www.samajalive.in
Monday, December 15, 2025
16.1 C
Bhubaneswar

ଅଧାପନ୍ତରିଆ ଅବସ୍ଥାରେ ରୂପାନ୍ତରଣ କାର୍ଯ୍ୟ, କେମିତି ହେବ ଉଦଘାଟନ

ଗୋପାଳପୁର: ଗଞ୍ଜାମ ଜିଲ୍ଲାରେ ୫ଟି ଅଧୀନରେ ଚାଲିଥିବା ପ୍ରଥମ ପର୍ଯ୍ୟାୟର ୮୩ଟି ରୂପାନ୍ତରିତ ହାଇସ୍କୁଲକୁ ଆସନ୍ତା ୧୬ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବା ନେଇ ଦିନ ଧାର୍ଯ୍ୟ ହୋଇଛି। ଏଥିପାଇଁ ଆଉମାତ୍ର ୨ ଦିନ ବାକି ଥିବାବେଳେ ଅଧିକାଂଶ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି। କାର୍ଯ୍ୟ ଦାୟିତ୍ଵରେ ରହିଥିବା ବ୍ଲକ ପ୍ରଶାସନିକ ଅଧିକାରୀଙ୍କ ଅପାରଗତା ଯୋଗୁଁ ରଙ୍ଗେଇଲୁଣ୍ଡା ବ୍ଲକର ୯ଟି ବିଦ୍ୟାଳୟ ମଧ୍ୟରୁ କେତେକ ଏଭଳି ସ୍ଥିତିରେ ଥିବା ଜାଣିବାକୁ ମିଳିଛି। ବିଶେଷ କରି ଉଦଘାଟନ ପୂର୍ବରୁ ନିର୍ମାଣ କାର୍ଯ୍ୟ ଶେଷ ହେବା ନେଇ ଆଶା କ୍ଷୀଣ ହୋଇଛି। ଫଳରେ ଜିଲାରେ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟ ଏବେ ବହୁ ଆଡ଼ମ୍ବର ଲଘୁକ୍ରିୟା ଭଳି ମନେ ହେଉଛି।

ରଙ୍ଗେଇଲୁଣ୍ଡା ବ୍ଲକ ଅଧିନରେ ପ୍ରଥମ ପର୍ଯ୍ୟାୟରେ ୯ଟି ବିଦ୍ୟାଳୟ କନିଷି ସ୍ଥିତ ବାଲାଜି ବିଦ୍ୟାପିଠ, ପଞ୍ଚମା ସ୍ଥିତ ଅପଗ୍ରେଡଡ ହାଇସ୍କୁଲ, ଗୋଳନ୍ଥରା ବିଶ୍ବନାଥ ହାଇସ୍କୁଲ, ଶାସନପଦର ହାଇସ୍କୁଲ, କେଲୁଆପଲ୍ଲୀ ହାଇସ୍କୁଲ, ଡୁରା ନ୍ୟାସନାଲ ହାଇସ୍କୁଲ, ଗୋପାଳପୁର ପାକାନାଟି ମୋଡେଲ ହାଇସ୍କୁଲ, କରାପଲ୍ଲୀ ଆଦର୍ଶ ବିଦ୍ୟାଳୟ ଓ ବଡ କୁଶସ୍ଥଳୀ ହାଇସ୍କୁଲରେ ରୂପାନ୍ତରଣ କାର୍ଯ୍ୟ ଚାଲୁ ରହିଛି। ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟଭାର ରଙ୍ଗେଇଲୁଣ୍ଡା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କ ହାତରେ ନ୍ୟସ୍ତ କରାଯାଇଛି। ବିଦ୍ୟାଳୟ ପରିଚାଳନା କମିଟି, ଗ୍ରାମବାସୀ ଓ ପ୍ରଧାନଶିକ୍ଷକମାନଙ୍କୁ ଏହି ଯୋଜନାର ସଂପୂର୍ଣ୍ଣ ରୂପରେଖ ନେଇ ଆଗୁଆ ଅବଗତ କରାଯାଉ ନଥିବାରୁ ସେମାନେ ନିର୍ଦ୍ଧିଷ୍ଟ ଭାବେ ରୂପାନ୍ତରିତ ବିଦ୍ୟାଳୟର ବାସ୍ତବ ଚିତ୍ର ନେଇ ଅନ୍ଧାରରେ ରହୁଥିବା ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟମାନେ ମତ ରଖିଛନ୍ତି।

