କିଏ ଜିତିବ?

ଅମ୍ବିକା ପ୍ରସାଦ ତ୍ରିପାଠୀ

ଗଣତନ୍ତ୍ରର ମହାନ ପର୍ବ ନିର୍ବାଚନ ସରିଲା। ବର୍ତ୍ତମାନ ସବୁଠି ଗୋଟିଏ ଆଲୋଚନା। କିଏ ଜିତିବ? ଇଏ ଜିତିବ, ସିଏ ଜିତିବ ! ଯିଏ ଜିତିବ, ସାଧାରଣ ଲୋକମାନଙ୍କ ପାଇଁ କ’ଣ କରିବ ? ସ୍ୱାଧୀନତା ପରେ ଦେଶରେ ୧୭ ଟି ସାଧାରଣ ନିର୍ବାଚନ ସଫଳତା ସହିତ ସମାପ୍ତ ହୋଇଛି। ଭୋଟରମାନଙ୍କ ସଂଖ୍ୟା ବୃଦ୍ଧି ସହିତ ହାରାହାରି ମତଦାନର ହାର ବଢୁଛି। ଘଣ୍ଟା ଘଣ୍ଟା ଧରି ଲମ୍ବା ଧାଡ଼ିରେ ଠିଆ ହୋଇ ଭୋଟରମାନେ ନିଜର ଅଧିକାର ସାବ୍ୟସ୍ତ କରୁଛନ୍ତି; କିନ୍ତୁ ପ୍ରତିବଦଳରେ ପାଉଛନ୍ତି କ’ଣ ? ଗଣତନ୍ତ୍ରର ଆୟୁଷ ଯେତିକି ବୃଦ୍ଧି ପାଉଛି, ସଂସଦ ଓ ବିଧାନସଭାରେ ଯାଇ ବସି ଦଳ ମୁଖିଆଙ୍କ ପ୍ରତି କଥାରେ କୃତ୍ରିମ ହସ ହସି ମେଜ ବାଡ଼େଇବା ପାଇଁ ସ୍ବଳ୍ପ ଶିକ୍ଷିତ ଓ ଅପରାଧୀ ମାନଙ୍କ ଆଗ୍ରହ ସେତିକି ବୃଦ୍ଧି ପାଇବାରେ ଲାଗିଛି। ସେମାନଙ୍କୁ ସୁଯୋଗ ମଧ୍ୟ ମିଳୁଛି କାରଣ ଏଥିରେ ଦଳର ଲାଭ ଅଛି। ନିର୍ବାଚନ ଫଳାଫଳ ପ୍ରକାଶିତ ହେବା ପରେ ଚିରାଚରିତ ଭାବରେ କିଛି ଏହିପରି ଘଟିବ – ବାଣ ପରି ଦେଖା ଯାଉଥିବା ବୋମା ଫୁଟିବ, ଢୋଲ ବଜାଇ ଦାମିକା ମିଷ୍ଠାନ୍ନ ଦଳ ଅଫିସରେ ବଣ୍ଟାଯିବ। ରାତି ହେଲେ ମଦ ମାଂସ ଓ କାମିନୀ କାଞ୍ଚନର ଆସର ଜମିବ। ସଂଖ୍ୟା ଗରିଷ୍ଠତା ନ ମିଳିଥିଲେ ସାଂସଦ କିମ୍ବା ବିଧାୟକମାନଙ୍କୁ କ୍ରୟ କରିବା ପାଇଁ ଅଭିଯାନ ଆରମ୍ଭ ହେବ। ସେଥିପାଇଁ ରାଜନୈତିକ ଦଳମାନଙ୍କ ପାଖରେ ଅର୍ଥର ଅଭାବ ନାହିଁ। ନିର୍ବାଚନୀ ବଣ୍ଡ୍‌ ମାଧ୍ୟମରେ ଦଳମାନଙ୍କ ବ୍ୟାଙ୍କ ଖାତାରେ ହଜାର ହଜାର କୋଟି ଟଙ୍କା ଥୁଆ ହୋଇଛି। ଏହା ପରେ ଶପଥ ଗ୍ରହଣ ପର୍ବ ଅନୁଷ୍ଠିତ ହେବ। ବିଶ୍ବର ଜଣାଶୁଣା ନେତାମାନେ ଅତିଥି ହୋଇ ଆସିବେ। ନେତାମାନେ ଈଶ୍ୱରଙ୍କୁ ସାକ୍ଷୀ ରଖି ସମ୍ବିଧାନ ଅନୁଯାୟୀ କାର୍ଯ୍ୟ କରିବା ପାଇଁ ଶପଥ ପାଠ କରିବେ। ଏହି ପ୍ରହସନ କାହିଁକି ହୁଏ ତାହା ସ୍ବୟଂ ଭଗବାନଙ୍କୁ ମଧ୍ୟ ଅଜ୍ଞାତ ଥିବ!

ନିର୍ବାଚିତ ନେତାମାନେ ଶପଥ ଗ୍ରହଣ କରିବା ପରେ ତୁରନ୍ତ ୨୦୨୯ ପାଇଁ ନିଜର ସ୍ଥିତିକୁ ଆଗୁଆ ସୁରକ୍ଷିତ ରଖିବା ପାଇଁ ରଣନୀତି ପ୍ରସ୍ତୁତ କରିବାରେ ବ୍ୟସ୍ତ ରହିବେ। ଆଉ ପାଞ୍ଚ ବର୍ଷ ପାଇଁ ୯୦ କୋଟି ଲୋକ ଦିନକୁ ଗଣ୍ଡେ ଖାଇବା ପାଇଁ ସରକାରଙ୍କ ସହାୟତାକୁ ଚାହିଁ ରହିବେ। କ୍ଷମତାସୀନ ଦଳ ସେମାନଙ୍କ ଆର୍ଥିକ ଓ ସାମାଜିକ ଦୁର୍ବଳତାକୁ ନିଜର ଲାଭ ପାଇଁ ବ୍ୟବହାର କରିବ। ଶିକ୍ଷା, ସ୍ବାସ୍ଥ୍ୟ, ପରିମଳ ବ୍ୟବସ୍ଥା, ପାନୀୟ ଜଳ ଓ ବିଦ୍ୟୁତ୍‌ ଯୋଗାଣ, ଯୋଗାଯୋଗ ସହିତ ଗମନାଗମନ ପରି ମୌଳିକ ସେବାର ଭିତ୍ତିଭୂମି ବିକାଶ ଆଉ ପାଞ୍ଚବର୍ଷ ପାଇଁ ଆଗକୁ ଠେଲି ହୋଇ ଯିବ। କୃଷକମାନେ ନିଜର ଶ୍ରମ ଓ ଉତ୍ପାଦନର ଉପଯୁକ୍ତ ମୂଲ୍ୟ ପାଇଁ ମାସମାସ ଧରି ଖରା ବର୍ଷା କାକରରେ ରାସ୍ତା ଉପରେ ଶୋଇବେ। ଶିକ୍ଷିତ ଯୁବ ଗୋଷ୍ଠୀ କୌଣସି ମତେ ନିଯୁକ୍ତି ଆଶାରେ ଠକାମିର ଶିକାର ହୋଇ ତଳି ତଳାନ୍ତ ହେବେ। ଲାଭ ପ୍ରଦାନ କରୁଥିବା ରାଷ୍ଟ୍ରୀୟ ଉଦ୍ୟୋଗ, ରାଜପଥ, ବନ୍ଦରକୁ ପୁଞ୍ଜିପତିମାନଙ୍କ ହାତକୁ ଟେକି ଦିଆଯିବ। ସେମାନେ ବିନା ପୁଞ୍ଜି ନିବେଶରେ ପ୍ରଚୁର ପରିମାଣରେ ଆୟ କରିବେ।

ବଡ଼ବଡ଼ କମ୍ପାନୀମାନଙ୍କ ମାଲିକମାନେ ଅନୈତିକ ଉପାୟରେ ନିଜର ବ୍ୟବସାୟ ଚଳାଇବା ପାଇଁ ନେତା ମାନଙ୍କ ଅତିଥି ପ୍ରକୋଷ୍ଠରେ ଯାଇ ବସିବେ। ସେଠାରେ ରାଜନୈତିକ ଚାନ୍ଦା ଆଦାୟ କରିବା ପାଇଁ ନୂତନ ବାଟ ଖୋଜା ଯିବ। କମ୍ପାନୀମାନେ ଅହେତୁକ ଦର ବୃଦ୍ଧି କରି ସାଧାରଣ ଲୋକଙ୍କଠାରୁ ଅର୍ଥ ଶୋଷି ନେତାମାନଙ୍କ ବ୍ୟାଙ୍କ ଖାତାରେ ଜମା କରିବେ। ଜଳ, ଜଙ୍ଗଲ, ଜମି ଖଣି ଖାଦାନର ଲୁଣ୍ଠନ ପାଇଁ ପ୍ରସ୍ତୁତି ଆରମ୍ଭ ହେବ। ଆଧ୍ୟାତ୍ମିକତା ନାମରେ ଧର୍ମ ଓ ଜାତି ଆଧାରରେ କଳୁଷିତ ରାଜନୀତି ବୃଦ୍ଧି ପାଇବ। ରାଜକୋଷରୁ ଅଯଥା ବ୍ୟୟ କରି ମାଗଣା ବଣ୍ଟା ନୀତି ଅବଲମ୍ବନ କରି ନିଜର ଭୋଟ ବ୍ୟାଙ୍କକୁ ସୁରକ୍ଷିତ ରଖାଯିବ। ପ୍ରକୃତ ହିତାଧିକାରୀ ବାର ଦ୍ବାର ଶୁଣ୍ଢି ପିଣ୍ଡା ହେବେ। ସରକାରୀ ତଥ୍ୟକୁ ଲୁଚାଇ ରଖିବା ପାଇଁ ଚେଷ୍ଟା ଚାଲିବ। ସାମାଜିକ ଗଣମାଧ୍ୟମରେ ସରକାରଙ୍କ ମିଥ୍ୟା ପ୍ରଶଂସା କରିବାକୁ ଯୋଜନା ଆରମ୍ଭ ହେବ।

ଯେଉଁ ଗଣମାଧ୍ୟମ କ୍ରୀତଦାସ ହେବା ପାଇଁ ଆଗ୍ରହ ପ୍ରକାଶ କରିଲା ଭଲ କଥା ନହେଲେ ସେମାନଙ୍କ କାର୍ଯ୍ୟାଳୟରେ ତାଲା ପକାଇ ଦିଆଯିବ। ସମସ୍ୟା ଓ ଅବ୍ୟବସ୍ଥା ବିରୋଧରେ ମୁହଁ ଖୋଲୁଥିବା ବ୍ୟକ୍ତି ଓ ସଂସ୍ଥାମାନଙ୍କୁ ଜବତ କରିବା ପାଇଁ ସୁଚିନ୍ତିତ ରଣକୌଶଳ ପ୍ରସ୍ତୁତ ହେବ। ଅନ୍ୟ ରାଜନୈତିକ ଦଳକୁ ନିଶ୍ଚିହ୍ନ କରି ଏକଛତ୍ରବାଦ ଶାସନ ଆରମ୍ଭ କରିବା ପାଇଁ ଯୋଜନା ଆରମ୍ଭ ହେବ। ଶହ ଶହ ଗ୍ୟାରେଣ୍ଟି ଦେବାରେ ବିଫଳ ହେଉଥିବା ନେତାମାନଙ୍କ ବିରୋଧରେ ସାଧାରଣ ଲୋକ ଖାଉଟି ଅଦାଲତରେ ଅପିଲ କରିବା ପାଇଁ ସାହସ ଜୁଟାଇ ପାରିବେ ନାହିଁ। ଧନୀମାନେ ଆହୁରି ଧନୀହେବେ ଦରିଦ୍ରମାନେ ଅଧିକ ଦରିଦ୍ର ହେବେ। କୋଟିପତି ନେତାମାନେ ଜିତିବେ ଖଟିଖିଆ ଭୋଟରମାନେ ହାରିବେ।

Comments are closed.