ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ମନମୁଖୀ କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ

ପ୍ରଶାସନିକ ଭବନ ସମ୍ମୁଖରେ ବିକ୍ଷୋଭ

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ମନମୁଖୀ କାର୍ଯ୍ୟକଳାପକୁ ବିରୋଧ କରି ଗତକାଲି ଆଖପାଖ ଅଞ୍ଚଳର ୪ଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ସମେତ ଗୋପାଳପୁର ଏନ.ଏ.ସି ଅଧ୍ୟକ୍ଷ ଏବଂ ଶତାଧିକ ମହିଳା ଓ ପୁରୁଷ ବିଶ୍ଵବିଦ୍ୟାଳୟ ପ୍ରଶାସନିକ ଭବନ ସମ୍ମୁଖ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଶେଷରେ ବିଶ୍ଵବିଦ୍ୟାଳୟ ପକ୍ଷରୁ ଖୋଳା ଯାଇଥିବା ରାସ୍ତାକୁ ପୋତା ଯିବା ପରେ ବିକ୍ଷୋଭ ପ୍ରଦର୍ଶନକାରୀ ମାନେ ଓହରିଥିଲେ । ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାସଙ୍କ ନିଷ୍ପତ୍ତି କ୍ରମେ ଗତ କିଛି ଦିନ ହେଲା କ୍ୟାମ୍ପସ ପ୍ରବେଶ ପଥରେ ରହିଥିବା ଫାଟକ ଗୁଡ଼ିକୁ ବନ୍ଦ କରାଯାଇଥିଲା । ଯାହାଫଳରେ କ୍ୟାମ୍ପସ ପରିସରରେ ରହିଥିବା ସ୍ବାସ୍ଥ୍ୟକେନ୍ଦ୍ର ସମେତ ଦୁଇଟି ବ୍ୟାଙ୍କ ,ଏଟିଏମ , ପୋଷ୍ଟ ଅଫିସ ପ୍ରାଥମିକ ବିଦ୍ୟାଳୟ, ହାଇସ୍କୁଲ ଓ କଲେଜକୁ ଯିବାଆସିବା କରିବାରେ ଅସୁବିଧା ପରୀଲକ୍ଷିତ ହୋଇଥିଲା ।

ଏହାକୁ ନେଇ କରାପଲ୍ଲୀ ସରପଞ୍ଚ ଏସ ମେନେକା ରେଡ୍ଡୀ, ନାରାୟଣପୁର ସରପଞ୍ଚ ସବିତା ସାହୁ, ରଙ୍ଗେଇଲୁଣ୍ଡା ସରପଞ୍ଚ ନମିତା ମହାଙ୍କୁଡ, ଡୁରା ସରପଞ୍ଚ ବିଷ୍ଣୁ ପ୍ରିୟା ବେହେରା ପ୍ରମୁଖ ଘଟଣାକୁ ନେଇ ଗତ କୁଳପତି ପ୍ରଫେସର ଦାସଙ୍କ ସହ ସାକ୍ଷାତ କରି ଫାଟକ ବନ୍ଦ କରିବା ଦ୍ବାରା ଅଞ୍ଚଳବାସୀ ହଇରାଣ ହେବେ ବୋଲି ଅଭିଯୋଗ କରିଥିଲେ।  କୁଳପତିଙ୍କ ପକ୍ଷରୁ ଫାଟକ ଗୁଡ଼ିକୁ ସକାଳ ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲା ଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା । ଏଥି ସହ ଛୁଟିଦିନ ମାନଙ୍କରେ ଫାଟକ ଗୁଡ଼ିକୁ ସମ୍ପୂର୍ଣ୍ଣ ବନ୍ଦ ରଖାଗଲା । ଯାହାଫଳରେ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିଲା । ଏହା ମଧ୍ୟରେ ଗତ ଦୁଇ ଦିନ ତଳେ ହଠାତ୍‌ ବିଶ୍ଵବିଦ୍ୟାଳୟ ପକ୍ଷରୁ ପ୍ରଶାସନିକ ଭବନ ସମ୍ମୁଖ ରାସ୍ତାକୁ ଖୋଳି ଦିଆଯିବା ସହ ଯାତାୟାତ ବନ୍ଦ କରି ଦିଆଯାଇଥିଲା ।

