ରତିଶତ ଅଭିବୃଦ୍ଧି ଘଟିଥିବା ଜଣାଯାଇଛି।

Comments are closed.