ମହାନଦୀ ସବୁଜ ମିଶନ ବିଫଳ

ଖର୍ଚ୍ଚ ହେଲାଣି ୧୨୧.୫୪କୋଟି, କାଗଜକଲମରେ ଲାଗୁଛି ଚାରା

ଭୁବନେଶ୍ୱର : ମହାନଦୀର ଉଭୟ ପାର୍ଶ୍ବରେ ଜଳଧାରଣ କ୍ଷମତା ବଢ଼ାଇବା, ଭୂତଳ ଜଳ ହ୍ରାସ ରୋକିବା ଏବଂ ଅନୁକୂଳ ପରିବେଶ ସୃଷ୍ଟି ଲକ୍ଷ୍ୟ ନେଇ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ୨୦୧୮ ଜୁଲାଇରେ ସବୁଜ ମହାନଦୀ ମିଶନ ହାତକୁ ନିଆଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମହତ୍ତ୍ବାକାଂକ୍ଷୀ ଯୋଜନାକୁ ଉଦ୍‌ଘାଟନ କରିଥିଲେ। ଆଭିମୁଖ୍ୟ ରହିଥିଲା ଯେ ୫ବର୍ଷରେ ମହାନଦୀର ଉଭୟ ପାର୍ଶ୍ବରେ ବ୍ୟାପକ ବନୀକରଣ କରାଯିବା ସହିତ ଅନ୍ୟାନ୍ୟ ନଦୀପଠାରେ ଚାରାରୋପଣ କରାଯିବ। ନଦୀ କ୍ଷୟକୁ ରୋକାଯିବା ସହିତ ନଦୀର ଜଳଧାରଣ କ୍ଷମତା ବଢ଼ାଇବ। ହେଲେ ମିଶନର ଅବଧି ପୂରଣ ହେବାକୁ ଆଉ ମାତ୍ର ୧ମାସ ବାକି ରହିଥିବାବେଳେ ଏହା ଫସର ଫାଟି ଗଲା ଭଳି ପରିଲକ୍ଷିତ ହେଉଛି। ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଏହି ମିଶନ ପୂରଣ ପାଇଁ ପୂର୍ବରୁ ଯେଭଳି ଆନ୍ତରିକତା ଦେଖାଉଥିଲା ତାହା ଏବେ ଆଉ ଦେଖିବାକୁ ମିଳୁନାହିଁ। ସରକାରଙ୍କ ପକ୍ଷରୁ ଯୋଜନା ବାବଦରେ ଯେଉଁ ଅର୍ଥ ଆସୁଛି ତାହା ଠିକଣା ଭାବେ ଖର୍ଚ୍ଚ ହେଉନାହିଁ। କେବଳ କାଗଜପତ୍ରରେ ଚାରାରୋପଣ ଦର୍ଶାଯାଇଛି।
ଅଭିଯୋଗ ଅନୁଯାୟୀ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଇତିମଧ୍ୟରେ ଗତ ୫ବର୍ଷରେ ୧୨୧.୫୪ କୋଟି ଟଙ୍କା କେବଳ ଏହି ମିଶନରେ ଖର୍ଚ୍ଚ ହୋଇଛି। ହେଲେ ମହାନଦୀ ଅବବାହିକାର ଉଭୟ ପାର୍ଶ୍ବ ଗତ ୫ବର୍ଷ ତଳେ ଯେମିତି ଥିଲା ତା’ଠାରୁ ଏବେ ଦୟନୀୟ ସ୍ଥିତିରେ ଅଛି। ମହାନଦୀ ପଠାର ଉଭୟ ପାର୍ଶ୍ବରେ ଚାରାରୋପଣ ନହେବା ଯୋଗୁଁ ବର୍ଷାରେ ମାଟି କ୍ଷୟ ହେବା ସହିତ ବନ୍ଧବାଡ଼ ଖାଇ ଗଲାଣି। ଯାହାଫଳରେ ବର୍ଷାଦିନେ ମହାନଦୀର ଜଳ ନିଷ୍କାସନ ସମୟରେ ତଳମୁଣ୍ଡକୁ ଠିକଣା ଭାବେ ପାଣି ନଆସି ଜନବସତିକୁ ଜଳାର୍ଣ୍ଣବ କରୁଥିବାରୁ ନାହିଁ ନଥିବା ପରିସ୍ଥିତି ସୃଷ୍ଟି ହେଉଛି।
