ବଢୁଛି ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା, ଜଳସ୍ତର କମିବା ସତ୍ତ୍ବେ ବିପଦ ସଂକେତ ଉପରେ ଦୟା ଓ ଭାର୍ଗବୀ

ପିପିଲି:ପିପିଲି ଦେଇ ପ୍ରବାହିତ ଦୟା ଓ ଭାର୍ଗବୀ ନଦୀରେ ଜଳସ୍ତର ଧିରେ ଧିରେ ହ୍ରାସ ପାଉଥିଲେ ମଧ୍ୟ ଏହା ବିପଦ ସଂକେତ ଠାରୁ ଢେର ଉର୍ଦ୍ଧରେ ପ୍ରବାହିତ ହେଉଛି। ଦୟା ନଦୀର ମାଧିପୁର ଓ କଣ୍ଟିକାଜରୁ ନିର୍ଗତ ବନ୍ୟାଜଳ ୩ଦିନ କାଳ ପିପିଲି-ଜଟଣୀ ରାସ୍ତାର ୩ଟି ସ୍ଥାନରେ ରାସ୍ତା ଉପରେ ପ୍ରବାହିତ ହେଉଥିବା କାରଣରୁ ଉକ୍ତ ରାସ୍ତାରେ ଯାତାୟତ ସଂପୂର୍ଣ୍ଣ ବନ୍ଦ ରହିଛି । ଦୟାନଦୀର ବନ୍ୟାଜଳରେ କଣ୍ଟି, ପାଣିଦୋଳ, ଭାରତୀପୁର, ହାଟସାହି, ପୋପରଙ୍ଗା ଆଦି ପଞ୍ଚାୟତର ୨୦ରୁ ଉର୍ଦ୍ଧ ଗ୍ରାମ ପ୍ରଭାବିତ ହୋଇଛି। ଏବେବି ବିପନ୍ନମାନେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗ କରୁଥିବା ବେଳେ ଅଧିକାଂଶ ବିପନ୍ନମାନେ ପିଲା, ଛୁଆ, ଗୋରୁ, ଗାଇଙ୍କୁ ଧରି ଆଶ୍ରୟସ୍ଥଳରେ ଅଛନ୍ତି । ଅନେକ ବିପନ୍ନ ରାସ୍ତା କଡରେ ଜରିପାଲ ତଳେ ଜୀବନ ବିତାଉଛନ୍ତି। ପିପିଲି ବ୍ଳକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମେତ ୨୦ରୁ ଉର୍ଦ୍ଧ ବିଦ୍ୟାଳୟ ବନ୍ୟାଜଳ ଘେରରେ ରହିଛି।

prayash

ସବୁଠାରୁ ବିପଦପୂର୍ଣ୍ଣ ଥିବା ଭାର୍ଗବୀ ନଦୀରେ ଗୁରୁବାର ସଂନ୍ଧ୍ୟା ସୁଦ୍ଧା ଜଳସ୍ତର ପ୍ରାୟ ଦେଢଫୁଟ୍‍ ହ୍ରାସ ପାଇଥିଲେ ମଧ୍ୟ ଏହା ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ହରିପୁର ଠାରେ ଭାର୍ଗବୀ ନଦୀର ବିପଦ ସଙ୍କେତ ୧୨.୦୯୫ ମିଟର ରହିଥିବା ବେଳେ ସଂନ୍ଧ୍ୟା ୫ଟା ସୁଦ୍ଧା ସେଠାରେ୧୩.୨ମିଟର ବନ୍ୟାଜଳ ପ୍ରବାହିତ ହେଉଛି। ସେହିପରି ମାଧିପୁର ଠାରେ ଦୟାନଦୀରେ ପ୍ରାୟ ଏକଫୁଟ୍‍ ଜଳସ୍ତର ହ୍ରାସ ପାଇଥିବା ବେଳେ କଣ୍ଟି ଠାରେ ନଦୀର ଜଳସ୍ତର ୮ଇଞ୍ଜ ହ୍ରାସ ପାଇଛି। କଣ୍ଟି ଠାରେ ବିପଦ ସଙ୍କେତ ୧୦.୨୫ମିଟର ରହିଥିବା ବେଳେ ଗୁରୁବାର ସନ୍ଧ୍ୟା ୫ଟା ସୁଦ୍ଧା ସେଠାରେ ୧୧.୨୨ମିଟର ବନ୍ୟାଜଳ ପ୍ରବାହିତ ହେଉଛି। ମାଧିପୁର ଠାରେ ବିପଦ ସଙ୍କେତ ୧୧.୪୦୫ ମିଟର ରହିଥିବା ବେଳେ ସେଠାରେ ୧୨.୧୦ମିଟର ବନ୍ୟାଜଳ ପ୍ରବାହିତ ହେଉଛି। ଗତ ୨ଦିନ ମଧ୍ୟରେ ଉଭୟ ନଦୀବନ୍ଧରେ ୬୦ରୁ ଉର୍ଦ୍ଧ ଘଳିଆକୁ ନିୟନ୍ତ୍ରଣ କରାଯାଇଥିବା ବେଳେ ଗୁରୁବାର କୌଣସି ସ୍ଥାନରେ ଘଳିଆ ସୃଷ୍ଟି ହୋଇନଥିବା ସୂଚନା ମିଳିଛି। ତେବେ, ଉଭୟ ନଦୀରେ ବନ୍ୟାଜଳ ପୂର୍ଣ୍ଣମାତ୍ରାରେ ପ୍ରବାହିତ ହେଉଥିବା ଯୋଗୁଁ ନଦୀବନ୍ଧ ପ୍ରତି ବିପଦ ରହିଛି। ଜଳସଂପଦ ବିଭାଗ ଓ ପ୍ରଶାସନ ପକ୍ଷରୁ ନଦୀବନ୍ଧ ଉପରେ ୨୪ଘଣ୍ଟିଆ ସତର୍କ ଦୃଷ୍ଟି ରଖାଯାଇଛି। ନଦୀକୂଳବର୍ତ୍ତୀ ଗ୍ରାମବାସୀମାନେ ପାଳି କରି ନଦୀବନ୍ଧ ଉପରେ ଦିନ ରାତି ପଇଁତରା ମାରୁଛନ୍ତି।

