ସମ୍ପର୍କ: ଏକ ବିରାଟ ପ୍ରଶ୍ନବାଚୀ

ରଶ୍ମି ସାମଲ

ପାରସ୍ପରିକ ବୁଝାମଣା ଓ ବିଶ୍ୱାସ ଉପରେ ଗଢି ଉଠିଥାଏ ଏକ ବିଶାଳ ସମ୍ପର୍କ।ସେ ହୋଇଥାଇ ପାରେ ପିତା ପୁତ୍ର, ଭାଇ ଭଉଣୀ, ମାଆ ପୁଅ, ସ୍ୱାମୀ ସ୍ତ୍ରୀ, ବନ୍ଧୁବାନ୍ଧବ ଓ ସାଙ୍ଗ ସାଥୀ ଇତ୍ୟାଦି ଇତ୍ୟାଦି; କିନ୍ତୁ ଯଦି କୌଣସି ସାମାନ୍ୟ କାରଣ ବଶତଃ ଏଥିରେ ଟିକିଏ ବି ଫାଟ ସୃଷ୍ଟି ହୁଏ ତାହା ଅଚିରେ ତୁଟିଯାଏ, ଏହା ସବୁଠାରୁ ଦୁଃଖ ବା ଯନ୍ତ୍ରଣାଦାୟକ ହୋଇଥାଏ। ଆଜି ଆମେ ଏଠାରେ ବାପା ମାଆ ଓ ପିଲା ମାନଙ୍କ ସମ୍ପର୍କରେ ଟିକେ ଆଲୋଚନା କରିବା। ସତରେ ବୈଚିତ୍ର୍ୟମୟ ସଂସାରରେ ସବୁଠୁ ବିଚିତ୍ର ହେଉଛି ଏ ଦୁନିଆର ମଣିଷ ସମାଜ, ଆଧୁନିକ ମନୁଷ୍ୟର ଚଳଣି ବା ଜୀବନ ବଞ୍ଚିବାର ଶୈଳୀ ଏପରି ଦିନକୁ ଦିନ ବଦଳୁଛି ଯାହାକି ଏହାର, କୁପ୍ରଭାବ ପାରିବାରିକ ପରିବେଶକୁ ଅଧିକରୁ ଅଧିକ କ୍ଷତିଗ୍ରସ୍ତ କରାଉଛି, ଭରପୂର ସ୍ନେହ, ଶ୍ରଦ୍ଧା, ଭଲ ପାଇବାରେ ପଡିଯାଉଛି ଯବନିକା, ବର୍ତ୍ତମାନର ପରିବର୍ତ୍ତିତ ଆଧୁନିକ ସମାଜରେ ପିଲାମାନେ ପ୍ରଥମ ସଫଳତା ସେମାନଙ୍କର ଭାବୁଛନ୍ତି ପ୍ରଚୁର ଧନ ସମ୍ପତ୍ତି କମେଇବା କ୍ଷମତା ହାତେଇବା ଓ ଅତି ବିଳାସ ପୂର୍ଣ୍ଣ ଜୀବନ ଯାପନ, ସେଥିପାଇଁ ବିଶେଷ ଭାବେ ସେମାନଙ୍କ ପାଖରେ ଦେଖାଯାଉଛି ଅତ୍ୟଧିକ ​ଷ୍ଟ୍ରେସ, ଟେନ୍‌ସନ, ଏବଂ ଡିପ୍ରେସନ ଯାହା ଆଜି କାଲିର ନିଚ୍ଛକ ବାସ୍ତବତାର ଚିତ୍ର, ମାନବିକତା କିନ୍ତୁ ବିଲ୍‌କୁଲ ଶୂନ। ଏପରି ଦୌଡ଼ରେ ଦୌଡୁଛନ୍ତି ଯେପରି କି କାହାରି ପାଖରେ କାହା ପାଇଁ ସମୟ ନାହିଁ। କର୍ତ୍ତବ୍ୟନିଷ୍ଠ ବ୍ୟକ୍ତିତ୍ୱର କାର୍ଯ୍ୟକଳାପ ଯେପରି ସ୍ଥିର ଓ ସ୍ତବ୍ଧ। ଆଉ ଏକ ବଡ଼ କଥା ସାମ୍ପ୍ରତିକ ସମୟରେ ପିଲା ମାନଙ୍କ ପାଇଁ ସତେ ଯେପରି ବୋଝ ହୋଇଯାଉଛନ୍ତି ବୟସ୍କ ଓ ପରିଣତ ବୟସର ବାପା ମାଆମାନେ। ଈଶ୍ୱରଙ୍କର ସର୍ବଶ୍ରେଷ୍ଠ ସୃଷ୍ଟି ହେଉଛନ୍ତି ବାପା ମା’, ସେମାନଙ୍କଠାରେ ଦୁନିଆର ସମସ୍ତ ମଧୁରିମା ସ୍ନେହ ଶ୍ରଦ୍ଧା ଅନ୍ତର୍ନିହିତ ଅନାବିଳ ଗୁଣ ଭରା ଥାଏ ସନ୍ତାନ ପ୍ରତି।

