ପ୍ରତି ସୋମବାର ସବୁ ମୁଖ୍ୟାଳୟରେ ଅଭିଯୋଗ ଶୁଣାଣି

ସବୁ ବିଭାଗ ମୁଖ୍ୟ, ସବୁ ନିର୍ଦେଶକ ଓ ଜିଲାପାଳଙ୍କୁ ନିର୍ଦେଶ, ଭବନରେ କଡ଼ା ସୁରକ୍ଷା ବ୍ୟବସ୍ଥା ଲାଗିି ଗୃହବିଭାଗକୁ ନିର୍ଦେଶ

ଭୁବନେଶ୍ୱର : ଦୀର୍ଘ ଦୁଇବର୍ଷ ଧରି କରୋନା ମହାମାରୀ ଯୋଗୁଁ ଅସହାୟ ଲୋକଙ୍କ ଅଭିଯୋଗ ଠିକଣା ଭାବେ ଶୁଣାଣି ହୋଇପାରିନାହିଁ। ଏବେ କରୋନା ମହାମାରୀ ହ୍ରାସ ପାଇଥିବାରୁ ଲୋକଙ୍କ ଶୁଣାଣିକୁ ପ୍ରାଥମିକତା ଦିଆଯିବ। ଏଣିକି ପ୍ରତ୍ୟେକ ସୋମବାର ସବୁ ବିଭାଗ ମୁଖ୍ୟ, ସବୁ ନିର୍ଦେଶ, ସବୁ ଜିଲାପାଳ, ଆରକ୍ଷୀ ଅଧୀକ୍ଷକ ଏବଂ ପୁଲିସ ମହାନିର୍ଦେଶଙ୍କ ସ୍ତରରେ ଜନଶୁଣାଣି ହେବ। ଅସହାୟ ଲୋକେ ଯେଭଳି ନିରାଶ ନ ହୁଅନ୍ତି ସେଥିପ୍ରତି ଗୁରୁତ୍ବ ଦେଇ ଶୁଣାଣି କରିବାକୁ ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାର ପତ୍ର ଲେଖି ଅବଗତ କରାଇଛନ୍ତି।
ଶ୍ରୀ କୁମାର ପତ୍ରରେ ଦର୍ଶାଇଛନ୍ତି ଯେ କରୋନା ମହାମାରୀ ଯୋଗୁଁ ୨୦୨୦ ମାର୍ଚ୍ଚ ୧୩ରୁ ଅଭିଯୋଗ ପ୍ରକୋଷ୍ଠରେ ବ୍ୟକ୍ତିଗତ ଶୁଣାଣି ହୋଇପାରିନାହିଁ। ଏହି ସମୟରେ ସରକାରଙ୍କ ପକ୍ଷରୁ ସଞ୍ଚାର ଜରିଆରେ ‘ଜନଶୁଣାଣି’ କରାଯାଉଥିଲା। ହେଲେ ଅସହାୟ ଲୋକେ ଏହାର ଫାଇଦା ଉଠାଇ ପାରୁ ନଥିଲେ। ଏବେ ସରକାରଙ୍କ ପକ୍ଷରୁ କରୋନା କଟକଣା ହଟାଯାଇଛି, ଆସନ୍ତା ସୋମବାରଠାରୁ ପ୍ରତ୍ୟେକ୍ଷ ଭାବେ ଅଭିଯୋଗ ଶୁଣାଣି କରାଯିବ। ଲୋକସେବା ଭବନ, ଖାରବେଳ ଭବନ, ରାଜୀବ ଭବନ ଏବଂ କୃଷି ଭବନରେ ଲୋକଭିଡ଼ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡା କରିବାକୁ ଶ୍ରୀ କୁମାର ଗୃହବିଭାଗକୁ ଅବଗତ କରାଇଛନ୍ତି। ଶ୍ରୀ କୁମାର ଜିଲାପାଳମାନଙ୍କୁ ନିର୍ଦେଶ ଦେଇଛନ୍ତି ଯେ ଏଣିକି ଅଭିଯୋଗ ପ୍ରକୋଷ୍ଠରେ ଲୋକେ ଯେଭଳି ଠିକଣା ଭାବେ ତାଙ୍କର ମତ ରଖିପାରିବେ ସେଥିପ୍ରତି ଦୃଷ୍ଟି ଦେଇ ବ୍ୟାପକ ପ୍ରଚାର ଓ ପ୍ରସାର କରିବାକୁ ପଡ଼ିବ। ଆବଶ୍ୟକ ପଡ଼ିଲେ ଯୁଗ୍ମ ଶୁଣାଣି କରିହେବ। ସଂପ୍ରତି ଗ୍ରୀଷ୍ମପ୍ରବାହ ଦୃଷ୍ଟିରୁ ଲୋକେ ଯେଭଳି ପାନୀୟଜଳ ଓ ବିଶ୍ରାମ ନେବାରେ ଅସୁବିଧାର ସମ୍ମୁଖୀନ ନହୁଅନ୍ତି ତାକୁ ନଜରରେ ରଖି ପାନୀୟଜଳ ଓ ବିଶ୍ରାମସ୍ଥଳର ବ୍ୟବସ୍ଥା କରାଯାଇ ପାରିବ। ସବୁଠାରୁ ବଡ଼କଥା ହେଲା ଲୋକେ ଯେଉଁ ଅଭିଯୋଗ କରିବେ, ତାଙ୍କୁ ତୁରନ୍ତ ଅଭିଯୋଗ ପାଇବାର ରସିଦ୍ ତଥା ‘ଆକନଲେଜମେଣ୍ଟ’ ପ୍ରଦାନ କରାଯିବ। ଉକ୍ତ ଅଭିଯୋଗକୁ ସଞ୍ଚାରଭିତ୍ତିକ ଜନଶୁଣାଣି ପୋର୍ଟାଲରେ ଅପଲୋଡ କରାଯିବ। ପ୍ରତି ଅଭିଯୋଗର ସମାଧାନ ଲାଗି ଜିଲାପାଳମାନେ ଉଚ୍ଚପଦସ୍ଥ ଅଧିକାରୀଙ୍କ ଜରିଆରେ ତ୍ବରିତ ପଦକ୍ଷେପ ନେବାକୁ ଶ୍ରୀ କୁମାର ନିର୍ଦେଶ ଦେଇଛନ୍ତି।

Comments are closed.