ସବୁଦିନ ପାଇଁ ମନେରହିବ ୨୦୧୮ ବିଶ୍ୱକପ୍‍

0

ମସ୍କୋ:୩୨ଟି ପ୍ରତିଯୋଗୀ ଦଳଙ୍କ ସହ ସମସ୍ତ ପ୍ରଶଂସକ ୨୦୧୮ ଫୁଟ୍‍ବଲ ବିଶ୍ୱକପ୍‍ ଦେଖି ସ୍ୱଦେଶ ଫେରି ଯାଇଛନ୍ତି। ମାସେକାଳ ଚାଲିଥିବା ଏହି ଫୁଟ୍‍ବଲ ମହାକୁମ୍ଭରେ ଯବନିକା ପଡ଼ିଛି। ତେବେ ଏହା ଏପରି ଏକ ବିଶ୍ୱକପ୍‍ ଥିଲା; ଯାହାକୁ ଫୁଟ୍‍ବଲପ୍ରେମୀ ବହୁତଦିନ ପର୍ଯ୍ୟନ୍ତ ମନେରଖିବେ। ଏହି ବିଶ୍ୱକପ୍‍ରେ ୧୧ଟି ସହରରେ ୧୨ଟି ଷ୍ଟାଡିୟମ୍‍ରେ ମୋଟ ୬୪ଟି ମ୍ୟାଚ୍‍ ଖେଳା ଯାଇଥିଲା। ଏହା ଥିଲା ଫୁଟ୍‍ବଲ ଇତିହାସରେ ସବୁଠାରୁ ବ୍ୟୟବହୁଳ ବିଶ୍ୱକପ୍‍। ଏହି ବିଶ୍ୱକପ୍‍ର ଆୟୋଜନରେ ୧୨୦୦୦ ନିୟୁତ ଡଲାର ବା ଭାରତୀୟ ମୁଦ୍ରାରେ ପ୍ରାୟ ୮୧୦୦୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା।
ଏହି ବିଶ୍ୱକପ ବିଭିନ୍ନ ଦିଗରୁ ଥିଲା ସ୍ମରଣୀୟ। ଫ୍ରାନ୍‍ସ ଦଳ ଏହି ବିଶ୍ୱକପ୍‍ର ୨ୟ ସର୍ବକନିଷ୍ଠ ଦଳ ଥିଲା। ଡିଡିଏର ଡେସ୍‍ଚାମ୍ପ୍‍ସଙ୍କ ଦଳକୁ ବେଶ୍‍ ପ୍ରତିଭାବାନ ବୋଲି ଗଣନା କରା ଯାଉଥିଲା। ଦଳରେ କ୍ରିଷ୍ଟିଆନୋ ରୋନାଲ୍‍ଡୋ କିମ୍ବା ଲିଓନେଲ ମେସିଙ୍କ ପରି ବିଶ୍ୱବନ୍ଦିତ ତାରକା ନଥିଲେ ମଧ୍ୟ ଥିଲେ କିଲିଆନ୍‍ ଏମ୍‍ବାପେଙ୍କ ପରି ଅତ୍ୟନ୍ତ ପ୍ରତିଭାବାନ ଖେଳାଳି, ଏନ୍‍ଗୋଲୋ କାଣ୍ଟେଙ୍କ ପରି ପରିଶ୍ରମୀ ଖେଳାଳି ଏବଂ ବେଞ୍ଜାମିନ ପାଭାର୍ଡଙ୍କ ପରି ଭବିଷ୍ୟତର ତାରକା। ଦଳର ସିନିୟର ଖେଳାଳି ଭାବେ ଆଣ୍ଟୋଏନ୍‍ ଗ୍ରିଜ୍‍ମ୍ୟାନ୍‍ ଓ ପଲ୍‍ ପୋଗ୍‍ବା ଭଲ ପ୍ରଦର୍ଶନ କରିଥିଲେ ଏବଂ ୪ଟି ଲେଖାଏଁ ଗୋଲ୍‍ ସ୍କୋର୍‍ କରିଥିଲେ। ପୂରା ଟୁର୍ଣ୍ଣାମେଣ୍ଟରେ ଫ୍ରାନ୍‍ସ ଆକ୍ରମଣାତ୍ମକ ଫୁଟ୍‍ବଲ ଖେଳିଥିଲା ଏବଂ ଚମ୍ପିଆନ୍‍ ହେବାକୁ ଯୋଗ୍ୟ ଥିଲା। ଏହି ବିଶ୍ୱକପ୍‍ରେ ୭ଟି ମ୍ୟାଚ୍‍ରୁ ଫ୍ରାନ୍‍ସ ୬ଟି ଜିତିଥିଲା। ୩୨ଟି ପ୍ରତିଯୋଗୀଙ୍କ ମଧ୍ୟରୁ ସବୁଠାରୁ କମ୍‍ ଫିଫା ମାନ୍ୟତା ଥିଲା ଆୟୋଜକ ରୁଷିଆର। ତେବେ ରୁଷିଆ ଚମତ୍କାର ପ୍ରଦର୍ଶନ କରି କ୍ୱାର୍ଟରଫାଇନାଲ ଖେଳିଥିଲା। ଏହି ବିଶ୍ୱକପ୍‍ର ଆରମ୍ଭ ଚମତ୍କାର ଥିଲା। ଉଦ୍‍ଘାଟନୀ ମ୍ୟାଚ୍‍ରେ ସାଉଦି ଆରବକୁ ୫-୦ ଗୋଲ୍‍ରେ ରୁଷିଆ ପରାସ୍ତ କରିଥିଲା। ସ୍ପେନ୍‍ ଓ ପର୍ତ୍ତୁଗାଲ ମୁକାବିଲା ବିଶ୍ୱକପ୍‍କୁ ଚଳଚଞ୍ଚଳ କରିଥିଲା। ଏହି ମ୍ୟାଚ୍‍ ୩-୩ ଗୋଲ୍‍ରେ ଡ୍ର ରହିଥିଲା। ପର୍ତ୍ତୁଗାଲ ପାଇଁ ୩ଟିଯାକ ଗୋଲ୍‍ଦେଇ ଟୁର୍ଣ୍ଣାମେଣ୍ଟର ପ୍ରଥମ ଏବଂ ଏକମାତ୍ର ହ୍ୟାଟ୍ରିକ୍‍ ଅର୍ଜନ କରିଥିଲେ କ୍ରିଷ୍ଟିଆନୋ ରୋନାଲ୍‍ଡୋ। ମେକ୍ସିକୋଠାରୁ ପ୍ରଥମ ମ୍ୟାଚ୍‍ରେ ପରାସ୍ତ ହୋଇଥିବା ଜର୍ମାନୀ ପାଇଁ ଶକ୍ତ ଧକ୍କା ଥିଲା ଦକ୍ଷିଣ କୋରିଆଠାରୁ ୩ୟ ଲିଗ୍‍ ମ୍ୟାଚ୍‍ରେ ପରାସ୍ତହେବା। ଫଳରେ ଗତଥରର ଚମ୍ପିଆନ୍‍ ଜର୍ମାନୀ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲା। ପ୍ରଥମଥର ପାଇଁ ବିଶ୍ୱକପ୍‍ ଖେଳିଥିବା ଆଇସ୍‍ଲାଣ୍ଡର ଲଢ଼ୁଆ ଖେଳ ମଧ୍ୟ ଫୁଟ୍‍ବଲପ୍ରେମୀ ମନେରଖିବେ। ପ୍ରଥମ ମ୍ୟାଚ୍‍ରେ ଆର୍ଜେଣ୍ଟିନା ସହ ମ୍ୟାଚ୍‍ ଡ୍ର ରଖିଥିଲା ଆଇସ୍‍ଲାଣ୍ଡ। ଆର୍ଜେଣ୍ଟିନା ସହ ଫ୍ରାନ୍‍ସର ମୁକାବିଲା ଫୁଟ୍‍ବଲ ଦୁନିଆକୁ କିଲିଆନ୍‍ ଏମ୍‍ବାପେ ନାମକ ଜଣେ ନୂଆ ତାରକା ଦେଇଥିଲା। ତାଙ୍କ ଗତି ଦ୍ୱାରା ଆର୍ଜେଣ୍ଟିନାକୁ ପରାସ୍ତ କରିଥିଲେ ଏମ୍‍ବାପେ ଏବଂ ୨ଟି ଗୋଲ୍‍ ସ୍କୋର୍‍ କରିଥିଲେ। ଏହି ମ୍ୟାଚ୍‍ରେ ପରାସ୍ତହୋଇ ଆର୍ଜେଣ୍ଟିନା ବିଦାୟ ନେଇଥିଲା। ଏହି ବିଜୟ ହିଁ ଫ୍ରାନ୍‍ସକୁ ଆତ୍ମବିଶ୍ୱାସ ଦେଇଥିଲା ଯେ ଏହା ଚମ୍ପିଆନ୍‍ ହୋଇପାରିବ।
