ଅଚିହ୍ନା ବୃଦ୍ଧାଙ୍କ ଶବ ସତ୍କାର କଲେ ପ୍ରେସ କ୍ଲବର ସଦସ୍ୟ

କଂଟାବାଞ୍ଜି,- ଜଣେ ଅସହାୟ ବୃଦ୍ଧାଙ୍କର ଶବ ସତ୍କାର ପ୍ରେସ କ୍ଲବର ସଦସ୍ୟମାନଙ୍କ ଦ୍ୱାରା ସମ୍ପାଦିତ ହୋଇଛି । ଗତ ଡିସେମ୍ବର ୨୬ ତାରିଖ କଂଟାବାଞ୍ଜି ରେଳ ଷ୍ଟେସନରେ ଅଜଣା ବୃଦ୍ଧା ଅସହାୟ ଅବସ୍ଥାରେ ପଡିଥିବା ଖବର ପ୍ରେସ କ୍ଲବ ପାଖକୁ ପହଂଚିଥିଲା । ପ୍ରେସ କ୍ଲବ ସଭାପତି ପ୍ରଭଜିତ ସିଂ ସାଲୁଜାଙ୍କ ନେତୃତ୍ୟରେ ଅନ୍ୟ ସଦସ୍ୟ ମାନେ ତୁରନ୍ତ ବୃଦ୍ଧାଙ୍କ ପାଖକୁ ପହଂଚିଥିଲେ । ବୃଦ୍ଧା ଜଣକ ଦୀର୍ଘ ଦିନରୁ ଖାଇବା ପିଇବା ବନ୍ଦ କରିଦେଇଥିବା ବେଳେ ସେ ଅସୁସ୍ଥ ଅବସ୍ଥାରେ ପଡିଥିବା ଯୋଗୁ ତାଙ୍କୁ ସ୍ଥାନୀୟ ଡାକ୍ତରଖାନା ଉତ୍ତମ ଚିକିତ୍ସା ପାଇଁ ଅଣାଯାଇଥିଲା ।

ଡାକ୍ତରଖାନାରେ ବୃଦ୍ଧାଙ୍କ ଚିକିତ୍ସା ଆରମ୍ଭ କରାଯାଇଥିଲା । ପ୍ରତ୍ୟେକ ଦିନ ପ୍ରେସ କ୍ଲବର ସଦସ୍ୟ ଯୁଗକ କିଶୋର ଶବର ସହ ଅନ୍ୟ ସଦସ୍ୟ ମାନେ ଡାକ୍ତରଖାନାକୁ ଯାଇ ବୃଦ୍ଧାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହ ଖାଇବା ପିଇବା ସହ ଅନ୍ୟ ସବୁ ପ୍ରକାର ସୁବିଧା ଯୋଗାଇ ଦେଇଆସୁଥିଲେ । ତେବେ ଚିକିତ୍ସାଧିନ ଅବସ୍ଥାରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରେସ କ୍ଲବ ମୃତ ବୃଦ୍ଧାଙ୍କ ଶବକୁ ଉଚିତ ସମ୍ମାନ ଦେବାକୁ ଆଗକୁ ଆସିଥିଲା । ହିନ୍ଦୁ ରିତିନିତି ପରମ୍ପରା ଅନୁସାରେ ଡାକ୍ତରଖାନାରୁ ବୃଦ୍ଧାଙ୍କ ଶବ କାନ୍ଧେଇ ସହର ମୁଖ୍ୟ ରାସ୍ତା ଦେଇ ସ୍ଥାନିୟ ମୁକ୍ତିଧାମକୁ ନିଆଯାଇଥିଲା । ଅତିରିକ୍ତ ତହସିଲଦାର ଯୋଗେଶ୍ୱର ଧରୁଆଙ୍କ ଉପସ୍ଥିତିରେ ପ୍ରେସ କ୍ଲବର ସଦସ୍ୟ ଯୁଗଲ କିଶୋର ଶବର ମୁଖାଗ୍ନି ଦେଇଥିଲେ ।

ପ୍ରେସ କ୍ଲବର ଏହି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

Comments are closed.