ଅସହିଷ୍ଣୁତା କବଳରେ ଗଣତନ୍ତ୍ର
ପ୍ରସନ୍ନ କୁମାର ମିଶ୍ର
ଏବେ ଆମ ଦେଶରେ ଗଣତନ୍ତ୍ରର ମହାନ ପର୍ବ ନିର୍ବାଚନ ଶେଷ ହୋଇଛି। ୨୦୨୪ ନିର୍ବାଚନରେ ଦଳମାନଙ୍କର ଚିନ୍ତାଧାରା, ମୁଖିଆଙ୍କ ଚିତ୍ର ଚରିତ୍ର, ନେତାଙ୍କ ହାବଭାବ ଓ ସମର୍ଥକଙ୍କ କାର୍ଯ୍ୟକଳାପ ଦେଖିଲେ ମନେହୁଏ ଯେ ଏହା ଅତୀତର ସମସ୍ତ ନିର୍ବାଚନ ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଏହି ସମୟରେ କିଛି ନଦେଖିଲା ଜିନିଷ ଦେଖିବାକୁ ମିଳିଛି। ନଶୁଣିଲା ଜିନିଷ ଶୁଣିବାକୁ ମିଳିଛି ଏବଂ ନେତାଙ୍କ କାର୍ଯ୍ୟଶୈଳୀରେ ମଧ୍ୟ ନୂତନତ୍ବ ଦେଖାଦେଇଛି। ଗାଁ ଗାଁରେ ଅଶାନ୍ତିର ବାତାବରଣ, ନେତା ନେତା ମଧ୍ୟରେ ମାଡ଼ପିଟ୍,ମୁଖିଆଙ୍କ ମଧ୍ୟରେ ଆକ୍ଷେପ ପ୍ରତିଆକ୍ଷେପ ଓ ସମର୍ଥକଙ୍କ ମଧ୍ୟରେ ଆକ୍ରମଣ ପ୍ରତିଆକ୍ରମଣ ପ୍ରଭୃତି କାର୍ଯ୍ୟକ୍ରମ ବଢ଼ିବଢ଼ି ଚାଲିଥିବା ସ୍ପଷ୍ଟ ହୋଇଛି। କେଉଁଠି ଥାନା ଘେରାଉ ତ କେଉଁଠି ଇ.ଭି.ଏମ ଭଙ୍ଗାରୁଜା ପୁଣି କେଉଁଠି ଭୋଟ ଗ୍ରହଣ କାର୍ଯ୍ୟରେ ନିୟୋଜିତ ଅଧିକାରୀଙ୍କୁ ଆକ୍ରମଣ ଘଟଣା ଘଟିଯାଇଛି। ଏହା ଗଣତନ୍ତ୍ର ପ୍ରତି କେବେ ମଧ୍ୟ ଶୁଭଙ୍କର ନୁହେଁ। ବେଲଗାମ ଭାବରେ ଅସହିଷ୍ଣୁତା କାୟାବିସ୍ତାର କରିଚାଲିଛି ଏଥିରେ ସନ୍ଦେହ ନାହିଁ।
୨୦୨୪ ନିର୍ବାଚନ ଓଡ଼ିଶାବାସୀଙ୍କ ପାଇଁ ଏକ ନୂତନ ସଂକେତ ନେଇ ଆସିଛି। ବିଭିନ୍ନ ଦଳର କାର୍ଯ୍ୟକ୍ରମ, ମୁଖିଆଙ୍କ ଆଚରଣ ଉଚ୍ଚାରଣ ଦେଖିବା ପରେ ମନେହୁଏ ଯେ ଏହା ସଂପୂର୍ଣ୍ଣ ଭାବରେ ଦଳ କୈନ୍ଦ୍ରିକ ଓ ମୁଖିଆ ସର୍ବସ୍ବ। ନିର୍ବାଚନରେ ଅଂଶଗ୍ରହଣ କରିଥିବା ନେତାଙ୍କ ବ୍ୟକ୍ତିତ୍ବ ପ୍ରଭାବହୀନ। ଏପରି ଉଦାହରଣ ମଧ୍ୟ ଲୋକଲୋଚନକୁ ଆସିଛି ଯେ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ ନକରିବା ପର୍ଯ୍ୟନ୍ତ ନିଜେ ମଧ୍ୟ ଜାଣି ପାରିନଥାନ୍ତି ଯେ ସେ ନିର୍ବାଚନରେ ଲଢ଼ିବେ ନା ନାହିଁ। ଏହା ରାଜତନ୍ତ୍ର ଆଡ଼କୁ ଇଙ୍ଗିତ କରୁ ନାହିଁ ତ?
