ଇସ୍ରାଏଲରେ ୨ ବ୍ରିଟିଶ ସାଂସଦ ଅଟକ

ସମାଜ ଡିଜିଟାଲ ଡେସ୍କ: ଇସ୍ରାଏଲରେ ବ୍ରିଟେନର ଦୁଇ ସାଂସଦଙ୍କୁ ଅଟକ ରଖାଯାଇଛି। ମହିଳା ସାସଂଦ ଦ୍ବୟ ଇସ୍ରାଏଲ ବିମାନବନ୍ଦରରେ ଓହ୍ଲାଇବା ପରେ ସେମାନଙ୍କୁ ଦେଶରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇନାହିଁ। ଏହି ଘଟଣାକୁ ନେଇ ବ୍ରିଟେନ ଉତକ୍ଷିପ୍ତ ହୋଇପଡ଼ିଛି। ବୈଦେଶିକ ସଚିବ ଡେଭିଡ ଲୈମୀ କହିଛନ୍ତି, ଇସ୍ରାଏଲ ଦ୍ବାରା ଦୁଇ ବିଟିଶ ସାଂସଦଙ୍କୁ ଅଟକ ରଖାଯିବା ଏବଂ ସେମାନଙ୍କୁ ଦେଶରେ ପ୍ରବେଶ କରିବାକୁ ବାରଣ କରାଯିବା ଅଗ୍ରହଣୀୟ ଏବଂ ଗମ୍ଭୀର ଚିନ୍ତାର ବିଷୟ।

ବ୍ରିଟିଶ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଶାସକ ଲେବର ପାର୍ଟିର ସାଂସଦ ୟୁଆନ ୟାଙ୍ଗ ଏବଂ ଅବ୍‌ତିସମ ମହମ୍ମଦ ଲଣ୍ଡନରୁ ଇସ୍ରାଏଲ ଗସ୍ତ କରିଥିଲେ। କିନ୍ତୁ ଇସ୍ରାଏଲ ଅଧିକାରୀମାନେ ସେମାନଙ୍କୁ ଦେଶରେ ପ୍ରବେଶ କରିବାକୁ ଦେଇ ନ ଥିଲେ। ଉଭୟଙ୍କୁ ଅଟକ ରଖିବା ପରେ ସ୍ବଦେଶ ଫେରାଇ ଦେଇଥିଲେ।

ଲୈମୀ କହିଛନ୍ତି, ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧବିରତି ଜାରି ରଖିବା, ବନ୍ଧକମାନଙ୍କୁ ମୁକ୍ତ କରିବା ଏବଂ ଗାଜାରେ ଜାରି ରହିଥିବା ହିଂସାକୁ ସମାପ୍ତ କରିବା ଦିଗରେ ଆଲୋଚନାକୁ ଆଗକୁ ବଢ଼ାଇବା ବ୍ରିଟେନ ସରକାରଙ୍କ ପ୍ରାଥମିକ ଲକ୍ଷ୍ୟ। କିନ୍ତୁ ଗତ ମାସରେ ଅସ୍ଥାୟୀ ଯୁଦ୍ଧବିରତି ସମୟସୀମା ଶେଷ ହେବା ପରେ ଇସ୍ରାଏଲ ଗାଜାପଟିରେ ସୈନ୍ୟ ଅଭିଯାନକୁ ବଢ଼ାଇ ଦେଇଛି। ଅନ୍ୟପଟେ ଇସ୍ରାଏଲ କହିଛି ଯେ, ଗାଜାପଟିରେ ସେ ନିଜର ନିୟନ୍ତ୍ରଣକୁ ବୃଦ୍ଧି କରୁଛି, ଯାହାଫଳରେ ହମାସ କବ୍‌ଜାରେ ଥିବା ବନ୍ଧକମାନଙ୍କ ମୁକ୍ତିକୁ ସୁନିଶ୍ଚିତ କରାଯାଇପାରିବ।

Comments are closed.