- Advertisement -

୫ଟି ଆଧାରରେ ଏହି ଯୋଜନା ସରକାର ଆରମ୍ଭ କରିଥିଲେ ହେଁ ଜିଲ୍ଲା ପ୍ରଶାସନ ଏନେଇ କୌଣସି ସୂଚନା ଦେବାକୁ ଅମଙ୍ଗ ହେଉଛି। ଏହି ଯୋଜନାରେ ବିଦ୍ୟାଳୟ ପାଇଁ ଆବଶ୍ୟକ ହେଉଥିବା ସମସ୍ତ ଟିକିନିଖି ସାମଗ୍ରୀ ବ୍ଲକ ପକ୍ଷରୁ କିଣା ଯାଉଥିବା ଅନେକ ଅଭିଯୋଗ କରିଛନ୍ତି। କିଣା ଯାଉଥିବା ସାମଗ୍ରୀର ମାନ ଯାଞ୍ଚ କରିବା କ୍ଷମତା ପ୍ରଧାନ ଶିକ୍ଷକମାନଙ୍କ ନିକଟରେ ନଥିବା ବେଳେ ଏହା ନେଇ ବିଦ୍ୟାଳୟର ପ୍ରଧାନଶିକ୍ଷକ ମାନଙ୍କୁ ପଚାରିଲେ ସେମାନେ ଏହା ନେଇ କୈାଣସି ମତାମତ ଦେବାକୁ ସିଧା ମନା କରୁଥିବା ବେଳେ ସେମାନଙ୍କ ମନରେ ଅଜଣା ଭୟ ରହିଥିବା ଦେଖିବାକୁ ମିଳିଛି। କିନ୍ତୁ ବିଦ୍ୟାଳୟ ନିମନ୍ତେ କିଣା ଯାଉଥିବା ସାମଗ୍ରୀର ଦରକୁ ତୁରନ୍ତ ସେହି ବ୍ୟବସାୟୀଙ୍କୁ ଚେକ ମାଧ୍ୟମରେ ପ୍ରଦାନ ପାଇଁ ପ୍ରଧାନ ଶିକ୍ଷକମାନଙ୍କୁ ବିଡ଼ିଓମାନେ ବାଧ୍ୟ କରୁଥିବା ଅନେକ ପ୍ରଧାନଶିକ୍ଷକ ନିଜର ନାମକୁ ଗୋପନ ରଖିବା ସର୍ତ୍ତରେ ଅଭିଯୋଗ କରିଛନ୍ତି। ଫଳରେ ବିଦ୍ୟାଳୟକୁ ଆସୁଥିବା ସାମଗ୍ରୀର ମାନ ଯାଞ୍ଚ ହେଉନଥିବା ସହ ଅଧିକାଂଶ ସାମଗ୍ରୀ କିଣାରେ କୋଟେସନ ମଧ୍ୟ ସଂଗ୍ରହ ହେଉନଥିବା ବେଳେ ଜଣେ ବ୍ୟବସାୟୀଙ୍କୁ ସାମଗ୍ରୀ ପ୍ରଦାନ ନିମନ୍ତେ ସମସ୍ତ ଯୋଜନା କରାଯାଇଥିବା ଦେଖିବାକୁ ମିଳିଛି।

ବିଦ୍ୟାଳୟ ରୂପାନ୍ତରିତ ଯୋଜନାରେ ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ, ଇ- ଲାଇବ୍ରେରୀ, ଅତ୍ୟାଧୁନିକ ବିଜ୍ଞାନଗାର, ସ୍ଵଚ୍ଛ ଶୌଚାଳୟ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମୋ ବିଦ୍ୟାଳୟ ଯୋଜନାରେ ପ୍ରତି ବିଦ୍ୟାଳୟ ପିଛା ୪୫ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ହୋଇଛି। ହେଲେ କେତେକ ବିଦ୍ୟାଳୟର ପୁରୁଣା ଶ୍ରେଣୀ କୋଠରୀକୁ ରଙ୍ଗ ବୋଳାଯାଇ ଲାଇବ୍ରେରୀ ଓ ଵିଜ୍ଞାନଗାର କରାଯାଇଛି। ଫଳରେ ପିଲାଙ୍କ ପାଠ ପଢ଼ା ପାଇଁ ଶ୍ରେଣୀ କୋଠରୀର ଅଭାବ ଦେଖା ଦେଇଛି। ଆଉ ଦୁଇ ଦିନ ପରେ ୬ଷ୍ଠ ଓ ୭ମ ପିଲାଙ୍କ ପାଇଁ ଶ୍ରେଣୀ ପାଠ ପଢ଼ା ଆରମ୍ଭ ହେବାକୁ ଯାଉଛି। ବିଦ୍ୟାଳୟରେ କୋଠରୀ ଅଭାବ ଯୋଗୁଁ ପିଲାମାନେ କେଉଁଠି ବସିବେ ସେ ନେଇ ପ୍ରଧାନ ଶିକ୍ଷକମାନଙ୍କ ଚିନ୍ତା ବଢିଛି।

