‘ଗୀତରେ ଗୀତରେ ପ୍ରଶାନ୍ତ ପାଢ଼ୀ’ ସଙ୍ଗୀତ କାର୍ଯ୍ୟକ୍ରମରେ ଦୁଲୁକିଲା ରବୀନ୍ଦ୍ର ମଣ୍ଡପ
ଭୁବନେଶ୍ବର : ଓଡ଼ିଶାର ପ୍ରତିଷ୍ଠିତ କଣ୍ଠଶିଳ୍ପୀ ତଥା ସୁନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀଙ୍କର ଏକ ସୁନ୍ଦର ସଙ୍ଗୀତ ସଂଧ୍ୟା ବୁଧବାର ରବୀନ୍ଦ୍ର ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଏସ ଏସ ମିଡ଼ିଆ କ୍ରିଏସନ ପ୍ରସ୍ତୁତିରେ ‘ଗୀତରେ ଗୀତରେ ପ୍ରଶାନ୍ତ ପାଢ଼ୀ’ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମରେ ପ୍ରଶାନ୍ତ ପାଢ଼ୀଙ୍କ ନିର୍ଦ୍ଦେଶିତ ଅନେକ ଚଳଚ୍ଚିତ୍ର ସଙ୍ଗୀତ ମଧ୍ୟରୁ ନୂଆ ପିଢ଼ୀର କଣ୍ଠଶିଳ୍ପୀ କିଛି ଗୀତ ପରିବେଷଣ କରିଥିଲେ। ନୂଆ ପିଢ଼ୀ କଣ୍ଠଶିଳ୍ପୀଙ୍କୁ ସୁଯୋଗ ଦେଇ ଆଗକୁ ଆଣିବବାର ଏହା ଏକ ପ୍ରଚେଷ୍ଟା । ଏଇ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ଦୀର୍ଘ ୩୮ ବର୍ଷ ଓଡ଼ିଆ ସଙ୍ଗୀତ କ୍ଷେତ୍ରରେ ବିତାଇଥିବା ପ୍ରଶାନ୍ତଙ୍କ ନିଆରା ଅନୁଭୂତିକୁ ବୟାନ କରିଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ କ୍ଷେତ୍ରରେ ପ୍ରସିଦ୍ଧି ଅର୍ଜନ କରିଥିବା କିଛି ବ୍ୟକ୍ତିତ୍ବଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ଚଳିତ ବର୍ଷ ପଦ୍ମଶ୍ରୀ ଶ୍ୟାମାମଣୀ ଦେବୀ, ଦୀପ୍ତିମୟୀ ମହାନ୍ତି, ଜିଜ୍ଞାଶୀଷ ମହାପାତ୍ର, ଗଣେଶ ଜେନା, ଜିତୁ ମଙ୍ଗରାଜ ଏବଂ ଗୌରୀଶଙ୍କର ପଣ୍ଡାଙ୍କୁ ସମ୍ମାନିତ କରାଯାଇଛି।
ଏହି ସଙ୍ଗୀତ ସନ୍ଧ୍ୟାରେ କଣ୍ଠଶିଳ୍ପୀ ବିଭୁ କିଶୋର, ମାନସ ପ୍ରିତମ୍, କୁଲଦୀପ ପଟ୍ଟନାୟକ, ପ୍ରଦୀପ ପଲେଇ, ସ୍ଵସ୍ତିକ ପାଢ଼ୀ, ଲିପ୍ସା ମହାପାତ୍ର, ଅର୍ପିତା ଚୌଧୁରୀ, ରୋଜାଲିନ୍ ମିଶ୍ର, ପ୍ରତିଭା ପ୍ରଧାନ ତଥା ଦେବାଂଶୀ ଦାଶ ପ୍ରମୁଖ ପ୍ରଶାନ୍ତ ପାଢ଼ୀଙ୍କ ସଙ୍ଗୀତ ନିର୍ଦ୍ଦେଶନାର ଗୀତ ପରିବେଷଣ କରିଥିଲେ । ‘ଗୀତରେ ଗୀତରେ’ ସଙ୍ଗୀତ କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ ଦାସ ଏବଂ ଆଇପିଏସ ସତ୍ୟଜିତ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ‘ଗୀତରେ ଗୀତରେ ପ୍ରଶାନ୍ତ ପାଢ଼ୀ’ ନାମକ ଏକ ସ୍ମରଣିକା ଉନ୍ମୋଚିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଓଡ଼ିଶାର ଅତି ପରିଚିତା ଅଭିନେତ୍ରୀ ତଥା ଭଏସ ଓଭର ଆର୍ଟିଷ୍ଟ ରାକ୍ଷୀ ଦାଶ। ପ୍ରଚାର ପ୍ରସାର ଦାୟୀତ୍ୱରେ ଥିଲେ ମିଡ଼ିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀ।
Comments are closed.