ଏବେ କିନ୍ତୁ କିଛି ବାପା ମାଆ ଉଚ୍ଚ ଶିକ୍ଷିତ ପୁଅ ବୋହୂ ମାନଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ନିଜ ବାର୍ଦ୍ଧକ୍ୟକୁ ଧିକ୍‌କାର କରୁଛନ୍ତି। ଜୀବନରେ ବାପା ମାଆ ହେବାର ଆନନ୍ଦ ପାଣି ଫୋଟକା ସତେକି ପାଲଟି ଯାଉଛି। ଆମେ ଯଦି ଦେଖିବା ପରିବାରରେ ପିଲାଟିଏ ଜନ୍ମ ହୁଏ ତେବେ ଖୁସିର ଲହରୀ ଖେଳିଯାଏ। ସବୁ ବାପା ମା’ଙ୍କର ଇଚ୍ଛା ପିଲାଟିଏ ବଡହୋଇ ସେମାନଙ୍କ ଉତ୍ତମ ଦାୟାଦ ହେଉ; କିନ୍ତୁ ଏବେ ନବେ ପ୍ରତିଶତ ବାପା ମାଆଙ୍କର ସ୍ବପ୍ନ ସ୍ୱପ୍ନରେ ରହିଯାଉଛି। ଏହି ବସ୍ତୁବାଦୀ ସ୍ୱାର୍ଥପର ଦୁନିଆରେ ଖୁବ୍‌ କମ୍‌ ପୁଅ ଝିଅ, ବୋହୂ, ସାହାରା ଦେବା ପାଇଁ ଆଗେଇ ଆସୁଛନ୍ତି। ବିନା ସ୍ୱାର୍ଥରେ ଭଲ ପାଉଥିବା ଜୀବନ୍ତ ଈଶ୍ୱର ରୂପୀ ବାପା ମାଆଙ୍କର ଆଶାବାଡ଼ିଟି ଭାଙ୍ଗି ଚୂରମାର ହୋଇଯାଉଛି। ପ୍ରାୟତଃ ଅବହେଳିତ ପରି ଏପରି ଧାରୁଆ ଶବ୍ଦସବୁକୁ ମନେ ପକେଇ ବୃଦ୍ଧାଶ୍ରମରେ ଦୁଃଖ ଭିତରେ ବାପା ଓ ମାଆ କାହିଁକି ହେଲୁ ବୋଲି ଏ ପ୍ରଶ୍ନ ବାରମ୍ବାର ମନକୁ ଆନ୍ଦୋଳିତ କରୁଛି, ସତରେ ନିଜକୁ ନିଜେ ପ୍ରଶ୍ନ କରନ୍ତି ସ୍ନେହ ଶ୍ରଦ୍ଧା ସଂସ୍କାରରେ କଣ କିଛି ଦୋଷ ତ୍ରୁଟି ଆମର ରହିଗଲା କି। କାହିଁକି ଶେଷ ସମୟରେ ନିଜ ହାତରେ ଗଢିଥିବା ଘର ନିଜର ହୋଇପାରିଲାନି, ଶେଷ ଅବସ୍ଥାରେ ଏହି ବୃଦ୍ଧାଶ୍ରମ ଆମ ପାଇଁ ମନ୍ଦିର ପାଲଟିଲା, ଏହି ସବୁ ପ୍ରଶ୍ନର ଉତ୍ତର ନିଶ୍ଚିତ ଭାବେ ବଡ ଜଟିଳ। ମୁଣ୍ଡଝାଳ ତୁଣ୍ଡରେ ମାରି ଜୀବନ ତମାମ ସବୁ ଆବଶ୍ୟକତା ପୂରଣ କରିବାର ଶତ ଚେଷ୍ଟା କରିଥାନ୍ତି। ପିତାମାତାମାନେ ଯେତେବେଳେ ଭାବିଥାନ୍ତି ଶେଷ ସମୟକୁ ପୁତ୍ରମାନେ ନିଶ୍ଚିତ ତାଙ୍କ ସବୁ ଦୁଃଖ ସୁଖରେ ଭାଗୀଦାର ହେବେ; ହେଲେ ଶେଷ ମୁହୂର୍ତ୍ତରେ ସବୁ ଓଲଟପାଲଟ ହୋଇଯାଏ।