ଆଉ କେତେକ ବିଦ୍ୟାଳୟର ସ୍ମାର୍ଟକ୍ଲାସରେ ପିଲାଙ୍କ ପାଇଁ ଆବଶ୍ୟକ ଅନୁଯାୟୀ ବେଞ୍ଚ ଓ ଟେବୁଲ ନଥିବାରୁ ପିଲାମାନେ ତଳେ ବସୁଥିବା ବେଳେ କେତେକ ବିଦ୍ୟାଳୟରେ କେବଳ ୧୦ ଶ୍ରେଣୀ ବିଦ୍ୟାର୍ଥୀ ସ୍ମାର୍ଟ ବିଦ୍ୟାଳୟର‌‌ ଫାଇଦା ପାଇବାକୁ ଯାଉଥିବା ବେଳେ ନବମ ଶ୍ରେଣୀ ବିଦ୍ୟାର୍ଥୀ ଏଥିରୁ ବଞ୍ଚିତ ରହିବେ ବୋଲି ସୂଚନା ମିଳିଛି। ବିଶେଷ କରି ଗୋପାଳପୁର ପାକାନାଟି ମୋଡେଲ ହାଇସ୍କୁଲରେ ୯ ଓ ୧୦ମ ଶ୍ରେଣୀରେ ମୋଟ ୧୮୦ ବିଦ୍ୟାର୍ଥୀ ରହିଥିବା ବେଳେ ଏଠାରେ ତେଲୁଗୁ ଓ ଓଡିଆ ଭାଷାର ବିଦ୍ୟାର୍ଥୀମାନେ ପାଠ ପଢନ୍ତି।ପ୍ରଥମ ଦଫାରେ କେବଳ‌ ୧୦ ମ ଶ୍ରେଣୀ ୯୮ର ବିଦ୍ୟାର୍ଥୀ ମାନେ ସ୍ମାର୍ଟ କ୍ଲାସର ସୁବିଧା ପାଇବେ ବୋଲି ଜଣାପଡିଛି। ଅନ୍ୟ ପଟେ ଏଠାରେ କେବଳ ସ୍ମାର୍ଟ କ୍ଲାସ କାମ ସରିଥିବା ବେଳେ ଅନ୍ୟ କାମ ସବୁ ଅଧାପନ୍ତରିଆ ଭାବେ ପଡି ରହିଛି। ଆସନ୍ତା ୧୬ ରେ ସ୍ମାର୍ଟ କ୍ଲାସର ଶୁଭାରମ୍ଭ ହେବାକୁ ଯାଉଥିବା ବେଳେ ଅଧାପନ୍ତରିଆ ଭାବେ ପଡିରହିଥିବା ଅନ୍ୟାନ୍ୟ କାମ କେବେ ସରିବ ଏବଂ କେବେ ଏହା ବିଦ୍ୟାର୍ଥୀଙ୍କ କାମରେ ଲାଗବ ସେନେଇ ଅନିଶ୍ଚିତତା ଲାଗି ରହିଛି। ତେବେ ବିଦ୍ୟାଳୟର ଅଭାବ ଅସୁବିଧା ଓ ଆବଶ୍ୟକତା ଥିବା ସମ୍ପର୍କରେ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଅଭିଯୋଗ ନକରିବାକୁ ପ୍ରଧାନ ଶିକ୍ଷକମାନଙ୍କୁ ଅଲିଖିତ ଭାବେ ତାଗିଦ କରାଯାଇଛି। ଫଳରେ ରୂପାନ୍ତରଣ କାର୍ଯ୍ୟ ତଦାରଖ ପାଇଁ ବିଦ୍ୟାଳୟକୁ ଆସୁଥିବା ପ୍ରଶାସନିକ ଅଧିକାରୀଙ୍କ ନିକଟରେ ପ୍ରଧାନ ଶିକ୍ଷକମାନେ ନିରବ ରହିବାକୁ ବାଧ୍ୟ ହେଉଛନ୍ତି।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories