ପଦ୍ମପୁର : ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଅଂଚଳରେ ଗୁଣି ଗାରେଡ଼ି ସନ୍ଦେହରେ ସଂଘବଦ୍ଧ ଆକ୍ରମଣର ଶିକାର ହୋଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ପଦ୍ମପୁର ତେଲି ସାହିର ଭୈରବ ସାହୁ(୫୦)। ସୋମବାର ବିଳମ୍ବିତ ରାତି ପ୍ରାୟ ୧୨ଟା ସମୟରେ ଏହି ଘଟଣା ଘଟିଥିବା ଆଇଆଇସି ଧରଣୀଧର ପ୍ରଧାନ ସୂଚନା ଦେଇଛନ୍ତି। ଆକ୍ରମଣକାରୀଙ୍କୁ ଅଟକାଇବାକୁ ଯାଇ ଆଇଆଇସି ପ୍ରଧାନ ମଧ୍ୟ ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗି ଷ୍ଟିଚ ପଡ଼ିଥିବା ଜଣାପଡିଛି। ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣ ପାଇଁ ଘଟଣାସ୍ଥଳରେ ପୋଲିସ ଏଏସପି ଅମୂଲ୍ୟ ଧର, ଗୁଣପୁର ଏସଡିପିଓ ବାବୁଲି ନାୟକଙ୍କ ନେତୃତ୍ବରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ପୋଲିସ ସୂଚନା ଅନୁସାରେ, ଗତ ଦୁଇ ଦିନ ତଳେ ପଦ୍ମପୁରର ଏକ ଯୁବକଙ୍କ ମୃତ୍ୟୁ ହୋଇଥିଲା । ମୃତ ଯୁବକକୁ ଭୈରବ ଗୁଣି କରି ମାରିଦେଇଥିବା ନେଇ ସନ୍ଦେହ କରି ରାତି ପ୍ରାୟ ୧୨ଟା ସମୟରେ ଗୁଣି ଗାରେଡ଼ି ସନ୍ଦେହରେ ଭୈରବଙ୍କ ଘର ଉପରକୁ ସଂଘବଦ୍ଧ ଆକ୍ରମଣ ହୋଇଥିଲା। ସେ ନିଜ ଜୀବନ ବଞ୍ଚାଇବା ପାଇଁ ଦୌଡ଼ିବାରୁ ତାଙ୍କୁ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ ଲୋକେ। ଖବରପାଇ ଆଇଆଇସି ପ୍ରଧାନ ଓ ପୋଲିସ ଟିମ୍ ଆକ୍ରମଣକାରୀଙ୍କୁ ଅଟକାଇବାବେଳେ ଆଇଆଇସି ପ୍ରଧାନଙ୍କ ଉପରେ ମଧ୍ୟ ଲୋକେ ଆକ୍ରମଣ କରିବା ସହ ପୋଲିସ ଗାଡିକୁ ଭଙ୍ଗାରୁଜା କରିଥିଲେ। ଫଳରେ ଆଇଆଇସି ଆହତ ହୋଇଥିଲେ।
ତେବେ ଭୈରବଙ୍କୁ ପୋଲିସ ଘଟଣାସ୍ଥଳରୁ ଉଦ୍ଧାର କରି ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣ ରହିଛି। ଆକ୍ରମଣ ଘଟଣାର ମୁଖ୍ୟ ସୂତ୍ରଧରଙ୍କୁ ପୋଲିସ ଖୋଜୁଥିବା ବେଳେ ପଦ୍ମପୁର ଥାନା କେସ ନଂ ୬୦/୨୫ ରେ ମାମଲା ରୁଜୁ କରି ଘଟଣାରେ ଜଡିତ ୨୮ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ୨୮ ଜଣଙ୍କ ମଧ୍ୟରେ ୭ ଜଣ ନାବାଳିକା ଥିବା ଜଣାପଡିଛି। ଏଥିରେ ଆହୁରି ଅଧିକା ବ୍ୟକ୍ତି ସମ୍ପୃକ୍ତି ଥିବା ସହ ସାଇଣ୍ଟିଫିକ ଟିମ ଦ୍ବାରା ଅଧିକ ତଦନ୍ତ ଚାଲିଥିବା ଆଇଆଇସି ପ୍ରଧାନ କହିଛନ୍ତି। ପୋଲିସ ହତ୍ୟାରେ ବ୍ୟବହୁତ ହୋଇଥିବା ଠେଙ୍ଗା, କୁରାଡି, ଇଟା ପଥର , କାଠ ଫାଳିୟା ଆଦି ପୋଲିସ ଜବତ କରିଛି। ଏହି ଘଟଣା ପରେ ବର୍ତ୍ତମାନ ସାହିରେ ପୁରୁଷ ଶୂନ୍ୟ ହୋଇଥିବା ଦେଖିବାକୁ ମିଳିଛି।ବର୍ତ୍ତମାନ ପରିସ୍ଥିତି ଶାନ୍ତ ଅଛି । ଘଟଣା ଉପରେ ତୀକ୍ଷଣ ନଜର ରଖାଯାଇଛି । ଅପରାଧୀଙ୍କ ଉପରେ ଦୁଇଟି ମୋକଦ୍ଦମା କରାଯାଇଛି । ଗୋଟିଏ ହତ୍ୟା ଓ ଅନ୍ୟଟି ପୋଲିସ ଉପରକୁ ଆକ୍ରମଣ କରିଥିବା ନେଇ ମାମଲା ପଦ୍ମପୁର ଥାନାରେ ପୋଲିସ ପକ୍ଷରୁ କରାଯାଇଛି । ତଦନ୍ତ ଚାଲିଛି ବୋଲି ରାୟଗଡ଼ା ଏସପି କହିଛନ୍ତି । ହତ୍ୟାକାଣ୍ଡରେ ନାବାଳକଙ୍କ ସଂପୃକ୍ତି ଥିବା ଜଣା ପଡ଼ିବା ପରେ ଏହି ଘଟଣା ସମସ୍ତଙ୍କ ପାଇଁ ଚିନ୍ତା ବଢ଼ାଇଛି । ଘଟଣା ପରେ ସକାଳୁ ପଦ୍ମପୁରରେ ୪ ପ୍ଲାଟୁନ ପୋଲିସ ମୁତୟନ କରାଯାଇ ତଦନ୍ତ ଆରମ୍ଭ କରିଛି ପୋଲିସ।