ବିବେକହୀନ ଓ ଉଚ୍ଚଶିକ୍ଷିତ ସନ୍ତାନ ସବୁ ସ୍ନେହ ଶ୍ରଦ୍ଧା ତ୍ୟାଗକୁ ପାଦରେ ଦଳି ଦିଅନ୍ତି। ପରିଶେଷରେ ଅସହାୟତାରେ ଦିନ କାଟନ୍ତି ପିତାମାତା ଓ ଆଖୋଜା ଅଲୋଡା ହୋଇଯାନ୍ତି। ସେମାନଙ୍କ ମନ ବୁଝିବାକୁ ପୁଅ ବୋହୂଙ୍କ ପାଖରେ ସମୟ ନଥାଏ। ନାତି ନାତୁଣୀଙ୍କୁ ପାଖରେ ପାଇବା ଯେପରି ସାତ ସପନ ହୋଇଯାଏ। ତିଆରି ହୋଇଥିବା ଏହି ସୁନ୍ଦର ବିଶ୍ୱାସର ଘର ନିରାଶ, ହତାଶ, ବିଷାଦର ସ୍ପଷ୍ଟ ଚିତ୍ର ଆଖି ଆଗରେ ମୁକୁଳା ପଡିଥିବାର ଜଳଜଳ ଦିଶେ। ଏଠାରେ ଚୋର ମା’ କାନ୍ଦେ ନାହିଁ କବାଟ କିଳି କାନ୍ଦେ। ଏଠି ସମାଜ ଅଛି ଅଥଚ ସାମାଜିକ ବନ୍ଧନର ଦୃଢ ଶୃଙ୍ଖଳ ନାହିଁ। ସତରେ ପିଲାମାନେ ସେମାନଙ୍କର ବିଳାସମୟ ଜୀବନଯାପନ ଅତିବାହିତ ଓ ନିଜର ସୁବିଧା ଚିନ୍ତା କରୁକରୁ ପରିବାର ଭବିଷ୍ୟତ ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଯାଉଛି। ପରସ୍ପର ସହଯୋଗିତା ଓ ସହଭାଗିତା ଅଭାବରୁ ଆଜିକାଲି ସମସ୍ତେ କଠିନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଏହି ଜଟିଳତା ଭିତରେ ପେଷି ହୋଇଯାଉଛନ୍ତି ନିରୀହ ବାପା ମାଆ। ପିଲା ମାନଙ୍କଠାରୁ ଧୋକା ଖାଇ ରାତିରାତି ଅନିଦ୍ରା ରହି ଅନୁତାପରେ ମୁହଁ ଲୁଚାଇ କାନ୍ଦୁଛନ୍ତି। ସଂକ୍ଷେପରେ କହିବାକୁ ଗଲେ ପାଲଟୁଛନ୍ତି ଜିଅନ୍ତା ଶବ। ଯେଉଁ ବାପା ମା’ ମାନେ ପିଲାମାନଙ୍କ ଭବିଷ୍ୟତର ପ୍ରତିଭା ବିକାଶ ପାଇଁ ପେଟରେ ଓଦାକପଡା ଦେଇ ମଣିଷ କରିଥିଲେ, ସକାଳୁ ସଞ୍ଜ ଯାଏ ଅହର୍ନିଶ ସଂଘର୍ଷ କରି ନିଶ୍ୱାସ ମାରିବାକୁ ସମୟ ପାଇ ନଥିଲେ ତା’ର ଆଜି ଶେଷ ଠିକଣା ହେଉଛି ବୃଦ୍ଧାଶ୍ରମ। ସବୁ ଅତ୍ୟାଚାର ସହି ତଥାପି କେବେ ପାଟି ଖୋଲି ପ୍ରତିବାଦ କରନ୍ତିନି। ଅବସର ପରେ ପିଲାଙ୍କ ପାଖରେ ରହି ସମୟ କାଟିବାକୁ ଇଚ୍ଛା କରୁଥିବା ବାପା ମାଆଙ୍କ ମନ କଥା ବୁଝି ପାରୁନାହାନ୍ତି ଏହି ଯୋଗ୍ୟ ଉତ୍ତରାଧିକାରୀ। ସେମାନଙ୍କର ଅମଣିଷପଣିଆ ଠିକ ଭୁଲ ବିଚାର କରୁନି। ପୁତ୍ରପୁତ୍ରୀଙ୍କର ଅତିଷ୍ଠ ବ୍ୟବହାରରେ କ୍ଷତାକ୍ତ ହୋଇ ଦୁଃଖକୁ ସାଉଣ୍ଟୁଛନ୍ତି।

