ଜଙ୍ଗଲ ଜଳୁଛି
୨୧୧ ରେଞ୍ଜରୁ ଓଡ଼ିଶାରେ ସର୍ବାଧିକ,୧୫ ଜିଲାରେ ବିପଦରେ ଜଙ୍ଗଲୀ ଜୀବ, କେନ୍ଦୁଝର ୧୦ ବନଖଣ୍ଡ ରେଞ୍ଜରେ ନିଆଁ
ଭୁବନେଶ୍ବର : ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଆକାଶରୁ ନିଆଁ ଗଳୁଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜନଜୀବନ ଅସ୍ତବ୍ୟସ୍ତ। ଏଣେ ପାର୍ବତ୍ୟାଞ୍ଚଳ ଓ ଘଞ୍ଚ ଜଙ୍ଗଲରୁ ବୋହୁଛି ନିଆଁଜଳା ପବନ। ପାରଦ ବଢ଼ିବା ସହ ଏବେ ଜଙ୍ଗଲ ନିଆଁ କଲାଣି ଅଣାୟତ୍ତ। ବିଭିନ୍ନ ସ୍ଥାନରେ ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ। ଶୁଖିଲା ପତ୍ରରୁ ନିଆଁ ଧରି ଗଛପତ୍ର ପୋଡ଼ି ପାଉଁଶ ହେଉଛି। ସବୁଜିମାରେ ଭରପୂର ଜଙ୍ଗଲ ଜଳିବା ଦ୍ବାରା ଜଙ୍ଗଲୀ ଜୀବଜନ୍ତୁ ଏବେ ମରଣ ମୁହଁରେ। ଏଥିଯୋଗୁଁ ତାପମାତ୍ରା ମଧ୍ୟ ବଢୁଛି।
ସଦ୍ୟପ୍ରାପ୍ତ ରବିବାର ତଥ୍ୟ ଅନୁସାରେ, ଦେଶର ୨୧୧ ବନଖଣ୍ଡ ରେଞ୍ଜ ଅଧୀନସ୍ଥ ଜଙ୍ଗଲରେ ନିଆଁ ଲାଗିଛି। ସବୁଠୁ ଉଦ୍ବେଗର ବିଷୟ ହେଉଛି, ତା ମଧ୍ୟରେ ଓଡ଼ିଶାରୁ ସର୍ବାଧିକ ୧୫ଟି ଜିଲାର ୪୩ ରେଞ୍ଜରେ ଜଙ୍ଗଲ ଜଳୁଛି। ସନ୍ଧ୍ୟା ପର୍ଯ୍ୟନ୍ତ ବନାଗ୍ନି ସକ୍ରିୟ ଥିବାବେଳେ ବନଖଣ୍ଡ ବିଭାଗର କର୍ମଚାରୀ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇପାରିନାହାନ୍ତି। ଫଳସ୍ବରୂପ ଛାରଖାର ହେଉଛି ସବୁଜବନାନୀ ଏବଂ ପ୍ରଭାବିତ ହେଉଛନ୍ତି ପ୍ରାକୃତିକ ଆବାସସ୍ଥଳର ଜଙ୍ଗଲୀ ଜୀବଜନ୍ତୁ। ପ୍ରତିଦିନ ରାଜ୍ୟରେ ଜଙ୍ଗଲ ଜଳୁଥିଲେ ମଧ୍ୟ ବିଭାଗ ଦାୟିତ୍ବବାନ ହେଉନି। ଜଙ୍ଗଲ ନିଆଁ କ୍ଷେତ୍ରରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନରେ ଥିବାବେଳେ ଜଙ୍ଗଲକୁ ନିଆଁ ମୁହଁରୁ ରକ୍ଷା କରିବା ପାଇଁ ସରକାର ଗତବର୍ଷ ଟାସ୍କଫୋର୍ସ ଗଠନ କରିଥିଲେ; କିନ୍ତୁ ଚଳିତ ବର୍ଷ ଜଙ୍ଗଲ ନିଆଁକୁ ଆୟତ୍ତ କରିବା ଏ ପର୍ଯ୍ୟନ୍ତ ସମ୍ଭବ ହୋଇନାହିଁ।
