ଗୋପାଳପୁର: ଶୀତଳାପଲ୍ଲୀ ଠାରେ ଥିବା ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟ କ୍ୟାମ୍ପସ ପରିସରରେ ଥିବା ହଷ୍ଟେଲରେ ରହୁଥିବା ଜନୈକା ଛାତ୍ରୀ ଜଣଙ୍କ ପ୍ରଚୁର ମାତ୍ରାରେ ନିଦ ବଟିକା ଖାଇ ଅସୁସ୍ଥ ହୋଇଥିଲେ। ଘଟଣା ପରେ କଲେଜ କର୍ତ୍ତୃପକ୍ଷ ଜାଣିବା ପରେ ତୁରନ୍ତ ଛାତ୍ରୀ ଜଣଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ। ଅପରାହ୍ନରେ ଛାତ୍ରୀ ଜଣଙ୍କ ସୁସ୍ଥ ହେବା ପରେ କଲେଜ ପକ୍ଷରୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା କଲେଜ ପକ୍ଷରୁ ସୂଚନା ଦିଆଯାଇଛି।
ଅଭିଯୋଗ ଅନୁଯାୟୀ ଶୁକ୍ରବାର ରାତି ପ୍ରାୟ ୧୧ଟା ବେଳେ କେମିକାଲ ଇଞ୍ଜିନିୟରିଂର ତୃତୀୟ ବର୍ଷ ଛାତ୍ରୀ ଜଣଙ୍କ ଗୁରୁତର ହୋଇଥିବା ନେଇ ଅନ୍ୟ ଛାତ୍ରୀମାନେ କଲେଜ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ। ଖବର ପାଇ କଲେଜ କର୍ତ୍ତୃପକ୍ଷ ତୁରନ୍ତ ଉକ୍ତ ଛାତ୍ରୀ ଜଣଙ୍କୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରିଥିଲେ। ଘଟଣା ନେଇ ଛାତ୍ରୀଙ୍କ ପରିବାର ବର୍ଗଙ୍କୁ ଅବଗତ କରାଯାଇଥିଲା। ଆଜି ସକାଳେ ପରିବାର ବର୍ଗ ମେଡିକାଲରେ ପହଞ୍ଚିବା ସହ ଅପରାହ୍ନରେ ଛାତ୍ରୀ ଜଣଙ୍କୁ ସାଥୀରେ ନେଇ ଘରକୁ ଫେରିଥିବା ଜଣାପଡିଛି। ଛାତ୍ରୀ ଜଣଙ୍କ କଣ ପାଇଁ ଏପରି ପଦକ୍ଷେପ ଗ୍ରହଣ କଲେ ତାହା ସ୍ପଷ୍ଟ ହୋଇନାହିଁ।


