ବୁଥ ବାହୁଡ଼ା ମତ ; ହାଟ୍ରିକ୍ କରିବ ଏନଡିଏ
ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ପ୍ରକ୍ରିୟା ଶନିବାର ଶେଷ ହୋଇଛି। ଭୋଟ ଗ୍ରହଣ ପ୍ରକ୍ରିୟା ଶେଷ ହେବା ସହିତ ବିଭିନ୍ନ ସର୍ଭେ ଏଜେନ୍ସି ପକ୍ଷରୁ କରାଯାଇଥିବା ବୁଥ ବାହୁଡା ମତ (ଏକଜିଟ୍ ପୋଲ) ପ୍ରକାଶ ପାଇଛି। ଶନିବାର ସନ୍ଧ୍ୟାରେ ପ୍ରକାଶ ପାଇଥିବା ବିଭିନ୍ନ ଏଜେନ୍ସିର ବୁଥ ବାହୁଡା ମତ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) କ୍ରମାଗତ ତୃତୀୟ ଥର ପାଇଁ କ୍ଷମତା ଦଖଲ କରିବା ସହିତ ହାଟ୍ରିକ କରିବ। ବିଭିନ୍ନ ସର୍ଭେ ଏଜେନ୍ସିର ପୂର୍ବାନୁମାନ ଅନୁଯାୟୀ ବିଜେପି ଓ ଏହାର ସହଯୋଗୀ ଦଳ (ଏନଡିଏ) ୩୫୩ରୁ ୩୯୨ଟି ଆସନ ପାଇବେ। ଅନ୍ୟପଟେ କଂଗ୍ରେସ ନେତୃତ୍ବ ‘ଇଣ୍ଡିଆ’ ମେଣ୍ଟ ୧୧୮ରୁ ୧୬୧ଟି ଆସନ ପାଇବ। ଲୋକସଭାର ମୋଟ ଆସନ ସଂଖ୍ୟା ୫୪୩ ହୋଇଥିବାରୁ ସରକାର ଗଠନ ପାଇଁ ମ୍ୟାଜିକ ସଂଖ୍ୟା ହେଉଛି ୨୭୨। ଏକଜିଟ୍ ପୋଲରେ ଯେଉଁ ପୂର୍ବାନୁମାନ କରାଯାଇଛି ତାହା ଏନଡିଏକୁ ମ୍ୟାଜିକ ସଂଖ୍ୟା ଠାରୁ ବହୁ ଆଗରେ ରଖିଛି। ବିଭିନ୍ନ ଏଜେନ୍ସି ପକ୍ଷରୁ ହୋଇଥିବା ସର୍ଭେର ହାରାହାରି ଆକଳନ ଅନୁଯାୟୀ ଏନଡିଏ ୩୬୧, ଇଣ୍ଡିଆ ମେଣ୍ଟ ୧୪୫ ଓ ଅନ୍ୟାନ୍ୟ ଦଳ ୩୭ଟି ଆସନ ପାଇବେ। ତେବେ ଚଳିତ ନିର୍ବାଚନରେ ୪୦୦ରୁ ଅଧିକ ଆସନରେ ବିଜୟୀ ହେବା ନେଇ ବିଜେପି ଆଶା କରିଥିଲା ତାହା ପୂରଣ ହେବ ବୋଲି ଇଣ୍ଡିଆ ଟୁଡେ-ଆକ୍ସିସ୍ ମାଇଁ ଇଣ୍ଡିଆ, ଚାଣକ୍ୟ ଓ ସିଏନ୍ଏକ୍ସ ଭଳି ଏଜେନ୍ସି ପୂର୍ବାନୁମାନ କରିଛନ୍ତି। ଇଣ୍ଡିଆ ଟୁଡେ ଆକଳନ ଅନୁଯାୟୀ ଏନ୍ଡିଏ ୩୬୧-୪୦୧, ଚାଣକ୍ୟ ୩୮୫-୪୧୫ ଓ ସିଏନ୍ଏକ୍ସ ୩୭୧-୪୦୧ ଆସନ ପାଇବ। ଏକଜିଟ୍ ପୋଲ୍ର ପୂର୍ବାନୁମାନ ଅନୁଯାୟୀ, ପଶ୍ଚିମବଙ୍ଗରେ ବିଜେପି ଏଥର ୨୬ରୁ ୩୧ଟି ଆସନ ପାଇବ। ସେହିପରି ଉତ୍ତରପ୍ରଦେଶରେ ୬୯ରୁ ୭୪ଟି ଆସନ, ମହାରାଷ୍ଟ୍ରରେ ୨୮ରୁ ୩୨, ଦିଲ୍ଲୀରେ ୬ରୁ ୭, ରାଜସ୍ଥାନରେ ୧୬ରୁ ୧୯, ମଧ୍ୟପ୍ରଦେଶରେ ୨୮ରୁ ୨୯, ବିହାରରେ ୨୯ରୁ ୩୩, ଗୁଜରାଟ ୨୫ରୁ ୨୬ଟି ଆସନରେ ବିଜୟୀ ହେବ ବୋଲି ଅନୁମାନ କରାଯାଇଛି। ତେବେ ଜୁନ୍ ୪ରେ
ଭୋଟ ଗଣତି ପରେ ବାସ୍ତବ ଫଳ ଜଣାପଡିବ। ଜୁନ୍ ୪ରେ ୫୪୨ ଲୋକସଭା ଆସନ ସହିତ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ବିଧାନସଭା ଭୋଟ ଗଣତି ହେବ। ସୂଚନାଯୋଗ୍ୟ ଏପ୍ରିଲ ୧୯ରୁ ଜୁନ୍ ୧ ପର୍ଯ୍ୟନ୍ତ ୭ଟି ପର୍ଯ୍ୟାୟରେ ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ହୋଇଥିଲା। ଏହା ମଧ୍ୟରେ ୪ଟି ରାଜ୍ୟର