ପଶ୍ଚିମ ଓଡ଼ିଶାରେ ସବୁ ସହରର ଦିନବେଳାର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଥିବା ବେଳେ କଳାହାଣ୍ଡି ଜିଲାର ଥୁଆମୂଳ-ରାମପୁର ଉତ୍ତର-୧୭ ରେଞ୍ଜର କଲମପୁର ବିଟ ଅଧୀନସ୍ଥ ଜଙ୍ଗଲରେ ନିଆଁ ଲାଗିଛି। ସେହିପରି ଥୁଆମୂଳ-ରାମପୁର ଉତ୍ତର-୧୮, ୧୯ ଓ ୨୦ ରେଞ୍ଜର ଗୁଣୁପୁର ବିଟ୍ ଘଞ୍ଚ ଜଙ୍ଗଲରେ ନିଆଁ ଜଳୁଛି। କୋରାପୁଟର ଲକ୍ଷ୍ମୀପୁର-୭ ରେଞ୍ଜର ବନ୍ଦିକାର ବିଟ୍, ବଲାଙ୍ଗୀର ରେଞ୍ଜ, କନ୍ଧମାଳ କୋଟଗଡ- ୧୦ ରେଞ୍ଜ, ସୁଡୁରୁକୁମ୍ପା-୪ ରେଞ୍ଜ, ସୁନ୍ଦରଗଡ ଜିଲାର ହେମଗିରି-୩ ରେଞ୍ଜ, ଉଜ୍ବଳପୁର-୪, ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର-୧, ବୌଦ୍ଧ ଜିଲାର ବୌଦ୍ଧ, କଣ୍ଟାମାଳ, ମାଧପୁର ରେଞ୍ଜ, କଟକର ନରସିଂହପୁର ପୂର୍ବ-୧, ଖୋର୍ଦ୍ଧାର ଚନ୍ଦକା-୨, କେନ୍ଦୁଝର ଜିଲାର ଘଟଗଁା, ତେଲକୋଇ, ବ୍ରାହ୍ମଣିପାଳ- ୫,୭,୧୦,୮,୯,୧୧, ରେଞ୍ଜ, ଅନୁଗୋଳର ଆଠମଲ୍ଲିକ, ଛେଣ୍ଡିପଦା, ତାଳଚେର ରେଞ୍ଜ, ଢେଙ୍କାନାଳ ଜିଲାର କାମାକ୍ଷାନଗର ରେଞ୍ଜ, ଯାଜପୁର ସୁକିନ୍ଦା, ମୟୂରଭଞ୍ଜ ଜିଲାର ନୁକୁରା ଏବଂ ପିଥାବତ ରେଞ୍ଚ ଜଙ୍ଗଲ ଗୁଡିକ ଜଳୁଛି।
କେନ୍ଦୁଝର ଜିଲାର ୧୦ଟି ରେଞ୍ଜର ଶହ ଶହ ହେକ୍ଟର ଜଙ୍ଗଲ ଜମିରେ ନିଆଁ ଲାଗିଛି। ଉପରୋକ୍ତ ରେଞ୍ଜର ବନ ବିଭାଗ କର୍ମଚାରୀ ନିଆଁ ଲିଭାଇ ଆୟତ୍ତକୁ ଆଣି ନପାରିବା ହେତୁ ଜୀବନ ରକ୍ଷା ଲାଗି ଜନବସତି ମୁହାଁ ହେଉଛନ୍ତି ବାଘ, ଭାଲୁ, ହାତୀ, ସାପ, ହରିଣ ଆଦି ଜଙ୍ଗଲୀ ଜନ୍ତୁ। ସଞ୍ଜ ନଇଁଲେ ଜଙ୍ଗଲ ଜଳୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି। ନିଆଁ କେମିତି ଲାଗୁଛି ତାହା ବନ ବିଭାଗ କର୍ମଚାରୀ ଜାଣି ପାରୁନାହାନ୍ତି। ପରିବେଶବିତ ଡ. ଜେ.