ପରିବେଶ ସୁରକ୍ଷିତ ରହିଲେ ସୁସ୍ଥ ହୋଇପାରିବ ଭାରତ

ଏଚପିସିଏଲ ପକ୍ଷରୁ ସକ୍ଷମ ସଚେତନତା କାର୍ଯ୍ୟକ୍ରମ

ଗୋପାଳପୁର: ମଣ୍ଡିଆପଲି ଠାରେ ଆଜି ପେଟ୍ରୋଲିଅମ ମନ୍ତ୍ରାଳୟ ନିର୍ଦେଶ କ୍ରମେ ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ସ୍ଥାନୀୟ ସ୍ବେଛାସେବୀ , ସ୍କୁଲ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ। ଏହି ଅବସରରେ ପରିବେଶର ସ୍ୱଚ୍ଛତା ଓ ସବୁଜ ବଳୟ ଉପରେ ସଚେତନ ସୃଷ୍ଟି କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ସମାଜ ସେବୀ ପଞ୍ଚୁ ବେହେରା ଯୋଗ ଦେଇ ବାୟୁମଣ୍ଡଳ କିଭଳି ଦୁଷିତ ନ ହେବ ସେ ଦିଗରେ ନିଜେ ସଚେତନ ରହି ଅନ୍ୟମାନଙ୍କୁ ସେ ଦିଗରେ ସଚେତନତା କରିବା ପାଇଁ ପରାମର୍ଶ ଦେଇଥିଲେ। ପରିବେଶ ସୁରକ୍ଷା ପାଇଁ ଗଛର ଭୂମିକା ରହିଛି। ତେଣୁ ତାହାକୁ ଜାଳେଣି ଭାବେ ବ୍ୟବହାର ନକରି ବରଂ ପେଟ୍ରୋଲିଅମ ଗ୍ୟାସ ବ୍ୟବହାର କରିବା ଦ୍ୱାରା ପରିବେଶର ସୁରକ୍ଷା ହୋଇପାରିବ। ଯାହାଫଳରେ ଏକ ସୁସ୍ଥ ଭାରତ ଗଠନ ହୋଇପାରିବ ବୋଲି ସେ କହିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଉକ୍ତ ଗ୍ରାମ କମିଟିର ସଭାପତି ଜି. ନନ୍ଦ କୁମାର ରେଡ୍ଡୀ, ଏଚପିସିଏଲର ଜିଲା ସେଲ୍ସ ମେନେଜର, ଅଙ୍ଗନବାଡି କର୍ମୀ ଅନିତା ଆଚାର୍ଯ୍ୟ, ସ୍ବେଛାସେବୀ ପ୍ରସାଦ ରେଡ୍ଡୀ, ପ୍ରକାଶ ଚନ୍ଦ୍ର ଦାଶ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ବିଦ୍ୟାର୍ଥୀ ମାନଙ୍କ ଦ୍ୱାରା ପରିବେଶ ସୁରକ୍ଷା ସମ୍ପର୍କିତ ଏକ କୁଇଜ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ କୃତୀ ଛାତ୍ରୀଛାତ୍ରଙ୍କୁ ଗ୍ୟାସ ଚୁଲା , ଗ୍ୟାସ ସିଲିଣ୍ଡର ଅନ୍ୟାନ୍ୟ ସାମଗ୍ରୀ ଦେଇ ପୁରସ୍କୃତ କରାଯାଇଥିଲା। ସେହିପରି ପରିବେଶ ସୁରକ୍ଷା ସମ୍ପର୍କରେ  ବିଦ୍ୟାର୍ଥୀ ମାନେ ଏକ ସାଇକେଲ ଶୋଭାଯାତ୍ରା ରେ ବାହାରି ମଣ୍ଡିଆପଲି ଗ୍ରାମ ପରିକ୍ରମା କରିବା ସହ ଲୋକମାନଙ୍କୁ ଏଦିଗରେ ସଚେତନତା କରିଥିଲେ। କାର୍ଯ୍ୟକ୍ରମରେ ଜିଲାର ସମସ୍ତ ଏଚପିସିଏଲ ଡ଼ିଷ୍ଟ୍ରିବ୍ୟୁଟର ଓ ସେଲ୍ସମେନ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.