ଗେଲ ଇଣ୍ଡିଆର ଫାଟିଲା ଗ୍ୟାସ ପାଇପ, ପ୍ରଚଣ୍ଡ ଶବ୍ଦରେ ଆଖ ପାଖର ଗାଁ ଲୋକେ ଭୟଭୀତ
ବରିଷ୍ଠ ଅଧିକାରୀଙ୍କ ସହାୟତାରେ ତୁରନ୍ତ ମରାମତି କଲେ ଗେଲ ଇଣ୍ଡିଆ କର୍ତ୍ତୃପକ୍ଷ
ଅନୁଗୋଳ: ଅନୁଗୋଳ ଜିଲାର ବନରପାଳ ତହସିଲ ଅନ୍ତର୍ଗତ ବଳରାମ ପ୍ରସାଦ ଅଂଚଳର ପିଙ୍ଗୁଆ ଗ୍ରାମ ନିକଟରେ ଥିବା ଏକ ସବଷ୍ଟେସନ ନିକଟରେ ଗେଲ ଇଣ୍ଡିଆର ଗ୍ୟାସ ପାଇପ ଲାଇନ ଭାଲବ କଟି ପ୍ରାକୃତିକ ଗ୍ୟାସ ନିର୍ଗତ ଗୁରୁବାର ହୋଇଥିଲା। ଏହି ଗ୍ୟାସ ପାଇପ ଫାଟିବାର ପ୍ରଚଣ୍ଡ ଶବ୍ଦରେ ଆଖ ପାଖର ଗାଁ ଲୋକେ ଭୟଭୀତ ହୋଇପଡ଼ିଥିଲେ। ସବ ଷ୍ଟେସନରେ କାର୍ଯ୍ୟରତ କର୍ମଚାରୀ ଓ ୨୦୦ମିଟର ଦୂରରେ ଥିବା ଗ୍ରାମବାସୀଙ୍କର କୌଣସି ଧନ ଜୀବନ କ୍ଷୟ କ୍ଷତି ହୋଇ ନଥିବା ଜିଲା ପ୍ରଶାସନ ପକ୍ଷରୁ କୁହା ଯାଇଛି।
ଦୁର୍ଘଟଣା ଘଟିବାର ଖବର ପାଇ ତୁରନ୍ତ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଘଟଣାର ଗୁରୁତ୍ୱକୁ ଉପଲବ୍ଧି କରି ତ୍ୱରୀତ ବିହିତ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଥିଲେ ଓ ଘଟଣା ସ୍ଥଳକୁ ସାଧାରଣ ଜନତାଙ୍କୁ ନଯିବାକୁ ପରାମର୍ଶ ଦେଇଥିଲେ। ଅନୁଗୋଳ ଉପ ଜିଲାପାଳ ବୈତୁରା ଦୀପଙ୍କ ସହ ଅତିରିକ୍ତ ତହସିଲଦାର ବନରପାଲ, ଅନୁଗୋଳ ଉପଖଣ୍ଡ ପୁଲିସ ଅଧିକାରୀ, ବନରପାଲ ଓ ନାଲକୋ ଦମକଳ ବାହିନୀ, ନାଲକୋ ଓ ଜିନ୍ଦଲ ନିରାପତ୍ତା ଅଧିକାରୀ ସହିତ ଗେଲ ଇଣ୍ଡିଆ ମୁଖ୍ୟ ପରିଚାଳକ ଓ ନିରାପତ୍ତା ଦଳ ଘଟଣା ସ୍ଥଳରେ ପହଞ୍ଚି ବରିଷ୍ଠ ଅଧିକାରୀଙ୍କ ସହାୟତାରେ ଲିକେଜ ହୋଇଥିବା ସ୍ଥାନକୁ ତୁରନ୍ତ ମରାମତି କରାଯାଇ ଗ୍ୟାସ ନିର୍ଗତକୁ ବନ୍ଦ କରାଇଥିଲେ। ଭୟଭୀତ ଅବସ୍ଥାରେ ଥିବା ଆଖ ପାଖ ଗ୍ରାମବାସୀଙ୍କ ସହ ଉପଜିଲାପାଳ ପ୍ରତ୍ୟକ୍ଷ ଭାବେ ଆଲୋଚନା ଓ ବୁଝାସୁଝା କରି ସେମାନଙ୍କ ମନରୁ ଭୟ ଦୂର କରିଥିଲେ। ପ୍ରଶାସନର ତ୍ୱରୀତ ହସ୍ତକ୍ଷେପ ଯୋଗୁଁ ଗୋଟିଏ ବଡ ଧରଣର ଅଘଟଣକୁ ଏଡାଇ ଦିଆଯାଇପାରିଥିଲା।
Comments are closed.