କେ ପାଣିଗ୍ରାହୀ କହିଛନ୍ତି, ଓଡ଼ିଶାର ୫୨ ହଜାର ସ୍ଥାନରେ ଜଙ୍ଗଲ ନିଆଁ ଲାଗିଥିବା ଚିହ୍ନଟ କରାଯାଇ ଥିଲା। ଯାହା ଦେଶରେ ସର୍ବାଧିକ। ଜଙ୍ଗଲକୁ ନିଆଁମୁହଁରୁ ରକ୍ଷା ନିମନ୍ତେ ସରକାର ଏକ ଟାସ୍କଫୋର୍ସ ଗଠନ କରିବା ସହ ନିୟମାବଳୀ ପ୍ରସ୍ତୁତ କରିଥିଲେ। ସ୍ଥାନୀୟ ଲୋକଙ୍କୁ ସଚେତନ କରିବା, ନିଆଁ ନ ଲାଗିଲେ ପ୍ରୋତ୍ସାହନ ଦେବା, ଜଙ୍ଗଲ ସୁରକ୍ଷା ପାଇଁ ବନ ସୁରକ୍ଷା କର୍ମୀ, ମହିଳା ସ୍ବଂୟ ସହାୟକ ଗୋଷ୍ଠୀ ଏବଂ ପରିବେଶବିତ୍କୁ ନେଇ ବୈଠକ କରିବାକୁ ଗୁରୁତ୍ବ ଦିଆଯାଇଥିଲା।
ଜଙ୍ଗଲରେ ନିଆଁ ଲାଗିବା ହେଉଛି ମନୁଷ୍ୟକୃତ। ଏପରିକି ଜଙ୍ଗଲରେ କେହି ନିଆଁ ଲଗାଉଥିବା ଧରାପଡିଲେ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରି ମାମଲା ରୁଜୁ କରିବା ବ୍ୟବସ୍ଥା ମଧ୍ୟ କରାଯାଇଛି। ସ୍ଥାନୀୟ ବାସିନ୍ଦା ଚାହିଁଲେ ଜଙ୍ଗଲ ପୋଡି ହେବନାହିଁ। ପୂର୍ବେ ଜଙ୍ଗଲରେ ନିଆଁ ଲାଗୁଥିଲା। ହେଲେ ଏବେ ଅଧିକ ନିଆଁ ଲାଗିବା ଦ୍ବାରା ହଜାର ହଜାର ହେକ୍ଟର ଜଙ୍ଗଲ ପୋଡି ଯାଉଛି। ଆଜି ଦେଶର ଉତ୍ତରାଖଣ୍ଡ ଓ ମଧ୍ୟପ୍ରଦେଶ ରାଜ୍ୟର ୩୫ଟି ଲେଖାଏଁ ବନଖଣ୍ଡ ରେଞ୍ଜରେ ଜଙ୍ଗଲ ଜଳୁଥିବା ବେଳେ ଛତିଶଗଡ ୧୫, ଆସାମ ୨୧, ମହାରାଷ୍ଟ୍ର ୨୨, ଉତ୍ତରପ୍ରଦେଶ ୧୪, ତ୍ରିପୁରା, ତେଲଙ୍ଗାନା, ରାଜସ୍ଥାନ, ମିଜୋରାମ ଓ ଗୁଜରାଟର ଗୋଟିଏ ଲେଖାଏଁ ବନଖଣ୍ଡ ରେଞ୍ଜରେ ଜଙ୍ଗଲ ଜଳୁଛି। ସେହିପରି ଆନ୍ଧ୍ର ପ୍ରଦେଶ ୫, ଅରୁଣାଚଳ ପ୍ରଦେଶ ଓ ବିହାରର ୨ଟି ଲେଖାଏଁ ରେଞ୍ଜ, ମେଘାଳୟ ୩ ଏବଂ ଝାଡଖଣ୍ଡର ୯ଟି ରେଞ୍ଜରେ ନିଆଁ ଲାଗିଥିବା ଭାରତୀୟ ଜଙ୍ଗଲ ସର୍ବେକ୍ଷଣ ତଥ୍ୟରୁ ଜଣାପଡିଛି।
Comments are closed.