ବିଶ୍ୱବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ୱ ଦେବା ଆବଶ୍ୟକ

0

ଭୁବନେଶ୍ୱର : ପୃଥିବୀର ଭବିଷ୍ୟତ ଶ୍ରେଣୀଗୃହରେ ନିର୍ମିତ ହୁଏ। ଏଭଳି ଏକ ଗୁରୁଦାୟିତ୍ୱକୁ ନିର୍ବାହ କରନ୍ତି କୁଳପତିମାନେ। ସେମାନେ ଅଧିକ କ୍ରିୟାଶୀଳ ହୋଇ ବିଶ୍ୱବିଦ୍ୟାଳୟର ଶୈକ୍ଷିକ ମାନ ବୃଦ୍ଧି କରିବାକୁ ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍‍ ଆହ୍ୱାନ ଦେଇଛନ୍ତି।
ରାଜଭବନରେ ଆୟୋଜିତ ପାରସ୍ପରିକ ଭାବ ବିନିମୟ କାର୍ଯ୍ୟକ୍ରମରେ କୁଳାଧିପତି ତଥା ରାଜ୍ୟପାଳ କହିଥିଲେ ଯେ ପ୍ରକୃତି କୋଳରେ ହିଁ ବ୍ୟକ୍ତିତ୍ୱର ସାବଲୀଳ ଅଭିବୃଦ୍ଧି ଘଟେ। ତେଣୁ ଛାତ୍ରଛାତ୍ରୀଙ୍କୁ ପ୍ରକୃତି ଓ ପରିବେଶ ସହ ଯୋଡ଼ିବା ପାଇଁ କୁଳପତିମାନେ ସ୍ୱତନ୍ତ୍ର ଭାବେ ପଦକ୍ଷେପ ନେବା ଆବଶ୍ୟକ। ପ୍ରତ୍ୟେକ ବିଶ୍ୱବିଦ୍ୟାଳୟ ସବୁଜ କ୍ୟାମ୍ପସ ଲକ୍ଷ୍ୟ ହାସଲ ନିମନ୍ତେ ଉଦ୍ୟମ କରିବା ଦରକାର। ବିଶ୍ୱବିଦ୍ୟାଳୟଗୁଡ଼ିକରେ ଗବେଷଣାକୁ ବେଶୀ ଗୁରୁତ୍‍ ଦେବା ଦରକାର ଓ ଏଥିପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିବା ଉଚିତ। ଠିକଣା ସମୟରେ ପରୀକ୍ଷା, ଫଳ ପ୍ରକାଶନ ଓ ସାର୍ଟିଫିକେଟ୍‍ ପ୍ରଦାନ କରାଯିବା ଆବଶ୍ୟକ। ବିଭିନ୍ନ କ୍ଷେତ୍ରରେ ଅନ୍ତର୍ଜାତୀୟ ପ୍ରସିଦ୍ଧି ଅର୍ଜନ କରିଥିôବା ବ୍ୟକ୍ତିବିଶେଷଙ୍କୁ ନିମନ୍ତ୍ରଣ କରି ବକ୍ତୃତା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ରାଜ୍ୟପାଳ କୁଳପତିମାନେ ପଦକ୍ଷେପ ଗ୍ରହଣ କରିବା ଜରୁରୀ। ରାଜ୍ୟପାଳ ଆନ୍ତଃବିଶ୍ୱବିଦ୍ୟାଳୟ ସହଯୋଗିତା ଓ ସହଭାଗିତା ଉପରେ ଗୁରୁତ୍ୱଆରୋପ କରି ଅନ୍ୟ ବିଶ୍ୱବିଦ୍ୟାଳୟର ଉତ୍ତମ କାର୍ଯ୍ୟଧାରାକୁ ଆପଣେଇବା ସହ ଦେଶବିଦେଶର ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟ ସହ ସମ୍ପର୍କ ଓ ସକ୍ରିୟ ସହଯୋଗ ପାଇଁ ଉଦ୍ୟମ କରିବାକୁ କହିଛନ୍ତି। ଓଡ଼ିଶାର ଜନଜାତିଙ୍କ ସର୍ବାଙ୍ଗୀଣ ବିକାଶ ନିମନ୍ତେ ବିଶ୍ୱବିଦ୍ୟାଳୟଗୁଡ଼ିକ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ରାଜ୍ୟପାଳ ଆହ୍ୱାନ ଦେଇଛନ୍ତି। ମହାତ୍ମାଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ପ୍ରତ୍ୟେକ ବିଶ୍ୱବିଦ୍ୟାଳୟ ଗାନ୍ଧି-ଦର୍ଶନ ଓ ଚିନ୍ତନର ପ୍ରସାର ପାଇଁ ବ୍ୟାପକ ଯୋଜନା ଓ କାର୍ଯ୍ୟକ୍ରମ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି।
କାର୍ଯ୍ୟକ୍ରମରେ କୁଳପତିମାନେ ବିଶ୍ୱବିଦ୍ୟାଳୟର ସ୍ଥିତି, ଅଗ୍ରଗତି ଓ ଅଭାବ-ଅସୁବିଧା ସମ୍ପର୍କରେ ତଥ୍ୟ ଓ ସୂଚନା ଉପସ୍ଥାପନା କରିଥିଲେ। ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ସି.ଜେ.ବେଣୁଗୋପାଳ, ଅତିରିକ୍ତ ସଚିବ ସୁକାନ୍ତ ପ୍ରଧାନଙ୍କ ସମେତ ବିଶ୍ୱବିଦ୍ୟାଳୟର କୁଳପତିମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Leave A Reply