Patra electronics

ଗୋପାଳପୁର ବେଳାଭୂମି ମହୋତ୍ସବ ଆୟୋଜନ ନେଇ ଅନିଶ୍ଚିତତା !

ଗୋପାଳପୁର:ପର୍ଯ୍ୟଟକଙ୍କୁ ଗୋପାଳପୁରକୁ ଆକୃଷ୍ଟ କରିବା ସହ ଗୋପାଳପୁରକୁ ଆନ୍ତର୍ଜାତିକ ସ୍ତରରେ ପରିଚିତ କରିବା ଲକ୍ଷ୍ୟରେ  ଗତ ୩୦ ବର୍ଷ ତଳୁ ଆରମ୍ଭ ହୋଇଥିବା ଗୋପାଳପୁର ବେଳାଭୂମି ମହୋତ୍ସବ ଚଳିତ ବର୍ଷ ଆୟୋଜିତ ହେବା ନା ନାହିଁ ଅନିଶ୍ଚିତତା ମଧ୍ୟରେ ରହିଥିବା ଦେଖିବାକୁ ମିଳିଛି। ପ୍ରତିବର୍ଷ ଡିସେମ୍ବର ୨୪ ରୁ ୨୮ ପର୍ଯ୍ୟନ୍ତ ୫ ଦିନ ଧରି ଏହି ମହୋତ୍ସବ ଉତ୍ସାହ ସହକାରେ ଜିଲା ପ୍ରଶାସନ ଓ ପର୍ଯ୍ୟଟନ ବିଭାଗ ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇ ଆସୁଥିଲା। କିନ୍ତୁ ପୂର୍ବ ନିର୍ଦ୍ଧାରିତ ତାରିଖକୁ ଆଉ ମାତ୍ର ୧୪ ଦିନ ବାକି ରହିଥିବା ବେଳେ ଆଜି ଯାଏଁ ଏହା ମହୋତ୍ସବ ଆୟୋଜନ ନେଇ କୌଣସି ପଦକ୍ଷେପ ଗ୍ରହଣ କରା ଯାଇଥିବା ଜଣା ପଡୁନଥିବାରୁ  ଏହାକୁ ନେଇ ସାଧାରଣରେ ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି।
୧୯୯୬ ମସିହାରେ ଗଞ୍ଜାମ ଜିଲା ହୋଟଲ ସଂଘ ପକ୍ଷରୁ ଗୋପାଳପୁରକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବାକୁ ଡ଼ିସେମ୍ବର ମାସରେ ସଂଘର ସଦସ୍ୟ ଭି ସନ୍ତୋଷ କୁମାର ଓ ସୟଦ ରହିମ ଙ୍କ ଉଦ୍ୟମ ରେ ଆରମ୍ଭ କରାଯାଇଥିଲା। ଏହା ପରେ ଏହି ମହୋତ୍ସବ ଆଗକୁ ଆଗକୁ ବଢି ଚାଲିବା ସହ ହୋଟଲ ସଂଘ କୁ ଛାଡି ଜିଲ୍ଲା ପ୍ରଶାସନ ଓ ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ପାଳିତ ହୋଇ ଆସୁଥିଲେ।ଏହା ମଧ୍ୟରେ ଦୀର୍ଘ ୨୬ ବର୍ଷ ର ଯାତ୍ରା ମଧ୍ୟରେ କେବଳ ୬ ଥର ବିଭିନ୍ନ କାରଣ ପାଇଁ ମହୋତ୍ସବ ବନ୍ଦ ରହିଥିବାବେଳେ ଚଳିତ ବର୍ଷ ଏହାର ଆୟୋଜନ ନେଇ ଅନିଶ୍ଚିତତା ଦେଖାଦେଇଛି। ବିଶେଷ କରି ୧୯୯୯ରେ ମହାବାତ୍ୟା କାରଣରୁ ମହୋତ୍ସବ ହୋଇପାରିନଥିଲା । କିନ୍ତୁ ତାହା ପରଠାରୁ ୨୦୧୦ ପର୍ଯ୍ୟନ୍ତ ବିନା ସମସ୍ୟାରେ ମହୋତ୍ସବ ଧୁମଧାମରେ ପାଳିତ ହୋଇ ଆସୁଥିଲା।
୨୦୧୨ରେ ପଞ୍ଚାୟତ ନିର୍ବାଚନ ଥିବାରୁ ୨୦୧୧ରେ ମହୋତ୍ସବ ହୋଇପାରିନଥିଲା। ୨୦୧୩ରେ ଫାଇଲିନ୍ କାରଣରୁ ବନ୍ଦ ହୋଇଥିବା ବେଳେ ୨୦୧୯ ସାଧାରଣ ନିର୍ବାଚନ ପାଇଁ ୨୦୧୮ ମହୋତ୍ସବକୁ ବାତିଲ କରାଯାଇଥିଲା। ୨୦୧୯ରେ ପୁଣିଥରେ ମହୋତ୍ସବ  ଆୟୋଜନ ହେବା ପରେ କୋଭିଡ୍ କାରଣରୁ ୨୦୨୦ ଓ ୨୦୨୧ରେ ପୁଣିଥରେ ହୋଇପାରିନଥିଲା । ପ୍ରତିବର୍ଷ ମହୋତ୍ସବ ଆୟୋଜନରେ ନିଜେ ନେତା ଓ ମନ୍ତ୍ରୀ ସାମିଲ ରହି ଗୋପାଳପୁରର ବହୁବିଧ ଉନ୍ନତି ନିମନ୍ତେ ଅନେକ ପ୍ରତିଶ୍ରୁତି ସହ ଘୋଷଣା କରୁଥିଲେ।
ଆଜି ଯାଏଁ ଗୋପାଳପୁରର ଉନ୍ନତି ନିମନ୍ତେ କୌଣସି ବଡ଼ ଧରଣର କାର୍ଯ୍ୟ କରାଯାଇ ପାରିନାହିଁ। ଏଣୁ ମହୋତ୍ସବକୁ ନିର୍ଦ୍ଧାରିତ ତାରିଖରେ ଆୟୋଜନ କରାଗଲେ ମହୋତ୍ସବ ନିଜର ଗାରିମା ବଜାୟ ରଖିବା ସହ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବାରେ ସହାୟକ ହୋଇପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ମହୋତ୍ସବ ଆୟୋଜନ ନେଇ କୌଣସି ପ୍ରଶାସନିକ ଅଧିକାରୀ ମୁହଁ ଖୋଲୁ ନଥିବା ବେଳେ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା  ବର୍ତ୍ତମାନ ସୁଦ୍ଧା ମହୋତ୍ସବ ନେଇ କୌଣସି ବୈଠକ ହୋଇ ପାରିନାହିଁ ବୋଲି ପ୍ରକାଶ କରିଛନ୍ତି।

Comments are closed.