prayash

ଏହି ଅଞ୍ଚଳର ଲୋକମାନେ ଏବଂ ବିଦ୍ୟାର୍ଥୀ ମାନେ ହଇରାଣ ହରକତ ହୋଇଥିଲେ। ଏହାକୁ ନେଇ ଗତକାଲି ୪ ସରପଞ୍ଚ, ଏନ.ଏ.ସି ଅଧ୍ୟକ୍ଷ ପ୍ରମୁଖ କୁଳପତିଙ୍କ ସହ ଆଲୋଚନା କରିବା ନିମନ୍ତେ ଦିନ ୧୦ ଟା ବେଳେ ଯାଇଥିଲେ, କିନ୍ତୁ କୁଳପତି ଜନପ୍ରତିନିଧିଙ୍କ ସହ ଆଲୋଚନା କରିବାକୁ ରାଜି ନହେବାରୁ ଜନପ୍ରତିନିଧି ସମେତ ଅଞ୍ଚଳବାସୀ ପ୍ରମୁଖ ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଘଟଣାସ୍ଥଳରେ ସଦର ଏସଡିପିଓ ଶିବ ଶଙ୍କର ମହାପାତ୍ର, ଭଞ୍ଜବିହାର ଫାଣ୍ଡି ଅଧିକାରୀ ଏସ ଶଙ୍କର ରାଓ ପ୍ରମୁଖ ବିକ୍ଷୋଭ ପ୍ରଦର୍ଶନକାରୀଙ୍କ ସହ ଆଲୋଚନା କରିଥିଲେ । ଶେଷରେ କୁଳପତି ପ୍ରଫେସର ଦାସଙ୍କ ପକ୍ଷରୁ ଖୋଳା ଯାଇଥିବା ରାସ୍ତାକୁ ପୋତା ଯିବା ପାଇଁ ନିଷ୍ପତ୍ତି ନିଆଯିବା ପରେ ବିକ୍ଷୋଭକାରୀମାନେ ବିକ୍ଷୋଭରୁ ଓହରିଥିଲେ । କୁଳପତି ପ୍ରଫେସର ଦାସଙ୍କ ସହ ଯୋଗାଯୋଗ ବେଳେ ସେ ସୂଚନା ଦେଇଛନ୍ତି ଯେ ବିଶ୍ଵବିଦ୍ୟାଳୟ ପକ୍ଷରୁ ଏକ ସ୍ବାଗତ ତୋରଣ ନିର୍ମାଣ ନିମନ୍ତେ ରାସ୍ତା ଖୋଳା ଯାଇଥିଲା, କିନ୍ତୁ ଲୋକଙ୍କ ଦାବି ପରେ ଏହାକୁ ବନ୍ଦ ରଖାଯାଇଛି ।

ଲୋକଙ୍କ ପକ୍ଷରୁ ବିଶ୍ଵବିଦ୍ୟାଳୟ ମଧ୍ୟ ଦେଇ ପୂର୍ତ୍ତବିଭାଗ ରାସ୍ତା ଯାଇଥିବା ନେଇ ଯେଉଁ ଅଭିଯୋଗ କରାଯାଇଛି ତାହା ନେଇ ରାଜସ୍ବ ବିଭାଗ ସହ ଯୋଗାଯୋଗ କରାଯାଇ ଏହା ନେଇ ଆଗାମୀ ନିଷ୍ପତ୍ତି ନିଆଯିବ ବୋଲି ମତପୋଷଣ କରିଥିଲେ । ଅନ୍ୟ ପଟେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଲୋକେ କିନ୍ତୁ ବିଶ୍ଵବିଦ୍ୟାଳୟ ପରିସର ଦେଇ ଯାଉଥିବା ରାସ୍ତା ପୂର୍ତ୍ତବିଭାଗ ଅଧିନରେ ରହି ଆସିଥିବା ସହ ଲୋକେ ବର୍ଷ ବର୍ଷ ଧରି ଏହି ରାସ୍ତା ଦେଇ ଯାତାୟାତ କରୁଥିବା ବେଳେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ କିପରି ଭାବେ ରାସ୍ତାରେ ସ୍ବାଗତ ତୋରଣ କରାଯାଉଛି, ତାହ ତଦନ୍ତ ସାକ୍ଷେପ ବୋଲି ଦାବି ଜଣାଇଛନ୍ତି ।

Comments are closed.