ଜଙ୍ଗଲ ଅଧିକାର ଆଇନ୍-୨୦୦୬ ଉଲ୍ଂଘନ ବିରୁଦ୍ଧରେ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ
ଭୁବନେଶ୍ବର : ଜଙ୍ଗଲ ଅଧିକାର ଆଇନ୍-୨୦୦୬ର ଉଲ୍ଂଘନ ବିରୋଧରେ ଆଇନର କାର୍ୟ୍ୟକାରୀତା ପାଇଁ ଏବଂ ଅନେକ ଗୁଡିଏ ଗୁରୁତ୍ବପୂର୍ଣ୍ଣ ଦାବି ଗୁଡିକୁ ନେଇ ଓଡ଼ିଶା କୃଷକ ସଭା, ଓଡ଼ିଶା ଆଦିବାସୀ ଅଧିକାର ମଞ୍ଚ ଓ ଓଡ଼ିଶା କ୍ଷତମଜଦୂର ୟୁନିୟନ ସମେତ ଭୂମି ଅଧିକାର ଆନ୍ଦୋଳନ ତଥା ବହୁ ଗଣ ସଂଗଠନ ସୋମବାର ସାରା ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେହି ଗୁରୁତ୍ବପୂର୍ଣ୍ଣ ଦାବି ଗୁଡିକ ମଧ୍ୟରେ ରହିଛି, ଭାରତୀୟ ଜଙ୍ଗଲ ଆଇନ ୧୯୨୭ର ପ୍ରସ୍ତାବିତ୍ ପରିବର୍ତ୍ତନ ବିଲକୁ ପ୍ରତ୍ୟାହାର କରିବା ଏବଂ ଉତ୍ତର ପ୍ରଦେଶର ଉମ୍ଭା ଗ୍ରାମରେ ୧୧ ଜଣ ଆଦିବାସୀଙ୍କୁ ଗଣହତ୍ୟା କରିଥିବା ଅପରାଧିମାନଙ୍କ ବିରୋଧରେ ଦୃଷ୍ଟାନ୍ତ ମୁଳକ ଶାସ୍ତି ପ୍ରଦାନ ଏବଂ ଆଦିବାସୀ ପରିବାରମାନଙ୍କୁ ଜମିର ପଟ୍ଟା ପ୍ରଦାନ ତଥା ମୃତକ ପରିବାରମାନଙ୍କୁ ପ୍ରର୍ୟ୍ୟାପ୍ତ ପରିମାଣର ଆର୍ଥିକ ରାଶି କ୍ଷତିପୂରଣ ଭାବେ ପ୍ରଦାନ କରିବା ଇତ୍ୟାଦି ।
ପ୍ରକାଶ ଥାଉକି, ୨୦୦୬ ଜଙ୍ଗଲ ଆଇନକୁ ଅକାମୀ କରିଦେବା ପାଇଁ ସୁପ୍ରିମ କୋର୍ଟରେ ଏକ ମୋକଦ୍ଦମା ବିଚାରଧୀନ ଅଛି। ସାରା ଦେଶରେ ୮ କୋଟି ଆଦିବାସୀ ଏବଂ ପାରମ୍ପରିକ ଜଙ୍ଗଲବାସୀ ସଂଖ୍ୟାକୁ ମିଶାଇଲେ ମୋଟ ୧୫କୋଟିରୁ ଉଦ୍ଧ ଆଦିବାସୀ ଓ ଜଙ୍ଗଲବାସୀ ଏହି ଅଧିକାର ଦ୍ବାରା ଜମିର ଅଧିକାର ପାଉଛନ୍ତି। ଏହାକୁ ଅକାମୀ କରିଦେବାପାଇଁ ଅନେକ କମ୍ପାନୀ ବିଧିବଦ୍ଧ ଯୋଜନା କରି ସରକାରଙ୍କ ଉପରେ ଚାପ ପକାଉଛନ୍ତି। ସେମବାର ସାରା ଦେଶରେ ଏହି ପ୍ରସଙ୍ଗରେ ଜାତୀୟ ପ୍ରତିବାଦ ଦିବସ ପାଳନ ହୋଇଛି।
ସେହି ଆହ୍ବାନ ଅନୁଯୟେୀ, ଓଡିଶାର ରାଜଧାନୀ ଭୁବନେଶ୍ବରରେ, ଗଜପତି ଜିଲାର ପାରଳାଖେମୁଣ୍ଡି, କାଶୀନଗର, ବାଲେଶ୍ବର ଜିଲାର ନୀଳଗିରି, ମୟୁରଭଞ୍ଜ ଜିଲାର ଉଦଳା, ଅନୁଗୁଳର ପାଲଲହଡା, କେନ୍ଦୁଝର ଜିଲାର ସାହରପଡ଼ା, କଟକ, ନବରଙ୍ଗପୁରର ଡ଼ାବୁଗାଁ, ଗଞ୍ଜାମ ଜିଲାର କୋଦଳା, ନୟାଗଡ଼ ଜିଲାର ଦଶପଲ୍ଲା, ମାଲକାନଗିରିର ଚିତ୍ରକୁଣ୍ଡା, କେନ୍ଦ୍ରାପଡ଼ା ଇତ୍ୟାଦି ସ୍ଥାନୀୟ ଆଦିବାସୀ, କୃଷକ ଏବଂ କୃଷି ଶ୍ରମିକମାନେ, ମିଳିତଭାବେ ବିକ୍ଷୋଭ ପ୍ରଦର୍ଶନ କରି ସ୍ମାରକ ପତ୍ର ପ୍ରଦାନ କରିଛନ୍ତି।
ସୋମବାରର ଏହି ଆନ୍ଦୋଳନରେ ଓଡ଼ିଶା କୃଷକ ସଭାର ରାଜ୍ୟ ସଭାପତି ଜମେଶ୍ବର ସାମନ୍ତରାୟ, ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ, ବରିଷ୍ଠ ନେତା ଜଗନ୍ନାଥ ମିଶ୍ର, ଅଭିରାମ ବେହେରା, ଡିୱାଇଏଫଆଇର ରାଜ୍ୟ ସମ୍ପାଦକ ଯତୀନ ମହାନ୍ତି, ଶ୍ରମିକ ନେତା ବଦ୍ରି ନାରାୟଣ ଦାଶ, ରବି ମଲ୍ଲିକ, ଓଡ଼ିଶା ଆଦିବାସୀ ମଞ୍ଚର ରାଜ୍ୟ ସଭାପତି ଦଣ୍ଡପାଣି ରଇତ ପ୍ରମୁଖ ବହୁ ନେତୃବୃନ୍ଦ ଆନ୍ଦୋଳନର ନେତୃତ୍ବ ନେଇଥିଲେ।
ଏହି ମାମଲାରେ ୨୪ ଜୁଲାଇରେ ସୁପ୍ରିମକୋର୍ଟରେ ଶୁଣାଣି ହେବ।
Comments are closed.