ବିଧାନସଭା ଆସନ ପାଇଁ ମଧ୍ୟ ଭୋଟ ଗ୍ରହଣ ହୋଇଛି। ଅରୁଣାଚଳ ଓ ସିକିମ୍ ବିଧାନସଭା ଆସନରେ ଆଜି ଭୋଟ ଗଣତି ହେଉଛି। ଶନିବାର ଚୂଡ଼ାନ୍ତ ପର୍ଯ୍ୟାୟ ମତଦାନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମତଦାତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଶନିବାର ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି ଯେ ନିର୍ବାଚନରେ ମତଦାନ ପୂର୍ବକ ସକ୍ରିୟ ଅଂଶ ଗ୍ରହଣ କରିଥିବା ମତାଦାତା ଦେଶର ଗଣତନ୍ତ୍ର ପ୍ରତି ଥିବା ସେମାନଙ୍କ ଉଦ୍ବେଗକୁ ପ୍ରତିପାଦିତ କରିଛନ୍ତି। ବିଶେଷକରି ନାରୀ ଓ ଯୁବଶକ୍ତି ନିର୍ବାଚନରେ ଯେପରି ସକ୍ରିୟ ଅଂଶ ଗ୍ରହଣ କରିଛନ୍ତି ତାହା ବେଶ୍ ଉତ୍ସାହଜନକ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି ଯେ ଦେଶବାସୀ ଏନଡିଏ ସରକାର ପୁନଃ ନିର୍ବାଚିତ କରିବା ଲାଗି ବିପୁଳ ସଂଖ୍ୟାରେ ଭୋଟ ଦେଇଛନ୍ତି। ଏନଡିଏ ତୃତୀୟ ଥର ପାଇଁ ଦେଶରେ ସରକାର ଗଢିବା ନିଶ୍ଚିତ। ଅପରପକ୍ଷରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ୨୯୫ ଆସନରେ ବିଜୟୀ ହେବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ବୁଥ୍ ବାହୁଡ଼ା ମତ ପ୍ରତି ଧ୍ୟାନଦେଲେ ଖଡ଼ଗେଙ୍କ ଦମ୍ଭ ଭାଙ୍ଗିଯାଉଥିବା ସ୍ପଷ୍ଟ ହେଉଛି।
ସୂଚନାନୁଯାୟୀ, ଉତ୍ତର ପ୍ରଦେଶ ଯେଉଁ ଦଳ ଆଡ଼କୁ ଢଳେ ସେହି ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିଆସିଥିବା ପୂର୍ବରୁ ରେକର୍ଡ ରହିଆସିଛି। ୨୦୧୯ରେ ଏହି ପ୍ରଦେଶର ୮୦ରୁ ଏନ୍ଡିଏ ୬୪ଟି ଆସନରେ ବିଜୟୀ ହୋଇଥିଲା। ଚଳିତ ନିର୍ବାଚନରେ ଏନ୍ଡିଏ ଏହି ପ୍ରଦେଶରୁ ୭୦ରୁ ଅଧିକ ଆସନ ଜିତିବା ସମ୍ଭାବନା ରହିଛି। ଅପରପକ୍ଷରେ ପଶ୍ଚିମବଙ୍ଗ ଓ ଓଡ଼ିଶା ସମେତ ଦାକ୍ଷିଣାତ୍ୟର କିଛି ରାଜ୍ୟରୁ ବିସ୍ମୟ କଲାଭଳି ଫଳାଫଳ ମିଳିବ ବୋଲି ଆକଳନ କରାଯାଇଛି। ପଞ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସକୁ ପଛରେ ପକାଇ ବିଜେପି ଅଧିକ ଆସନ ପାଇବା ସମ୍ଭାବନା ସୃଷ୍ଟି ହୋଇଛି। ବିଜେପି ଗତ ଥରର ୧୮ଠାରୁ ଅଧିକ ଆସନ ପାଇବା ସମ୍ଭାବନା ରହିଛି। ସେହିପରି ତାମିଲନାଡୁ ଓ କେରଳରେ ବିଜେପି ଖାତା ଖୋଲିବ ବୋଲି କୁହାଯାଉଛି। ଏମିତିକି କର୍ଣ୍ଣାଟକୁ ମଧ୍ୟ ଦଳ ସଫଳତା ପାଇବା ସମ୍ଭାବନା ରହିଛି। ଅପରପକ୍ଷରେ ବିହାର, ହରିୟାଣା ଓ ରାଜସ୍ଥାନରୁ ଗତ ଥର ତୁଳନାରେ ଆସନ ସଂଖ୍ୟା କିଛି କମିପାରେ ବୋଲି ଆକଳନ କରାଯାଇଛି।
.
Comments are closed.