ସାଥୀ ବରିଷ୍ଠ ଖେଳାଳିଙ୍କ ବିରୋଧରେ ଗମ୍ଭୀରଙ୍କ ସାଂଘାତିକ ଅଭିଯୋଗ

୧୯୮୩ ବିଜୟର ଗୁରୁତ୍ବ ହ୍ରାସ ପାଇଁ ୨୦୧୧ ବିଶ୍ବକପ୍‌ ଜିତିବାକୁ କହିଥିଲେ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ତାରକା ଓପ୍‌ନର ତଥା ସାଂସଦ ଗୌତମ ଗମ୍ଭୀର କିଛି ସାଥୀ ଖେଳାଳିଙ୍କ ନାମରେ ସାଂଘାତିକ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ୨୦୧୧ ବିଶ୍ବକପ୍‌ର ସେମିଫାଇନାଲ ବେଳେ ଦଳର କିଛି ବରିଷ୍ଠ ଖେଳାଳି ତାଙ୍କୁ କହିଥିଲେ ଯେ ଦଳକୁ ଏହି ବିଶ୍ବକପ୍‌ ଜିତିବାକୁ ପଡ଼ିବ। ଫଳରେ ଭାରତର ୧୯୮୩ ବିଶ୍ବକପ୍‌ ବିଜୟ ନେଇ ଯେତେ ଚର୍ଚ୍ଚା ହେଉଛି ଏବଂ ଏହାକୁ ଯେତେ ଗୁରୁତ୍ବ ଦିଆଯାଉଛି; ତାହାର ଅନ୍ତଃ ଘଟିବ। ସୂଚନାଯୋଗ୍ୟ; କପିଳ ଦେବଙ୍କ ନେତୃତ୍ବରେ ଭାରତୀୟ ଦଳ ୧୯୮୩ରେ ପ୍ରଥମଥର ବିଶ୍ବକପ୍‌ ଜିତିଥିଲା। ଏହି ବିଶ୍ବକପ୍‌ ବିଜୟକୁ ଭାରତୀୟ କ୍ରିକେଟ୍‌ ଇତିହାସରେ ସବୁଠାରୁ ବଡ଼ ସଫଳତା ବୋଲି ଗଣନା କରା ଯାଉଥିଲା। ୧୯୮୩ ବିଶ୍ବକପ୍‌ ବିଜୟ ଭାରତୀୟ କ୍ରିକେଟ୍‌ରେ ଏକ ବିପ୍ଳବ ଆଣିଥିଲା।

prayash

ଗଣମାଧ୍ୟମକୁ ଗୌତମ ଗମ୍ଭୀର କହିଛନ୍ତି, ୨୦୧୧ ବିଶ୍ବକପ୍‌ରେ ମୋହାଲିରେ ପାକିସ୍ତାନ ବିପକ୍ଷ ସେମିଫାଇନାଲ ମ୍ୟାଚ୍‌ ପୂର୍ବରୁ ଆମ ଦଳର ୨/୩ ଜଣ ବରିଷ୍ଠ ଖେଳାଳି ମୋ ପାଖକୁ ଆସି କହିଥିଲେ, ଆମ ପାଇଁ ଏହି ବିଶ୍ବକପ୍‌ ଜିତିବା ଜରୁରୀ। ଫଳରେ ୧୯୮୩ ବିଶ୍ବକପ୍‌ ବିଜୟକୁ ନେଇ ଯେତେ ଚର୍ଚ୍ଚା ହେଉଛି; ତାହାକୁ ଅମେ ବନ୍ଦ କରିପାରିବା। ଆମକୁ ଉକ୍ତ ବିଶ୍ବକପ୍‌ ବିଜେତା ଦଳର ଖେଳାଳିଙ୍କ କୃତିତ୍ବ ଏବଂ ଏହାକୁ ନେଇ ହେଉଥିବା ପ୍ରଶଂସାର ଅନ୍ତ ଘଟାଇବାକୁ ପଡ଼ିବ। ମୁଁ ସେମାନଙ୍କୁ କହିଥିଲି, କାହାକୁ ଖତମ୍ କରିବାକୁ ଆସିନାହିଁ। ପୁଣି କାହାର କୃତିତ୍ବକୁ ହ୍ରାସ କରାଇବାକୁ ମଧ୍ୟ ଆସିନାହିଁ। ତେବେ ଏହି ବିଶ୍ବକପ୍‌ ଜିତି ଆମ ଦଳର କୃତିତ୍ବକୁ ପ୍ରମାଣ କରିବାକୁ ଆସିଛି।