ସେହିପରି ଦଳ ଡିଆଁରୋଗ ଏହି ନିର୍ବାଚନରେ ମହାମାରୀ ପରି ବ୍ୟାପିଥିଲା। ନେତାଏ ସକାଳେ ଗୋଟିଏ ଦଳ ତ ସନ୍ଧ୍ୟାରେ ଆଉ ଗୋଟିଏ ଦଳକୁ ଡିଆଁ ମାରିଛନ୍ତି। ତା’ପରେ ତାଙ୍କର ହାବଭାବ, ରଙ୍ଗଢଙ୍ଗ ଏପରିକି କଥାବାର୍ତ୍ତା ମଧ୍ୟ ବଦଳିଯାଇଛି। ଯେଉଁ ତୁଣ୍ଡରେ ଅରୁଆ ସେହି ତୁଣ୍ଡରେ ଉଷୁନା। ପୁଣି ସକାଳେ ଯେଉଁ ଦଳକୁ ପ୍ରଶଂସାରେ ପୋତି ପକାଉଥିଲେ ସନ୍ଧ୍ୟାରେ ସେହି ଦଳକୁ ନିନ୍ଦାର ଅଗ୍ନିବର୍ଷା। ଏହା ସବୁଠାରୁ ଆଶ୍ଚର୍ଯ୍ୟଜନକ ଓ ଲଜ୍ଜାକର କଥା । ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ, ଦଳ ଡେଇଁଥିବା ନେତାଙ୍କୁ ନୂତନ ଦଳର ମୁଖିଆ ଫୁଲମାଳ ଦେଇ ସ୍ବାଗତ କରିବା। ତେଣୁ ଏହି ସୁଗ୍ରୀବମାନଙ୍କର ସଂଖ୍ୟା ଆଶାତୀତ ଭାବରେ ବଢ଼ିଚାଲିଛି। ଏପରି ସ୍ଥିତି ସୃଷ୍ଟି ହୋଇଥିଲା ଯେ ନାମାଙ୍କନ ପତ୍ର ନ ଭରିବା ପର୍ଯ୍ୟନ୍ତ କିଏ କେଉଁ ଦଳର ପ୍ରାର୍ଥୀ ଜାଣିବା ମୁସ୍କିଲ।
ସେହିପରି ଏ ନିର୍ବାଚନରେ ନେତାମାନେ ଉତ୍ତରାଧିକାରୀ ଚୟନ ପୂର୍ବକ ନିଜର ପୁତ୍ର, କନ୍ୟା ଓ ସ୍ତ୍ରୀଙ୍କୁ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ କରାଇଛନ୍ତି। ଏହା ନେତାଙ୍କର ନିଜ ପରବର୍ତ୍ତୀ ପିଢ଼ି ପାଇଁ ଥଇଥାନର ଏକ ଯୋଜନା ପରି ଦୃଷ୍ଟିଗୋଚର ହୁଏ। ଆହୁରି ମଧ୍ୟ ଏହା ମାଧ୍ୟମରେ ଅଘୋଷିତ ଭାବରେ ‘ଡବଲ୍ ପେନସନ୍ ଯୋଜନା’ କାର୍ଯ୍ୟକାରୀ ହୋଇଯାଇଥାଏ। ନେତାମାନେ ନିଜର ପେନସନ ଗଣ୍ଡାକ ସୁରକ୍ଷିତ କରିସାରିଲା ପରେ ନିଜର ଭବିଷ୍ୟତ ପିଢ଼ିଙ୍କ ପେନସନ୍ ପାଇଁ ମଧ୍ୟ ବାଟ ଦେଖାଇଥାନ୍ତି। ପୁଣି ଏହା ଦ୍ବାରା ଆମ ନେତାମାନେ ତାଙ୍କର ବ୍ୟାବସାୟିକ ସାମ୍ରାଜ୍ୟକୁ ସୁରକ୍ଷା ଦେବା ପାଇଁ ପନ୍ଥାଟିଏ ପାଇଯାଆନ୍ତି।
ସେହିପରି ଏହି ନିର୍ବାଚନରେ କୋଟିପତି ନେତାଙ୍କ ସଂଖ୍ୟା ଆଶାତୀତ ଭାବରେ ବୃଦ୍ଧି ଚିନ୍ତାଜନକ ଅଟେ। ଏହା ଗଣତନ୍ତ୍ର ପାଇଁ ବିପଦ ଜନକ ଅଟେ। କାରଣ ଏହା ଦ୍ବାରା ପ୍ରତିଭାବାନ, ଗୁଣୀ, ଜ୍ଞାନୀ, ସେବା ମନୋବୃତ୍ତି ଥିବା ବ୍ୟକ୍ତି ଓ ଗରିବ ଜନସାଧାରଣ ନିର୍ବାଚନରେ ଭାଗନେବା ପାଇଁ ସାହସ ମଧ୍ୟ କରିପାରିବେ ନାହିଁ। ଏଥର ଦାଗୀ ଓ ଅପରାଧୀଙ୍କ ପୃଷ୍ଠଭୂମି ଥିବା ନେତାଙ୍କ ସଂଖ୍ୟା ତ ହୁ ହୁ ହୋଇ ବଢ଼ିଚାଲିଛି। ଏମାନେ ଯେ ନିର୍ବାଚନକୁ ନିୟନ୍ତ୍ରଣ କରୁଛନ୍ତି ଏବଂ ଏହାର କୁପ୍ରଭାବ ଯେ ନିର୍ବାଚନ ଉପରେ ପଡ଼ୁୂଛି ଏଥିରେ ସନ୍ଦେହ ନାହିଁ। ଫଳରେ ଦିନକୁ ଦିନ ନିର୍ବାଚନ ହିଂସା ବଢ଼ିବାରେ ଲାଗିଛି ଏବଂ ଥମିବାର ନାଁ ଧରୁନାହିଁ। ଧନବଳ, ଜନବଳ ଓ ବାହୁବଳର ପ୍ରଭାବରେ ଆଜି ଗଣତନ୍ତ୍ର ବିପର୍ଯ୍ୟସ୍ତ। ଫଳରେ ସ୍ବାଧୀନ ଓ ନିର୍ଭୀକ ଭାବରେ ଭୋଟଦେବା କଥା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଖଲିକୋଟ୍, ଆଠଗଡ଼, ଆଠମଲ୍ଲିକ, ବ୍ରହ୍ମଗିରି ଓ ବରଗଡ଼ ପ୍ରଭୃତିରେ ଘଟିଥିବା ନିର୍ବାଚନ ହିଂସାକୁ ଦେଖିଲେ ଯେକୌଣସି ଭୋଟର ଅାତଙ୍କିତ ହେବା ସ୍ବଭାବିକ। ପୁଣି ପ୍ରଚାରରେ ଅଶାଳୀନତା ମଧ୍ୟ ଲକ୍ଷ୍ମଣରେଖା ପାର କରିସାରିଛି। ବ୍ୟକ୍ତି ଓ ଚରିତ୍ର ସଂହାର କରିବା ପାଇଁ କୌଣସି ଦଳ ଦ୍ବିଧାବୋଧ କରୁନାହାନ୍ତି। ବିଷାକ୍ତ ହେଉଛି ନିର୍ବାଚନ ବାତାବରଣ। ଉପହାସ, ଚରିତ୍ର ସଂହାର ଅପମାନ, ଅସଦାଚରଣ ଓ ଆଇନ କାନୁନ୍କୁ ବେଖାତିର ଏ ନିର୍ବାଚନରେ ମୁଖ୍ୟଭୂମିକା ଗ୍ରହଣ କରିଛି। ମାଗଣା ଯୋଜନାର ବର୍ଷା, ମଦମାଂସର ବନ୍ୟା, ନେତାଙ୍କ ଛଳନାପୂର୍ଣ୍ଣ ଅଭିନୟ, ଦଳମାନଙ୍କର ବେଲଗାମ ଖର୍ଚ୍ଚ ତୁଳନାରେ ଏ ନିର୍ବାଚନ ଅତୀତର ସମସ୍ତ ନିର୍ବାଚନଠାରୁ ବହୁ ଆଗରେ ଅଛି। ଏହାଦ୍ବାରା ଆମ ଗଣତନ୍ତ୍ର ଯେ କେତେ ସୁରକ୍ଷିତ ବିଚାର କରିବା ବେଳ ଆସିଛି।
ଶେଷରେ ଅସହିଷ୍ଣୁତା କିପରି ଭାବରେ ତା’ର କାୟା ବିସ୍ତାରକରି ଆମ ଗଣତନ୍ତ୍ରକୁ ନଷ୍ଟଭ୍ରଷ୍ଟ କରିବା ସହିତ ଶକ୍ତିହୀନ କରିବାକୁ ବସିଛି ସେହି ବିଷୟରେ ଆଲୋଚନା କରିବା ଏ ଲେଖାର ମୂଳ ଉଦ୍ଦେଶ୍ୟ ଅଟେ। ଅସହିଷ୍ଣୁତା ଏପରି ଏକ ବ୍ୟାଧି ଯାହା ଖୁବ୍ ଅଳ୍ପ ସମୟ ମଧ୍ୟରେ ଗାଁରୁ ସହର, ସହରରୁ, ରାଜ୍ୟ, ଦେଶ ଓ ବିଦେଶ ପର୍ଯ୍ୟନ୍ତ ବ୍ୟାପିଯାଏ। ଏହା ଜାତି, ଧର୍ମ, ବର୍ଣ୍ଣ କାହାକୁ ମଧ୍ୟ ଛାଡ଼ି ନଥାଏ। ବିଶ୍ବାସ, ଅବିଶ୍ବାସ ଓ ଅନ୍ଧବିଶ୍ବାସ ଏହାର ମୂଳମନ୍ତ୍ର ଅଟେ। ଅସହିଷ୍ଣୁତା କବଳରୁ ଧର୍ମ, ସାହିତ୍ୟ, ସଂସ୍କୃତି, ପରମ୍ପରା ଓ ଶିକ୍ଷା ମଧ୍ୟ ମୁକ୍ତି ପାଇନାହିଁ। ଏହା ଏପରି ଏକ ଅସ୍ତ୍ର ଯାହା ଅନ୍ଧ ଭାବରେ ହିଂସା ଘଟାଇବା ପାଇଁ ବ୍ୟବହାର କରାଯାଏ। ଘଡ଼ିକେ ସବୁ ଜାଳିପୋଡ଼ି ଛାରଖାର କରିଦିଏ। ସାହିତ୍ୟ ଓ ସଂସ୍କୃତିରେ ମଧ୍ୟ ଏହାର ଅଗାଧ ପ୍ରବେଶ। ଅତୀତରୁ ଏହାର ଗୋଟିଏ ଦୁଇଟି ଉଦାହରଣ ନିଆଯାଇପାରେ। ବିଶ୍ବବିଖ୍ୟାତ ଗ୍ରୀକ୍ ଦାର୍ଶନିକ ସକ୍ରେଟିସ୍ ଅସହିଷ୍ଣୁତାର ଶିକାର ହେଲେ। ସେ ଅନ୍ଧବିଶ୍ବାସା ଓ କୁସଂସ୍କାର ବିରୋଧରେ ସ୍ବର ଉଠାଇଥିଲେ। ମାତ୍ର ତତ୍କାଳୀନ ରାଜା ତାହା ରାଜତନ୍ତ୍ର ବିରୋଧୀ ଚିନ୍ତାକରି ତାଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କଲେ।
ଅତୀତରେ ଅସହିଷ୍ଣୁତା ଯୋଗୁଁ ଆମ ରାଜ୍ୟରେ ମଧ୍ୟ ଘଟିଯାଇଛି ଅନେକ ହତ୍ୟାକାଣ୍ଡ। ସେଥିମଧ୍ୟରୁ ଛବିରାଣୀ ହତ୍ୟାକାଣ୍ଡ ଓ ସତୁରି ଦଶକରେ ବଲାଙ୍ଗିରରେ ଘଟିଥିବା ପର୍ଶୁରାମ ହତ୍ୟାକାଣ୍ଡ ସେତେବେଳେ ଓଡ଼ିଶାରେ ଚହଳ ପକାଇଦେଇଥିଲା। ଏହା ଅସହିଷ୍ଣୁତାର ଏକ ନମୁନା କୁହାଯାଇପାରେ।
ଯଦି ୨୦୨୪ ନିର୍ବାଚନକୁ ଅନୁଧ୍ୟାନ କରିବା ତେବେ ଆମ ଦେଶ ଏବଂ ଆମ ରାଜ୍ୟରେ ନିର୍ବାଚନର ପ୍ରାରମ୍ଭରୁ ଅସହିଷ୍ଣୁତା ତା’ର କାୟା ବିସ୍ତାରକରି ହିଂସା ଘଟାଇ ଚାଲିଛି ଏଥିରେ ସନ୍ଦେହ ନାହିଁ। ଫଳରେ ଆମ ରାଜ୍ୟରେ ମଧ୍ୟ ନିର୍ବାଚନର ପ୍ରଥମ ଚରଣରେ ହିଂସା ଘଟି ଜୀବନହାନି ହୋଇଛି। ପରେ ପରେ ହିଂସା ଉଗ୍ରରୂପ ଧାରଣ କରି ବଢ଼ିବଢ଼ି ଚାଲିଛି। ଏହା ଥମିବାର ସମ୍ଭାବନା ମଧ୍ୟ ଦେଖାଯାଉନାହିଁ। ଏହା ଆହୁରି କେତେ ଯେ ଅଘଟଣ ଘଟାଇ ଜୀବନହାନୀ ନକରିବ ତା’ର କଳନା କରାଯାଇ ନପାରେ। ଏହା ଏପରିଭାବରେ ତା’ର କାୟା ବିସ୍ତାର କରିଛି ଯେ, ନିର୍ବାଚନ ପରବର୍ତ୍ତୀ ହିଂସା ଯେ ନହେବ ତାହା କହି ହେବନାହିଁ। ମାତ୍ର ଦଳ ଓ ଦଳପତିଙ୍କ ଆନ୍ତରିକତା, ନେତାଙ୍କ ପ୍ରଚେଷ୍ଟା, ସମର୍ଥକଙ୍କ ସହନଶୀଳତା, ପ୍ରଶାସନିକ କଳର ଦୂରଦୃଷ୍ଟି ଓ ଭୋଟରମାନଙ୍କ ଠିକ୍ ପ୍ରାର୍ଥୀ ଚୟନ ବହୁମାତ୍ରାରେ ହିଂସାକୁ ଦୂର କରିପାରିବ ଏଥିରେ ସନ୍ଦେହ ନାହିଁ। ତେଣୁ ସାବଧାନ ହେବା, ସତର୍କ ହେବା ଓ ଆମ ଗଣତନ୍ତ୍ରକୁ ସୁରକ୍ଷିତ ରଖିବା।
Comments are closed.