ବିଭାଗୀୟ ତଥ୍ୟ କହୁଛି ଯେ ୨୦୧୮-୧୯ ଆର୍ଥିକ ବର୍ଷରେ ୨୯.୫୪ କୋଟି ଟଙ୍କା କେବଳ ଚାରାରୋପଣ ପାଇଁ ଖର୍ଚ୍ଚ ହୋଇଛି। ସେହିପରି ୨୦୧୯-୨୦ରେ ୫୧କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ୨୦୨୦-୨୧ରେ ୩୧କୋଟି, ୨୦୨୧-୨୨ରେ ୫କୋଟି ଏବଂ ୨୦୨୨-୨୩ରେ ୫କୋଟି ଟଙ୍କା ପ୍ରଦାନ କରାଯାଇଛି। ଇତିମଧ୍ୟରେ ସରକାରଙ୍କ ପକ୍ଷରୁ ୧୨୧.୫୪ କୋଟି ଟଙ୍କା ପ୍ରଦାନ କରାଯାଇ ସାରିଲାଣି। ହେଲେ ଏହି ଅର୍ଥରେ ଯେତିକି ପରିମିତ ଅଞ୍ଚଳରେ ଚାରାରୋପଣ ହେବା କଥା ତାହା ହୋଇନାହିଁ।
ଯୋଜନା ପ୍ରଣୟନ ବେଳେ ବିଭାଗର ଲକ୍ଷ୍ୟ ଥିଲା ଯେ ମହାନଦୀ, ଇବ୍ ଏବଂ ତେଲ ନଦୀ ପଠାର ୪୧ହଜାର ହେକ୍ଟର ପରିମିତ ଅଞ୍ଚଳରେ ୫କୋଟି ଚାରାରୋପଣ ହେବ। ଏହାବାଦ୍ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ୨କୋଟି ଲେଖାଏଁ ଚାରାରୋପଣ କରାଯିବ। ଚାରାରୋପଣ ବେଳେ ଅର୍ଥକାରୀ ଫସଲ ଆମ୍ବ, ପଣସ ଓ ଜାମୁକୋଳି ଗଛ ମଧ୍ୟ ଲଗାଯିବାକୁ ନିଷ୍ପତ୍ତି ହୋଇଥିଲା। ଉଦ୍ୟାନ ଓ ଜଳସମ୍ପଦ ବିଭାଗର ସମନ୍ବୟରେ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଏହି ମିଶନ କାର୍ଯ୍ୟକାରୀ ହେବାକୁ ଲକ୍ଷ୍ୟ ରହିଥିଲା। ଯୋଜନାର ସଫଳ ରୂପାୟନ ଉପରେ ଆଗାମୀ ଦିନର ଜଳବାୟୁ ପରିବର୍ତ୍ତନ ଓ ଅନୁକୂଳ ପରିବେଶ ନିର୍ଭରଶୀଳ। ଏହାସହିତ ମହାନଦୀର ଉପର ମୁଣ୍ଡରେ ଛତିଶଗଡ଼ ସରକାର କରିଥିବା ୬୫ରୁ ଊର୍ଦ୍ଧ୍ବ ସେତୁ ସତ୍ତ୍ବେ ୧୬ଟି ଜିଲାର ଲୋକେ ପାଣି ପାଇଁ ଡହଳବିକଳ ହୋଇ ନଥାନ୍ତେ। ମିଶନ ବାଟ ହୁଡ଼ିଥିଲେ ମଧ୍ୟ ସେ ଦିଗ ପ୍ରତି କାହାର ଦୃଷ୍ଟି ନାହିଁ। ଏମିତିକି ଗତ ୨ବର୍ଷ ଧରି ଏହି ମିଶନର ଗୋଟିଏ ହେଲେ ସମୀକ୍ଷା ବୈଠକ ହୋଇ ନଥିବା ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ଡ. ମୋନା ଶର୍ମାଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ସେ ଉତ୍ତର ରଖି ନଥିଲେ।

kalyan agarbati

Comments are closed.