ଥାନା କର୍ମଚାରୀଙ୍କୁ ମାଡ଼ ଅଭିଯୋଗରେ ୫ ଗିରଫ

ଭବାନୀପାଟଣା: ବାଇକ୍ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁକୁ କେନ୍ଦ୍ରକରି ଗତ କିଛିଦିନ ଧରି କଳାହାଣ୍ଡି ଥୁଆମୁଳ ରାମପୁର ଅଞ୍ଚଳରେ ଅଶାନ୍ତ ହୋଇପଡିଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି ସହିତ ଦୁର୍ଘଟଣା ଘଟାଇଥିବା ବାଇକ୍ ଚାଳକ ପ୍ରତି କଠୋର କାର୍ଯ୍ୟନୁଷ୍ଠାନ ନିଆନଯିବା ପ୍ରତିବାଦରେ ଲୋକେ ଥାନା ଉପରେ ପଥର ମାଡ କରିଥିବା ଏପରିକି କିଛି ପୋଲିସ କର୍ମଚାରୀଙ୍କୁ ମାଡ ମାରିଥିବା ଅଭିଯୋଗ ହେଇଛି।

ସୂଚନା ଅନୁଯାୟୀ ଥୁଆମୂଳ ରାମପୁର ଥାନା ଦାବିରିଗୁଡା ଗାଁର ମଣ୍ଟୁ ନାଏକ (୨୩) ଓ ଉମାଶଙ୍କର ନାଏକ (୨୫) ବସିଥିବା ବାଇକ୍ ସହିତ ଡୁମେରପଦର ଗାଁର ଫିରୋଜ ନାଏକ ଓ ଦୀପେନ୍ଦ୍ର ନାଏକ ବାଇକ୍ ମଧ୍ୟରେ ଗତ ରବିବାର ଦିନ ମୁହାଁମୁହିଁ ଧକ୍କା ହେଇଥିଲା। ଫଳରେ ଡୁମେରପଦର ଗାଁର ଫିରୋଜ ଡାକ୍ତରଖାନାରେ ମୃତ୍ୟୁବରଣ କରିଥିବା ବେଳେ ଦୀପେନ୍ଦ୍ର ନାଏକ ଗୁରୁତର ଆହତ ହୋଇ ବୁର୍ଲା ଡାକ୍ତରଖାନାରେ ଚିକିତ୍ସାଧିନ ଅଛନ୍ତି। ଏହି ଘଟଣାକୁ କେନ୍ଦ୍ରକରି ଉତ୍ୟକ୍ତ ଲୋକେ ଗତକାଲି ଥୁଆମୂଳ ରାମପୁର ଥାନା ଘେରାଉ କରିଥିଲେ। ପରେ ଥାନା ମୁଖ୍ୟ ଫାଟକର ତାଲା ଭାଙ୍ଗି ପଥର ମାଡ କରିଥିଲେ। ଲୋକଙ୍କ ପଥର ମାଡ଼ରେ ଜଣେ ଏସଆଇ ଏବଂ  କନେଷ୍ଟବଳଙ୍କ ଆହତ ହେଇଥିବା ବେଳେ ଅନ୍ୟ ପୁଲିସ କର୍ମଚାରୀ ମାନେ ଅଳ୍ପକେ ବର୍ତ୍ତିଯାଇଥିଲେ। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଲିସ ଆନ୍ଦୋଳନକାରୀଙ୍କୁ ଘଉଡେଇ ଦେଇଥିଲା। ପରେ ଜିଲ୍ଲା ମହକୁମାରୁ ଅଧିକ ସଂଖ୍ୟକ ପୁଲିସ ଘଟଣାସ୍ଥଳକୁ ଯାଇ ପରିସ୍ଥିତି ନିୟନ୍ତ୍ରଣ କରିଥିଲେ। ଏସଂକ୍ରାନ୍ତରେ ଥୁଆମୁଲ ରାମପୁର ଥାନାରେ ବିଭିନ୍ନ ସଙ୍ଗୀନ ଦଫାରେ ମାମଲା ରୁଜୁ ହେଇ ତଦନ୍ତ ଚାଲିଛି। ଏହି ଘଟଣାରେ ସଂପୃକ୍ତ ଅଭିଯୋଗରେ ନିଧନ ନାଏକ, ନେପାଳ ନାଏକ, ଟିବୁ ନାଏକ, ଲକ୍ଷ୍ମୀକାନ୍ତ ନାଏକ, ଚକ୍ରଧର ନାଏକ ପ୍ରମୁଖଙ୍କୁ କୋର୍ଟ ଚଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତ୍ ପଠାଇ ଦିଆଯାଇଛି। ଏଥିସହିତ ଡୁମେରପଦର ଓ ବିରମଲଗୁଡା ଗାଁର ୩୦ରୁ ଉର୍ଦ୍ଧ୍ବ ଲୋକଙ୍କ ନାମ ମାମଲା ଋଜୁ ହୋଇଥିବା ଜଣାପଡିଛି।

Comments are closed.