ଗୌରୀଲଙ୍କେଶ ହତ୍ୟା ମାମଲାରେ ୭ ଗିରଫ

0

ବେଙ୍ଗାଲୁରୁ : ସାମ୍ବାଦିକ ଗୌରୀ ଲଙ୍କେଶଙ୍କ ହତ୍ୟା ମାମଲାରେ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଶୁକ୍ରବାର ୭ ଜଣ ବ୍ୟକ୍ତିଙ୍କୁ ସନ୍ଦେହରେ ଗିରଫ କରିଛି। କର୍ଣ୍ଣାଟକର ଦକ୍ଷିଣ କନ୍ନଡ ଜିଲାଠାରୁ ମୋହନ ନାୟକ (୫୦ ବର୍ଷ)ଙ୍କୁ ଜୁଲାଇ ୧୮ରେ ଗିରଫ କରି ତୃତୀୟ ଅତିରିକ୍ତ ମେଟ୍ରୋପଲିଟାନ୍‍ ମାଜିଷ୍ଟ୍ରେଟ୍‍ଙ୍କ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ତାଙ୍କୁ ୬ ଦିନ ପାଇଁ ପୁଲିସ ହାଜତକୁ ପଠାଇ ଦେଇଥିବା ପୁଲିସ ପ୍ରକାଶ କରିଛି। ସେହିଭଳି ଦକ୍ଷିଣପନ୍ଥୀଙ୍କ ସହିତ ଜଡିତ ଥିବା ପର୍ଶୁରାମ ୱାଘମାରେ (୨୬)କୁ ବିଜୟପୁରା ଜିଲାର ସିନ୍ଧାଗିଠାରୁ ଜୁନ୍‍ରେ ଗିରଫ କରାଯାଇଥିଲା। ଏସ୍‍ଆଇଟି ଦ୍ୱାରା ଗିରଫ ହୋଇଥିବା ଅନ୍ୟମାନେ ହେଲେ କେ. ଟି. ନବିନ କୁମାର ଓରଫ ହୋଟ୍ଟେ ମାଞ୍ଜା, ଅମୋଲ କାଲେ, ମନୋହର ଏଡଭେ, ସୁଜିତ କୁମାର ଓରଫ ପ୍ରବୀଣ ଏବଂ ଅମିତ ଡେଗବେକ। ଏଡଭେ ଓ ସୁଜିତକୁ କର୍ଣ୍ଣାଟକରୁ ଏବଂ ହିନ୍ଦୁ ଯୁବ ସେନା ପ୍ରତିଷ୍ଠାତା ନବୀନକୁ ବେଙ୍ଗାଲୁରୁରୁ ଗିରଫ କରାଯାଇଛି। ଅନ୍ୟ ୪ ଜଣ ବ୍ୟକ୍ତି ବିଶିଷ୍ଟ କନ୍ନଡ ଲେଖକ କେ. ଏସ୍‍. ଭଗବାନଙ୍କୁ ହତ୍ୟା ଯୋଜନା କରିବା ଅଭିଯୋଗ ଗିରଫ ହୋଇଛନ୍ତି। ଲଙ୍କେଶଙ୍କ ହତ୍ୟା ଘଟଣାରେ ସେମାନଙ୍କ ସମ୍ପୃକ୍ତି ରହିଥିବା ପୁଲିସ ସନ୍ଦେହ କରୁଛି। ୨୦୧୭ ସେପ୍ଟେମ୍ବର ୫ରେ ଲଙ୍କେଶଙ୍କୁ ତାଙ୍କ ଘର ସମ୍ମୁଖରେ ଗୁଳି କରି ହତ୍ୟା କରାଯାଇଥିଲା।

Leave A Reply