ପିପିଲି ବ୍ଲକର ୬ଟି ପଞ୍ଚାୟତର ବନ୍ୟା ପ୍ରଭାବିତ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ରନ୍ଧା ଓ ଶୁଖିଲା ଖାଦ୍ୟ ସମେତ ପାନୀୟଜଳ ପ୍ରଦାନ କରାଯାଇଛି। ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀ, ବିଡିଓ ରଶ୍ମିତା ନାଥ, ତହସିଲଦାର ପୁନମ ମହାପାତ୍ର, ବ୍ଲକ ଅଧ୍ୟକ୍ଷା ଦେବସ୍ୱିନୀ ନନ୍ଦ, ଉପାଧ୍ୟକ୍ଷ ପ୍ରଫୁଲ୍ଲ ସ୍ୱାଇଁ ପ୍ରମୁଖ ରବରବୋଟ ଦ୍ୱାରା ବନ୍ୟା ପ୍ରଭାବିତ କଣ୍ଟି ପଞ୍ଚାୟତର ବିଭିନ୍ନ ଅଞ୍ଚଳ ଗସ୍ତ କରି ବିପନ୍ନଙ୍କ ବିଭିନ୍ନ ସମସ୍ୟାର ସମାଧାନ କରିଥିଲେ। ସଂପୂର୍ଣ୍ଣ ବନ୍ୟା ଘେରରେ ଥିବା ୪୨୪୦ ଜଣ ବ୍ୟକ୍ତିଙ୍କ ପାଇଁ ପ୍ରଶାସନ ପକ୍ଷରୁ ଖାଦ୍ୟ ଓ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି। ଦୟାନଦୀର ବନ୍ୟାଜଳ ଶହଶହ ହେକ୍ଟର ଚାଷଜମିକୁ ଜଳମଗ୍ନ କରିଥିବା ବେଳେ ବହୁଗ୍ରାମ ଜଳବନ୍ଦୀ ହୋଇରହିଛି । ୧୨ରୁ ଉର୍ଦ୍ଧଗ୍ରାମ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଥିବା ବେଳେ ବହୁଘର ମଧ୍ୟରେ ବନ୍ୟାଜଳ ପଶିଛି। ଧାନ ଓ ପନିପରିବା ଚାଷ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ଅନେକ ଗ୍ରାମର କୁକୁଡା ଫାର୍ମ ମଧ୍ୟରେ ବନ୍ୟାଜଳ ପ୍ରବେଶ କରିଥିବା ବେଳେ ମାଛ ପୋଖରୀ ସଂପୂର୍ଣ୍ଣ ବୁଡିଯାଇଛି। ତେବେ କୌଣସି ସ୍ଥାନରେ ଘାଇ ସୃଷ୍ଟି ହେବାର ପରିସ୍ଥିତି ଉପୁଜିଲେ ପ୍ରଭାବିତ ହେବାକୁ ଥିବା ଅଞ୍ଚଳବାସୀଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଥିବା ସଂପର୍କରେ ତହସିଲଦାର ପୁନମ ମହାପାତ୍ର ଓ ବିଡିଓ ରଶ୍ମିତା ନାଥ ସୂଚନା ଦେଇଛନ୍ତି। ପିପିଲି ବ୍ଲକ ଓ ତହସିଲରେ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଛି।

kalyan agarbati

Comments are closed.