ଆଜିକାଲି ସମାଜରେ ପାରିବାରିକ ଅବୁଝାପଣ ଏକ ସଂକ୍ରମକ ବ୍ୟାଧି ଭଳି ବ୍ୟାପି ଚାଲିଛି। ଏକ ସାଧାରଣ କଥା ବାର୍ତ୍ତାରେ ପୁଅ ବୋହୂଙ୍କ ମଧ୍ୟରେ ମତାନ୍ତର ଏଭଳି ରୂପ ନେଉଛି ଯାହା ସିଧାସଳଖ ବାପା ମା’ଙ୍କ ଉପରେ ପ୍ରଭାବ ପଡୁଛି। ନିଜ ଶାଢିର କଅଁଳ ଶେଯରେ ଶୁଆଇ ଦେଇ କେତେ ସ୍ବପ୍ନ ଦେଖିଥିଲା ସେହି ମା’ ହେଲେ ଆଜି ସେହି ଡେଣା ଛିଡି ଖିନ୍‌ଭିନ୍ ହୋଇ ତଳେପଡିଯାଉଛି। ଭୁଲି ଯାଉଛି ଯେଉଁ ମା ଦଶମାସ ଦଶଦିନ ଗର୍ଭରେ ରଖି ଶେଷରେ ଜୀବନ ମରଣର ଗର୍ଭ ଯନ୍ତ୍ରଣା ସହି ତାକୁ ଏହି ପୃଥିବୀକୁ ଆଣିଥିଲା। ସମୟ ବଦଳି ଯାଉଛି ମଣିଷର ଚିନ୍ତାଧାରା କେତେବେଳେ ଅବାଟକୁ ଚାଲି ଯାଉଛି। ସବୁ କିଛି ଯଦି ସମୀକ୍ଷା କରିବା ତେବେ ଅବହେଳିତ ବାପା ମା ଙ୍କର ସଂଖ୍ୟା ଅଧିକ ବଢି ବଢି ଯାଉଛି। ତେଣୁ ଏହାର ଏକ ନିଶ୍ଚିତ ସମାଧାନ ଦରକାର। ପିଲାମାନଙ୍କର ଉଦାରତା, ସହିଷ୍ଣୁତା, ତ୍ୟାଗ, ସାଧୁତା ଓ ଆଗ୍ରହ ମାନବ ସେବା ଅତ୍ୟାବଶ୍ୟକ।

ପ୍ରତି ଯୁଗରେ ସେବା ବ୍ରତରେ ହିଁ ବ୍ୟକ୍ତି ମହାନ ହୋଇ ରହିଛି। ଦେବତା ଅଛନ୍ତି ଦୀନ ହୀନ, ଦରିଦ୍ର, ନିଷ୍ପେଷିତ, ଜନସାଧାରଣଙ୍କ ମଧ୍ୟରେ। ସର୍ବଦା ମନେ ରଖିବା ଉଚିତ ବୟସ୍କଙ୍କ ପାଇଁ ସବୁବେଳେ ଯେ ଔଷଧର ଆବଶ୍ୟକତା ଥାଏ ଏ କଥା କହି ହେବନି। ଅଧିକାଂଶ କ୍ଷେତ୍ରରେ ଏମାନେ ନିଃସଙ୍ଗତା ଏବଂ ଅସହାୟତା ପାଇଁ ରୋଗାକ୍ରାନ୍ତ ହୋଇ ପଡନ୍ତି। ଏହି ବୟସରେ ବାର୍ଦ୍ଧକ୍ୟଜନିତ ରୋଗ ଆସିବ ହିଁ ଆସିବ। ଶରୀରରୁ ରୋଗ ପତିଷେଧକ ଶକ୍ତି କମିଯାଏ, ଏଥିରୁ ନିଜକୁ ସଜାଡି ପାରନ୍ତିନି, ସେବା ଉପରେ ନିର୍ଭର କରିବାକୁ ପଡିଥାଏ। ତେଣୁ ଆମକୁ ସବୁ ଦିଗ ପ୍ରତି ସଚେତନ ହେବାକୁ ପଡ଼ିବ। ବିଶେଷ କରି ପିଲାମାନଙ୍କୁ ଏ ଦାୟିତ୍ୱ ନେବାକୁ ପଡିବ। ଯେଉଁ ଦାୟିତ୍ବରୁ ପିଲାମାନେ ମୁଣ୍ଡ ଖସେଇ ଦେବାକୁ ଚାହୁଁଛନ୍ତି ସେଥି ପ୍ରତି ସଚେତନ ହେବା ଯେ ଏ ବୟସରେ ବାପା ମାଆ କେବେ ବି ଆମର ବୋଝ ନୁହନ୍ତି। ତେଣୁ ସେମାନଙ୍କୁ ଦେବତାର ଆସନ ଅର୍ପଣ କରିବା- ଏହା ହେଉଛି ଆମ ସଂସ୍କୃତିର ମୂଳମନ୍ତ୍ର।

Comments are closed.