ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ
୪.୨୦ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
ସୋନପୁର : ରୋଗୀଙ୍କୁ ନୁହେଁ, ବରଂ ଗଞ୍ଜେଇ ବୋହୁଥିଲା ଏଇ ଆମ୍ୱୁଲାନ୍ସ। ବୌଦ୍ଧ ଜିଲା ମନମୁଣ୍ଡା ଅଞ୍ଚଳରୁ ଛତିଶଗଡକୁ ଅଭିନବ ଢଙ୍ଗରେ ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ ବେଳେ ଅବକାରୀ ବିଭାଗ ହାତରେ ଧରାପଡିଛି। ସୋନପୁର ଜିଲାର କୁଞ୍ଜ ଛକରେ ଏହି ଆମ୍ବୁଲାନ୍ସରୁ ୪ କୁଇଣ୍ଟାଲ ୨୦ କେଜି ଗଞ୍ଜେଇ ଜବତ ହୋଇଛି।
ସୂଚନାରୁ ପ୍ରକାଶ ଯେ, ଅବକାରୀ ବିଭାଗ ପକ୍ଷରୁ ସୋନପୁର-ମନମୁଣ୍ଡା ରାସ୍ତାର ନୂତନ ଟାଉନ ହଲ ଅଞ୍ଚଳରେ ପାଟ୍ରୋଲିଂ ଚାଲିଥିବା ବେଳେ ବୌଦ ଜିଲା ମନମୁଣ୍ଡା ଅଞ୍ଚଳରୁ ସିଜି-୧୭-ବିଏଚ୍-୧୬୧୪ ନମ୍ବର ଲେଖାଥିବା ଏକ ଆମ୍ବୁଲାନ୍ସକୁ ଅଟକାଇଥିଲେ। କିନ୍ତୁ ଗାଡି ଡ୍ରାଇଭର ଦ୍ରୁତ ଗତିରେ ସେଠାରେ ଫେରାର୍ ମାରିବା ପରେ ଅବକାରୀ ବିଭାଗ ତାକୁ ଦୌଡାଇ ସହରର ବ୍ଲକଛକରେ ରଖିବାରେ ସକ୍ଷମ ହୋଇଥିଲେ। ତେବେ ଗାଡିକୁ ଯାଞ୍ଚ ସମୟରେ ଗାଡିରେ ରୋଗୀ ପରିବର୍ତ୍ତେ ଜରିବସ୍ତାରେ ସିଲ ହୋଇଥିବା ବିପୁଳ ପରିମାଣର ଗଞ୍ଜେଇ ବାହାରିଥିଲା। ତୁରନ୍ତ ଆମ୍ବୁଲାନ୍ସ ସହ ଗାଡିର ଡ୍ରାଇଭରକୁ କାର୍ଯ୍ୟାଳୟକୁ ଆଣି ସେଠାରେ ଓଜନ କରିବାରେ ୪ କ୍ୱିଣ୍ଟାଲ ୨୦କେଜି ଗଂଜେଇ ବାହାରିଥିଲା। ଅଟକ ଡ୍ରାଇଭର ବାରମ୍ବାର ନିଜର ନାମ ବଦଳାଉଥିବାବେଳେ ତାର ଅସଲ ନାମ ଉପେନ୍ଦ୍ର କୁମାର ସାହୁ (୩୦) ଓ ଘର ଛତିଶଗଡ଼ ରାୟପୁର ଜିଲା ଅନ୍ତର୍ଗତ ରେଲିବନ୍ଧ ବୋଲି ଅବକାରୀ ବିଭାଗ ଜାଣିବାକୁ ପାଇଛି। ଏହି ମୋବାଇଲ ସ୍କ୍ୱାର୍ଡରେ ଅବକାରୀ ଇନ୍ସପେକ୍ଟର ପ୍ରକାଶ କୁମାର ସା, ଇନ୍ସପେକ୍ଟର ରାଧାକାନ୍ତ ଭୋଇ, ସବ ଇନ୍ସପେକ୍ଟର ବଲବୀର ଗଡ଼ନାୟକ, ଏଏସଆଇ ପୃଥ୍ୱୀରାଜ କୁଅଁର ପ୍ରମୁଖ ସାମିଲ ହୋଇଥିଲେ। ତେବେ ଜବତ ଗଞ୍ଜେଇ ବୌଦ ଜିଲାର ମନମୁଣ୍ଡା ଥାନା ଅଞ୍ଚଳରୁ ଛତିଶଗଡ଼କୁ ଆମ୍ବୁଲାନ୍ସରେ ଚୋରାଚାଲାଣ କରୁଥିବା ଅବକାରୀ ବିଭାଗ ଆଗରେ ସ୍ୱୀକାର କରିବା ପରେ ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ସେମାନଙ୍କର ଜାମିନ ଖାରଜ ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।
Comments are closed.