୧୯୮୩ରୁ ୨୦୧୧ ପର୍ଯ୍ୟନ୍ତ ଯଦି ଗଣମାଧ୍ୟମ ୧୯୮୩ ବିଶ୍ବକପ୍‌ ବିଜେତା ଦଳର ଖେଳାଳିଙ୍କୁ ପ୍ରଶଂସା କରୁଛି; ତେବେ ଏହା ଗଣମାଧ୍ୟମର ସମସ୍ୟା; ଆମର ନୁହେଁ। ଆମେ ଏଠାକୁ ବିଶ୍ବକପ୍‌ ଜିତିବାକୁ ଆସିଛୁ। କାରଣ ଆମେ ଚାହୁଁ ଯେ ଦେଶବାସୀ ଏହି ବିଜୟ ନେଇ ଖୁସି ଅନୁଭବ କରନ୍ତୁ। ଭବିଷ୍ୟତରେ ମଧ୍ୟ ଆମକୁ ଏପରି କରିବାକୁ ପଡ଼ିବ। ତେବେ ଗମ୍ଭୀର ଉକ୍ତ ୨/୩ ଜଣ ସାଥୀ ବରିଷ୍ଠ ଖେଳାଳିଙ୍କ ନାମ ପ୍ରକାଶ କରିନାହାନ୍ତି। ସୂଚନାଯୋଗ୍ୟ; ସଚିନ ତେନ୍ଦୁଲକରଙ୍କ ୮୫ ରନ୍‌ ବଳ​‌େ​‌ର ମୋହାଲିରେ ୨୦୧୧ ବିଶ୍ବକପ୍‌ ସେମିଫାଇନାଲରେ ପାକିସ୍ତାନକୁ ଭାରତ ୨୯ ରନ୍‌ରେ ପରାସ୍ତ କରିଥିଲା। ପରେ ଶ୍ରୀଲଙ୍କା ବିପକ୍ଷ ଫାଇନାଲରେ ଗୌତମ ଗମ୍ଭୀର କଷ୍ଟସାଧ୍ୟ ପରିସ୍ଥିତିରେ ସର୍ବାଧିକ ୯୭ ରନ୍‌ କରିବାରୁ ଭାରତ ୬ ୱିକେଟରେ ଜିତି ୨ୟ ଥର ଦିନିକିଆ ବିଶ୍ବ ଚମ୍ପିଆନ୍‌ ହୋଇଥିଲା। ବୀରେନ୍ଦ୍ର ସେହ୍ବାଗ ୦ ଓ ସଚିନ ୧୮ ରନ୍‌କରି ଆଉଟ୍‌ ହେବା ପରେ ଗମ୍ଭୀର ହିଁ ଇନିଂସ ସମ୍ଭାଳିଥିଲେ। ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଅପରାଜିତ ୯୧ ରନ୍‌ର ଇନିଂସ ଖେଳି ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ। ତେବେ ବହୁ କ୍ରିକେଟ୍‌ ପଣ୍ଡିତ ମତ ଦେଇଥିଲେ ଯେ ବିଶ୍ବକପ୍‌ ଫାଇନାଲରେ ଗମ୍ଭୀର ହିଁ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହେବାର ଥିଲା।

kalyan agarbati

Comments are closed.