ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ପରଲୋକ

ଦୁଇ ଦୁଇଥର ହୋଇଥିଲେ ଓଡିଶାର ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ପରଲୋକ ହୋଇଯାଇଛି।  କଂଗ୍ରେସ ଏହି ଟାଣୁଆ ନେତାଙ୍କର ଆଜି ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା ।  ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ପରଲୋକ ହୋଇଥିବା ଖବର ତାଙ୍କ ଝିଅ ସୁନୀତା ସୂଚନା ଦେଇଛନ୍ତି । ସ୍ବର୍ଗତ ହେମାନନ୍ଦ ବିଶ୍ବାଳ ଦୁଇଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ । ପ୍ରଥମେ ସେ ୧୯୮୯ ମସିହା ଡିସେମ୍ବର ୭ ତାରିଖରୁ ୧୯୯୦ ମସିହା ମାର୍ଚ୍ଚ ୫ ତାରିଖ ପର୍ୟ୍ୟନ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ଏହାପରେ ସେ ୧୯୯୯ ମସିହା ଡିସେମ୍ବର ୬ରୁ ୨୦୦୦ ମସିହା ମାର୍ଚ୍ଚ ୫ ତାରିଖ ପର୍ୟ୍ୟନ୍ତ ମଧ୍ୟ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ । ହେଲେ ଆଜି ତାଙ୍କର ଦେହାନ୍ତ ଘଟଣା ରାଜନୈତିକ ମହଲରେ ଶୋକ ଖେଳାଇଦେଇଛି ।

ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଜନ୍ମ ଝାରସୁଗୁଡ଼ା ଜିଲାର ଠାକୁରପଡ଼ା ଗ୍ରାମରେ ଡିସେମ୍ବର ୧ ୧୯୩୯ରେ ହୋଇଥିଲା । ଝାରସୁଗୁଡ଼ାର ନିଜ ଗାଁ ଠାକୁରପଡ଼ାରେ ସେ ଅସୁସ୍ଥ ହୋଇପଡିଥିଲେ । ଚିକତ୍ସା ପାଇଁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ୧୯୬୭ରେ କିର୍ମିରା ପଞ୍ଚାୟତ ସମିତି ଅଧ୍ୟକ୍ଷ ଭାବେ ସେ ରାଜନୀତିରେ ପାଦ ଦେଇଥିଲେ । ୧୯୭୧ରେ ମଧ୍ୟ ସେ ପଞ୍ଚାୟତ ସମିତିର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ୧୯୭୨ରେ ସେ କଂଗ୍ରେସରେ ଯୋଗ ଦେଇଥିଲେ । ଝାରସୁଗୁଡା ଜିଲ୍ଲା ଲଇକେରା ଆସନରୁ ୧୯୭୪ରେ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୧୯୭୪ରୁ ୧୯୭୭ ଓ ୧୯୮୦ରୁ ୨୦୦୪ ପର୍ୟ୍ୟନ୍ତ ୬ ଥର ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।  ୧୯୭୪ରୁ ୧୯୭୭, ୧୯୮୦ରୁ ୧୯୮୫, ୧୯୮୫ରୁ ୧୯୯୦, ୧୯୯୦ରୁ ୧୯୯୫, ୧୯୯୫ରୁ ୨୦୦୦ ଓ ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ୬ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୧୯୮୫ ମାର୍ଚ୍ଚରୁ ୧୯୮୬ ଡିସେମ୍ବର ପର୍ଯ୍ୟନ୍ତ କଂଗ୍ରେସ ସରକାରରେ ସେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଥିଲେ । ୧୯୯୮ ମେ ୬ତାରିଖରୁ ୧୯୯୯ ଡିସେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ପ୍ରଦେଶ କଂଗ୍ରେସ କମିଟି ସଭାପତି ଦାୟିତ୍ୱ ତୁଲାଇଥିଲେ । ୧୯୯୫ ମାର୍ଚ୍ଚରୁ ୧୯୯୮ ମେ ପର୍ଯ୍ୟନ୍ତ ସେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସରକାରରେ ଉପମୁଖ୍ୟମନ୍ତ୍ରୀ ଥିଲେ। ତାଙ୍କ ବାପା ବାସୁଦେବ ବିଶ୍ବାଳ ଦୀର୍ଘବର୍ଷ ପର୍ୟ୍ୟନ୍ତ ସରପଞ୍ଚ ଥିଲେ । ଉର୍ମିଳା ବିଶ୍ବାଳଙ୍କୁ ବିବାହ କରିଥିଲେ। ତାଙ୍କର ୫ ଝିଅ ଅଛନ୍ତି।  ହେମାନନ୍ଦ ପିଲାଦିନରୁ ସେ ଯେମିତି ସାହାସୀ ଥିଲେ, ସେମିତି ଭଲ ପାଠ ମଧ୍ୟ ପଢ଼ୁଥିଲେ । ହେମାନନ୍ଦଙ୍କ ବିୟୋଗରେ ରାଜନୈତିକ ମହଲରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।

 

ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ପରଲୋକ

  • ୨ ଥର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ ହେମାନନ୍ଦ
  • ୧୯୮୯ରୁ ୧୯୯୦ ପ୍ରଥମ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ
  • ୧୯୯୯ରୁ ୨୦୦୦ ମସିହା ଯାଏଁ ୨ୟ ଥର ମୁଖ୍ୟମନ୍ତ୍ରୀ
  • ୨ୟ ପର୍ଯ୍ୟାୟରେ ମୋଟ ୮ ମାସ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ
  • ୭୦ ଦଶକରେ ପଞ୍ଚାୟତ ରାଜନୀତିରେ ତାଙ୍କ କ୍ୟାରିୟର ଆରମ୍ଭ
  • ୧୯୭୪ ମସିହାରେ ପ୍ରଥମ ଥର ବିଧାୟକ ହୋଇଥିଲେ

Comments are closed.