ଗତଥର ସେମିଫାଇନାଲରେ ୧-୭ ଗୋଲ୍‍ରେ ଜର୍ମାନୀଠାରୁ ପରାସ୍ତ ହୋଇଥିବା ବ୍ରାଜିଲ ଏଥର ତା’ର ସମର୍ଥକଙ୍କୁ ମସ୍‍ଗୁଲ କରିବ ବୋଲି ଆଶା କରା ଯାଉଥିଲା। ରୋନାଲ୍‍ଡୋ ଓ ମେସିଙ୍କ ପରେ ନିଏମାରଙ୍କ ପାଖରେ ଏହି ବିଶ୍ୱକପ୍‍ର ତାରକା ହେବାର ସୁଯୋଗ ଥିଲା। ତେବେ କେବଳ ପ୍ରାଧାନ୍ୟ ବିସ୍ତାରକରି ଖେଳିଲେ ମ୍ୟାଚ୍‍ ଜିତିହୁଏନା; ବେଲ୍‍ଜିୟମ୍‍ ବିପକ୍ଷ କ୍ୱାର୍ଟରଫାଇନାଲ ମ୍ୟାଚ୍‍ରେ ବ୍ରାଜିଲ ଏହି ଶିକ୍ଷାଲାଭ କରିଥିଲା ଏବଂ ୧-୨ ଗୋଲ୍‍ରେ ହାରି ବିଦାୟ ନେଇଥିଲା। ଫଳରେ ଟାଇଟଲ ଦୌଡ଼ରେ କେବଳ ୟୁରୋପୀୟ ଦେଶ ରହି ଯାଇଥିଲେ। ଏହି ବିଶ୍ୱକପ୍‍ରେ ଗୋଟିଏ ପରେ ଗୋଟିଏ ବିପର୍ଯ୍ୟୟ ଘଟି ଚାଲିଥିବା ବେଳେ ଏଥର ଏକ ନୂଆ ଚମ୍ପିଆନ୍‍ଙ୍କୁ ଦେଖିବାକୁ ମିଳିବ ବୋଲି ଆଶା ଜାଗ୍ରତ ହୋଇଥିଲା। କାରଣ କ୍ରୋଏସିଆ ଚମତ୍କାର ଫୁଟ୍‍ବଲ ଖେଳି ଫାଇନାଲରେ ପହଞ୍ଚିଥିଲା। ତେବେ ଫାଇନାଲରେ ଫ୍ରାନ୍‍ସ ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନ ନିକଟରେ କ୍ରୋଏସିଆ ହାର ମାନିଥିଲା ଏବଂ ୨୦ ବର୍ଷ ପରେ ପୁଣି ଚମ୍ପିଆନ୍‍ ହୋଇ ୨ୟ ଥର ପାଇଁ ବିଶ୍ୱ ଚମ୍ପିଆନ୍‍ ହୋଇଥିଲା। ଏହି ବିଶ୍ୱକପ୍‍ରେ ନୂଆ ଥିଲା ଭିଏଆର୍‍ ବା ଭିଡିଓ ଆସିଷ୍ଟାଣ୍ଟ ରେଫେରୀ। ରେଫେରୀଙ୍କ ତ୍ରୁଟି ସୁଧାରିବା ପାଇଁ ଟିଭି ଦେଖି ନିଷ୍ପତ୍ତି ନେବାର ସୁବିଧା ରେଫେରୀଙ୍କୁ ମିଳିଥିଲା। ଏହା ଚମତ୍କାର ଭାବେ ସଫଳ ହୋଇଥିଲା ଏବଂ ଆଗକୁ ଭିଏଆର୍‍ ଫୁଟ୍‍ବଲର ଅଭିନ୍ନ ଅଙ୍ଗ ପାଲଟିବାକୁ ଯାଉଛି।

kalyan agarbati
Leave A Reply