ଭକ୍ତଙ୍କ ଗହଣରେ ମାଉସୀ ମା ମନ୍ଦିରକୁ ବିଜେ କଲେ ତିନି ଠାକୁର

ଗୋପାଳପୁର : ଗୋପାଳପୁର ସମେତ ରଙ୍ଗେଇଲୁଣ୍ଡା ବ୍ଲକ ଅଞ୍ଚଳରେ ଥିବା ସମସ୍ତ ଜଗନ୍ନାଥ ମନ୍ଦିରରେ ଆଜି ନୀତିକାନ୍ତି ସହ ତିନି ଠାକୁରଙ୍କ ରଥଯାତ୍ରା ସମ୍ପନ୍ନ ହୋଇଛି। ଏହି କ୍ରମରେ ରଙ୍ଗେଇଲୁଣ୍ଡା ବ୍ଲକ ମନ୍ତ୍ରିଡି ସ୍ଥିତ ସିଦ୍ଧ ଭୈରବୀ ମନ୍ଦିରର ଜଗନ୍ନାଥ ମନ୍ଦିରରେ ରଥ ଯାତ୍ରା ସମାପନ ହୋଇଛି।  ରଥଯାତ୍ରା ଅବସରରେ ଜଗନ୍ନାଥ ମନ୍ଦିରରେ ନୀତିକାନ୍ତି ସହ ଦିନ ୯ଟା ବେଳେ ଆରତୀ କରାଯାଇ ମନ୍ଦିର କମିଟି ସହ  ମନ୍ଦିର ପୂଜକଙ୍କୁ ନେଇ ମନ୍ଦିର ଭିତରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପହଣ୍ଡି  କରାଯାଇଥିଲା। ଏଥିରେ  ଭୈରବ ପାଣିଗ୍ରାହୀ ପରମ୍ପରା ଅନୁଯାୟୀ ଛେରା ପହଁରା କାର୍ଯ୍ୟ କରିଥିଲେ । ରଥ ଟାଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ପରାମର୍ଶ ଦାତା ଗୋପବନ୍ଧୁ ଦାସ  ମୁଖ୍ୟ ଅତିଥି ଭାବେ ଯୋଗଦେଇ ରଥ ଟଣା ଶୁଭାରମ୍ଭ କରିଥିଲେ। ମନ୍ତ୍ରିଡି ସରପଞ୍ଚ ପ୍ରଶାନ୍ତ ଦାସ, କୋଠାରସିଂ ସରପଞ୍ଚ ଦୁର୍ଯ୍ୟୋଧନ ରେଡ୍ଡୀ, ସମିତି ସଭ୍ୟ ଆଶିଷ କୁମାର ରାଉଳ ପ୍ରମୁଖ ଉପସ୍ଥିତ ଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ସଦର ଏସଡିପିଓ ଶିବ ଶଙ୍କର ମହାପାତ୍ର, ଗୋଳନ୍ଥରା ଥାନା ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।
ତିନି ରଥଟଣା ସମୟରେ ଅଞ୍ଚଳର ପ୍ରାୟ ଦଶ ହଜାରରୁ ଅଧିକ ଭକ୍ତଙ୍କ ଭିଡ଼ ଜମିଥିଲା । ମନ୍ଦିର କମିଟି ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ କହିଛନ୍ତି ବାହୁଡା଼ ଯାତ୍ରା ପ୍ରର୍ଯ୍ୟନ୍ତ ମନ୍ଦିର ବେଢାରେ ଚଳିତ ବର୍ଷ ଯେଉଁ ଦିନ ଯୋଉଁ ପର୍ବ ରହିବ ସେହି ଅନୁସାରେ ପାଳନ କରିବାକୁ କମିଟି ନିଷ୍ପତ୍ତି ନେଇଛନ୍ତି। ମନ୍ଦିର ଖୋଲା ଥିବାରୁ ଦର୍ଶନ ଲାଗି ଭକ୍ତଙ୍କ ମଧ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି। ସଭ୍ୟମାନଙ୍କ ମଧ୍ୟରେ ବୁଢ଼ା ପାଣିଗ୍ରାହୀ, ପ୍ରଶାନ୍ତ କୁମାର ସାହୁ, ଚିତ୍ତରଂଜନ ଦାଶ, ଇ. ସିମାଦ୍ରି,  ପି.ପ୍ରଦୀପ ପାତ୍ର, ରେଡ୍ଡୀ ସଂଘମର ସିଏଚ.ଦିଲେଶ୍ୱର ରେଡ୍ଡୀ, ଡି. ଭରତ ରେଡ୍ଡୀ, ଡିଲିଗା ରେଡ୍ଡୀ, ଆର.ହାରମ୍ବା ରେଡ୍ଡୀଙ୍କ ସହ ଅନ୍ୟମାନେ ଯୋଗ ଦେଇଥିଲେ।ପୁରୋହିତ ଭାବେ ଭୁବୁନି ଶତପଥୀ ପୂଜା ପାଠ କରିଥଲେ ଏବଂ ମନ୍ଦିର ପୂଜକ ମାନେ ଉପସ୍ଥିତ ଥିଲେ।
ସେହିପରି ମନ୍ତ୍ରୀଡି ଗ୍ରାମ ଭିତରେ ଥିବା ବହୁ ପୁରାତନ ଜଗନ୍ନାଥ ମନ୍ଦିରର ରଥ ନଥାଇ ପହଣ୍ଡି ଦ୍ଵାରା ରଥ ଯାତ୍ରା ଆର. ସୁବାଣୀ ଗ୍ରାମର କର୍ତ୍ତା ଭି. ରାଜୁ ରେଡ୍ଡୀ ଙ୍କ ତତ୍ବାବଧାନରେ ରେଡ୍ଡୀ ସଂଘମ ଦ୍ବାରା ରଥଯାତ୍ରା ସମାପନ ହୋଇଥିଲା। ଦୀର୍ଘ ୨୫ ବର୍ଷ ହେଲା ରଥ ନଥାଇ ରଥ ଯାତ୍ରା ହେବା କ୍ଷୋଭର ବିଷୟ ବୋଲି ଅଞ୍ଚଳ ବାସୀ ଏବଂ ରେଡ୍ଡୀ ସଂଘମ୍ କହିଛନ୍ତି । ସେହିପରି ଗୋପାଳପୁରର  ଶିଗିଡି ସାହି ଠାରେ ଥିବା ଜଗନ୍ନାଥ ମନ୍ଦିରରେ ମଧ୍ୟ ନୀତି କାନ୍ତି ଅନୁସାରେ ପୂଜାର୍ଚ୍ଚନା ପରେ ପହଣ୍ଡି ବିଜେ କରାଯାଇ ତିନି ମୂର୍ତ୍ତିଙ୍କୁ ରଥା ରୁଢ କରାଯାଇଥିଲା। ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଅତିଥି ଭାବେ ଯୋଗଦେଇ ଛେରାପହଁରା କରିବା ପରେ ରଥ ଟଣା ଆରମ୍ଭ କରାଯାଇଥିଲା।
prayash

Comments are closed.