କୃତ୍ରିମ ଅଙ୍ଗ ପ୍ରତ୍ୟାରୋପଣ ଶିବିର ଉଦଘାଟିତ
ସମ୍ବଲପୁର : ସମ୍ବଲପୁରର ବଡବଜାର ସ୍ଥିତ ଅଗ୍ରସେନ ଭବନ ଠାରେ ମାରୱାଡି ଯୁବା ମଞ୍ଚ, ନବଚେତନା ଓ ଉଦୟ ର୍ଷ୍ଟାସ ପକ୍ଷରୁ ତ୍ରିଦିବସୀୟ କୃତ୍ରିମ ଅଙ୍ଗ ପ୍ରତ୍ୟାରୋପଣ ଶିବିର ଶୁକ୍ରବାରଠାରୁ ଆରମ୍ଭ ହୋଇଯାଇଛି। ଆଜି ପୂର୍ବାହ୍ନରେ ଓଡିଶା ବିଧାନସଭାର ବିରୋଧି ଦଳର ନେତା ଜୟନାରାୟଣ ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଏହି ଶିବିରକୁ ଉଦଘାଟନ କରି ଆୟୋଜକ ମାନଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ରୂପେ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ମନ୍ତ୍ରୀ ଇଂ ରୋହିତ ପୂଜାରୀ, ମାରୱାଡି ସମ୍ମେଳନର ପ୍ରାନ୍ତୀୟ ଅଧ୍ୟକ୍ଷ ଗୋବିନ୍ଦରାମ ଅଗ୍ରୱାଲ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଇଂ ଅଶୋକ ଜଲାନ, ଅଖିଳ ଭାରତୀୟ ମାରୱାଡି ଯୁବା ମଞ୍ଚର ସଂଯୋଜକ ପରାଗ ଅଗ୍ରୱାଲ, ପ୍ରାନ୍ତୀୟ ଉପାଧ୍ୟକ୍ଷ ପ୍ରତୀକ ଅଗ୍ରୱାଲ ଓ ପୂର୍ବ ପ୍ରାନ୍ତୀୟ ଅଧ୍ୟକ୍ଷ ନାରାୟଣ ମୋଦୀ ଉପସ୍ଥିତ ଥିଲେ।
ତିନି ଦିନ ଧରି ଆୟୋଜିତ ଏହି ଶିବିରରେ ଓଡିଶାର ବିଭିନ୍ନ ଜିଲା ସମେତ ପଡୋଶୀ ରାଜ୍ୟ ଛତିଶଗଡ, ଝାଡଖଣ୍ଡ ଏବଂ ବିହାରରୁ ଶତାଧିକ ବ୍ୟକ୍ତି ପହଞ୍ଚିଛନ୍ତି। ସମସ୍ତଙ୍କ ପାଇଁ ଅଗ୍ରସେନ ଭବନ ଠାରେ ରହିବା ଓ ଖାଦ୍ୟପେୟର ବ୍ୟବସ୍ଥା ଆୟୋଜକ ମାନଙ୍କ ତରଫରୁ କରାଯାଇଛି । ଏହି ତ୍ରିଦିବସୀୟ ଶିବିରରେ ଶୁକ୍ରବାର ସମସ୍ତ ଲାଭାର୍ଥୀ ମାନଙ୍କର ଅଙ୍ଗ ପ୍ରତ୍ୟାରୋପଣ ନିମନ୍ତେ ସିଲିଗୁଡିରୁ ଆସିଥିବା ବିଶେଷଜ୍ଞ ଦଳ ମାପ ନେଇଥିବା ବେଳେ ଆସନ୍ତା ୨ ଦିନ ଧରି ଅଙ୍ଗ ପ୍ରତ୍ୟାରୋପଣ ଓ ପରୀକ୍ଷା କରାଯିବ। ଏହି ପ୍ରତ୍ୟାରୋପିତ ଅଙ୍ଗ ଗୁଡିକ ୫ ବର୍ଷ ପର୍ଯ୍ୟନ୍ତ ସଠିକ ଭାବରେ କାର୍ଯ୍ୟ କରିବ। ଅଖିଳ ଭାରତୀୟ ମାରୱାଡି ଯୁବା ମଞ୍ଚ ପକ୍ଷରୁ ସାରା ଭାରତରେ ଭିନ୍ନକ୍ଷମ ମାନଙ୍କୁ ସମ୍ମାନର ସହିତ ରହିବା ଓ ଯାତାୟାତରେ ଅସୁବିଧି ନ ହେବା ଲକ୍ଷ୍ୟ ନେଇ ନିୟମିତ ଏଭଳି କୃତ୍ରିମ ଅଙ୍ଗ ପ୍ରତ୍ୟାରୋପଣ ଶିବିର ମାନ ଆୟୋଜିତ ହୋଇ ଆସୁଛି । ସମ୍ବଲପୁର ଠାରେ ମଞ୍ଚ ତରଫରୁ ୫ମ ଥର ପାଇଁ ଏଭଳି ଶିବିର ଆୟୋଜିତ ହେଉଛି ବୋଲି ପରାଗ ଅଗ୍ରୱାଲ କହିଛନ୍ତି । ଏହି ଶିବିରକୁ ଆୟୋଜନ ଓ ପରିଚାଳନାରେ ରଶ୍ମୀ ଅଗ୍ରୱାଲ, ରାକ୍ଷୀ ଅଗ୍ରୱାଲ, ଅନୀତା ଅଗ୍ରୱାଲ, ପ୍ରିୟାଂଶୁ ଅଗ୍ରୱାଲ, ଶିବ ଅଗ୍ରୱାଲ, ଦୀପକ ମିତ୍ତଲଙ୍କ ସମେତ ଅନୁଷ୍ଠାନ ମାନଙ୍କର ସଦସ୍ୟ ମାନେ ସକ୍ରିୟ ସହାୟତା କରୁଛନ୍ତି । ଏହି ଶିିିବିର ଆସନ୍ତା ରବିବାର ୯ ତାରିଖ ପର୍ଯ୍ୟନ୍ତ ଜାରି ରହିବ।
Comments are closed.